ଜାଲ ଶିକ୍ଷକଙ୍କ ଗୁମର ଫିଟୁଛି

0
Photo for the News of Duplicate Certificate

ବନ୍ତ ବ୍ଲକ ଶିକ୍ଷା ବିଭାଗ: ଜାଲ ଶିକ୍ଷକଙ୍କ ଗୁମର ଫିଟୁଛି
ଜାଲ ପ୍ରମାଣ ପତ୍ରରେ ଚାକିରୀ: ଉଚ୍ଚନ୍ୟାୟାଳୟରେ ମାମଲା
ଭଦ୍ରକ, (ପ୍ରବାହ ନ୍ୟୁଜ୍‌)::ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଚେଷ୍ଟିତ ହେଉଥିବା ବେଳେ ଜାଲ ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଥିବା ଶିକ୍ଷକ ସରକାରଙ୍କ ଯୋଜନାକୁ କେତେ ସଫଳ କରିବେ ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଶିକ୍ଷା ବିଭାଗ ମଧ୍ୟ ଏଥିରୁ ବାଦ ପଡ଼ି ନାହିଁ । ଏହି ବ୍ଲକରେ ଜାଲ ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଥିବା ଶିକ୍ଷକଙ୍କ ସଂଖ୍ୟା କେତେ ତାହା ସମୟ କହିବ । କିନ୍ତୁ ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ସୂଚନାକୁ ଆଧାର କରି ଆଜି ସୁଦ୍ଧା ୨ଜଣ ଶିକ୍ଷକଙ୍କୁ ଚାକିରୀରୁ ବହିଷୃତ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ : ୨ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ଜାଲ ସିଟି ପ୍ରମାଣ ପତ୍ର ଓ ଅନ୍ୟ ଜଣେ ଜାତିଗତ ପ୍ରମାଣ ପତ୍ରରେ ଅନିୟମିତତା କରିଥିବା ଅଭିଯୋଗରେ ଚାକିରୀରୁ ବହିଷୃତ ହୋଇଥିଲେ । ସେହିପରି ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ସୂଚନା ଅନୁସାରେ କିଛି ଶିକ୍ଷକ ବାସସ୍ଥାନ ପ୍ରମାଣପତ୍ରରେ ଅନିୟମିତତା କରିଥିବାର ଜଣାପଡ଼ିଛି । ଏହା ଜଣାପଡ଼ିବା ପରେ ବିଭାଗୀୟ ଅଧିକାରୀଙ୍କୁ ଏଥିନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ ପ୍ରମାଣ ପତ୍ର ଦେଇ ଅଭିଯୋଗ କରାଯିବାକୁ ଇତି ମଧ୍ୟରେ ପାଖାପାଖି ୧ ବର୍ଷ ପୂରଣ ହେବାକୁ ବସିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀମାନେ ସଂପୃକ୍ତ ଶିକ୍ଷକଙ୍କ ପ୍ରତି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏହାକୁ ନେଇ ଉଚ୍ଚନ୍ୟାୟାଳୟରେ ଏକ ମାମଲା ଦାୟର କରାଯାଇଥିବାର ଜଣାପଡ଼ିଛି । ସୂଚନା ଅନୁଯାୟୀ: ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷଣ୍ଢ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱରେ ଥିବା ଜନୈକ ଶିକ୍ଷକ ତାଙ୍କ ନିଯୁକ୍ତି ସମୟରେ ସରକାରଙ୍କ ପ୍ରଦତ୍ତ ନିୟମକୁ ଉଲଂଘନ କରିଥିବାର ଅଭିଯୋଗ ହୋଇଛି । ସେ ନିଜ ବାସସ୍ଥାନ ଓ ଜାତିଗତ ପ୍ରମାଣପତ୍ରରେ ଅନିୟମିତତା କରି ଭଦ୍ରକ ଜିଲ୍ଲାରେ ଉକ୍ତ ପ୍ରମାଣପତ୍ରରେ ଶିକ୍ଷକତା କରୁଛନ୍ତି । ସୂଚନା ଅଧିକାର ଆଇନ ବଳରେ ଏହି ଅନିୟମିତତା ଜଣାପଡ଼ିବା ପରେ ଏଥିନେଇ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କ ଠାରେ ସମସ୍ତ ପ୍ରମାଣପତ୍ର ସହ ଆବେଦନ କରାଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଆଜି ସୁଦ୍ଧା କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନଥିବାରୁ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଠାରେ ଡ଼ବ୍ଲ୍ୟୁପି(ସି)/୦୦୨୦୦୯୨/୨୦୨୦ରେ ଏକ ମାମଲା ରୁଜ୍ଜୁ କରାଯାଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ସଂପାଦକ, ଭୁବନେଶ୍ୱର, ଜିଲ୍ଲାପାଳ ଭଦ୍ରକ, ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ, ଭଦ୍ରକ,ଜିଲ୍ଲା ଶିକ୍ଷାଧିକାରୀ, ଭଦ୍ରକ, ବ୍ଲକ ଶିକ୍ଷାଧିକାରୀ,ବନ୍ତ ଭଦ୍ରକ ଓ ସଂପୃକ୍ତ ଶିକ୍ଷକଙ୍କୁ ପକ୍ଷ କରାଯାଇଥିବାର ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *