ଜନମନର ଜନଶକ୍ତି, ରାଷ୍ଟ୍ରଶକ୍ତିର ଚେତନାକୁ ପ୍ରଜ୍ଜ୍ୱଳିତ କରୁଛି: ମୋଦୀ

0
75501567

ନୂଆଦିଲ୍ଲୀ, (ପିଆଇବି): ଆଜକୁ ଏକ ବର୍ଷ ପୂର୍ବେ ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଥିଲା । ଦେଶରେ ବହୁ ଦଶନ୍ଧି ପରେ କୌଣସି ସଂଖ୍ୟାଗରିଷ୍ଠ ସରକାରଙ୍କୁ ଲଗାତାର ଦ୍ୱିତୀୟ ଥର ପାଇଁ ଦେଶବାସୀ ପୂର୍ଣ୍ଣ ବହୁମତ ସହିତ ଶାସନ ଭାର ଅର୍ପଣ କରିଥିଲେ । ଏହି ଅଧ୍ୟାୟ ରଚନା କରିବାରେ ଆପଣମାନଙ୍କର ବହୁତ ବଡ଼ ଭୂମିକା ରହିଛି । ଏଭଳି ସ୍ଥିତିରେ ଆଜିର ଏ ଦିନ ଆପଣମାନଙ୍କୁ, ଭାରତ ଓ ଭାରତୀୟ ଗଣତନ୍ତ୍ର ପ୍ରତି ଆପଣମାନଙ୍କ ନିଷ୍ଠାକୁ ପ୍ରଣାମ କରିବା ଲାଗି ମୋ ପାଇଁ ଏକ ଅବସର ଆଣିଛି ।
ସାଧାରଣ ପରିସ୍ଥିତି ହୋଇଥିଲେ ମୋତେ ଆପଣମାନଙ୍କ ଗହଣକୁ ଆସି ଆପଣମାନଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଥାନ୍ତା । କିନ୍ତୁ ବିଶ୍ୱ ମହାମାରୀ କରୋନା କାରଣରୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେହି ପରିସ୍ଥିତିରେ ମୁଁ ଏହି ପତ୍ର ମାଧ୍ୟମରେ ଆପଣମାନଙ୍କ ଚରଣରେ ପ୍ରଣାମ କରି ଆପଣମାନଙ୍କ ଠାରୁ ଆଶୀର୍ବାଦ ନେବା ଲାଗି ଆସିଛି । ବିଗତ ବର୍ଷ ସାରା ଆପଣମାନଙ୍କ ସ୍ନେହ, ଶୁଭାଶୀଷ ଏବଂ ଆପଣମାନଙ୍କ ସକ୍ରିୟ ସହଯୋଗ ମୋତେ ନିରନ୍ତର ଏକ ନୂଆ ଶକ୍ତି, ପ୍ରେରଣା ପ୍ରଦାନ କରିଥିଲା । ଏହି ଅବସରରେ ଆପଣମାନେ ଗଣତନ୍ତ୍ରର ଯେଉଁ ସାମୂହିକ ଶକ୍ତିର ପ୍ରଦର୍ଶନ କଲେ ତାହା ଆଜି ସାରା ବିଶ୍ୱ ପାଇଁ ଏକ ଉଦାହରଣ ହୋଇପାରିଛି । ୨୦୧୪ ବର୍ଷରେ ଆପଣମାନେ, ଦେଶର ଜନତା, ଦେଶରେ ଏକ ବଡ଼ ପରିବର୍ତନ ଲାଗି ଭୋଟ ଦେଇଥିଲେ । ଦେଶର ନୀତି ଓ ରୀତି ବଦଳାଇବା ପାଇଁ ଭୋଟ ଦେଇଥିଲେ । ସେହି ପାଂଚ ବର୍ଷ ଭ୍ରଷ୍ଟାଚାର ଓ ସ୍ଥାଣୁତାର ପଙ୍କରୁ ବ୍ୟବସ୍ଥାଗୁଡ଼ିକ ଉଦ୍ଧାର ପାଇଥିବା ଦେଶବାସୀ ଦେଖିପାରିଥିଲେ । ଏହି ଅବଧିରେ ଅନ୍ତ୍ୟୋଦୟର ଭାବନା ନେଇ ଗରିବଙ୍କ ଜୀବନକୁ ସହଜ କରିବା ଲାଗି ପ୍ରଶାସନ ବଦଳୁଥିବା ଦେଶବାସୀ ଦେଖିବାକୁ ପାଇଥିଲେ । ସେହି କାର୍ଯ୍ୟକାଳରେ ଗୋଟିଏ ପଟେ ବିଶ୍ୱରେ ଭାରତର ମାନସମ୍ମାନ ବୃଦ୍ଧି ପାଇଥିବା ବେଳେ ଅନ୍ୟପଟେ ଆମେ ଗରିବଙ୍କ ପାଇଁ ବ୍ୟାଙ୍କ ଆକାଉଂଟ ଖୋଲିବା, ସେମାନଙ୍କୁ ମାଗଣା ଗ୍ୟାସ ସଂଯୋଗ ଦେବା, ମାଗଣାରେ ବିଦ୍ୟୁତ ସଂଯୋଗ ଦେବା, ଶୌଚାଳୟ ନିର୍ମାଣ କରିବା, ଘର ଯୋଗାଇ ଦେବା ଜରିଆରେ ସେମାନଙ୍କ ଗରିମା ବୃଦ୍ଧି କରିଥିଲୁ ।
ସେହି କାର୍ଯ୍ୟକାଳ ସମୟରେ ଆମେ ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ କରିଥିଲୁ । ଅନ୍ୟପଟେ ୱାନ ର‌୍ୟାଙ୍କ ୱାନ ପେନସନ, ୱାନ ନେସନ ୱାନ ଟ୍ୟାକ୍ସ-ଜିଏସଟି ସୁବିଧା ଆଣିବା ସହିତ କୃଷକମାନଙ୍କୁ ଅଧିକ ଏମଏସପି ପ୍ରଦାନ କରିବା ଲାଗି ରହିଥିବା ବହୁବର୍ଷ ପୁରୁଣା ଦାବି ପୂରଣ କରିବାର କାମ କରିଥିଲୁ ।ସେହି କାର୍ଯ୍ୟକାଳ ଦେଶର ଅନେକ ଆବଶ୍ୟକତା ପୂରଣ ଲାଗି ସମର୍ପିତ ଥିଲା ।
୨୦୧୯ରେ ଆପଣମାନଙ୍କ ଆଶୀର୍ବାଦ, ଦେଶବାସୀଙ୍କ ଆଶୀର୍ବାଦ ଦେଶର ବଡ଼ ସ୍ୱପ୍ନ ପୂରଣ କରିବା ଲାଗି, ଆଶାଆକାଂକ୍ଷା ପୂରଣ କରିବା ଲାଗି ଉଦ୍ଦିଷ୍ଟ ଥିଲା । ତେଣୁ ବିଗତ ଏକ ବର୍ଷରେ ନିଆ ଯାଇଥିବା ନିର୍ଣ୍ଣୟ ଏସବୁ ବଡ଼ ସ୍ୱପ୍ନ ଦିଗରେ ଥିଲା ଉଡ଼ାଣ ।
ଆଜି ଜନଗଣଙ୍କ ସହିତ ଜଡ଼ିତ ଜନମନର ଜନଶକ୍ତି, ରାଷ୍ଟ୍ରଶକ୍ତିର ଚେତନାକୁ ପ୍ରଜ୍ଜ୍ୱଳିତ କରୁଛି । ବିଗତ ଏକ ବର୍ଷ ଧରି ଦେଶ ନିରନ୍ତର ନୂଆ ସ୍ୱପ୍ନ ଦେଖିଛି, ନୂଆ ସଂକଳ୍ପ ନେଇଛି ଏବଂ ଏହି ନୂଆ ସଂକଳ୍ପକୁ ସିଦ୍ଧି କରିବା ଲାଗି ନିରନ୍ତର ନିର୍ଣ୍ଣୟ ନେଇ ଆଗକୁ ପାଦ ବଢ଼ାଇଛି ।
ଭାରତର ଏହି ଐତିହାସିକ ଯାତ୍ରାରେ ପ୍ରତ୍ୟେକ ସମାଜ, ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ବ୍ୟକ୍ତି ଖୁବ ଭଲ ଭାବେ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି । ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ ମନ୍ତ୍ରକୁ ନେଇ ଆଜି ଦେଶ ସାମାଜିକ ହେଉ ଅବା ଆର୍ଥିକ, ବୈଶ୍ୱିକ ହେଉ କିମ୍ବା ଆନ୍ତରିକ ପ୍ରତ୍ୟେକ ଦିଗରେ ଆଗକୁ ବଢ଼ୁଅଛି ।
ବିଗତ ଏକ ବର୍ଷ ଧରି ଦେଶରେ ଗ୍ରହଣ କରାଯାଇଥିବା କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ତେଣୁ ଏସବୁ ଉପଲବ୍ଧିକୁ ସ୍ମରଣ କରିବା ଅତ୍ୟନ୍ତ ସ୍ୱାଭାବିକ । ରାଷ୍ଟ୍ରୀୟ ଏକତା-ଅଖଣ୍ଡତା ଲାଗି ଧାରା ୩୭୦ ଉଚ୍ଛେଦ ହେଉ, ଶହ ଶହ ବର୍ଷ ପୁରୁଣା ସଂଘର୍ଷର ସୁଖଦ ପରିଣାମ-ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ହେଉ, ଆଧୁନିକ ସାମାଜିକ ବ୍ୟବସ୍ଥାରେ ବାଧକ ସାଜିଥିବା ତିନି ତଲାକ ପ୍ରଥା ହେଉ, ଅଥବା ପୁଣି ଭାରତର କରୁଣାର ପ୍ରତୀକ ନାଗରିକତା ସଂଶୋଧନ ଆଇନ ହେଉ, ଏ ସମସ୍ତ ଉପଲବ୍ଧି ଆପଣମାନେ ସମସ୍ତେ ମନେ ରଖିଥିବେ ।
ଗୋଟିଏ ପରେ ଗୋଟିଏ ଏପରି ଐତିହାସିକ ନିର୍ଣ୍ଣୟ ମଧ୍ୟରେ ଏପରି ଅନେକ ନିଷ୍ପତି ନିଆଯାଇଛି, ପରିବର୍ତନ ଅଣାଯାଇଛି ଯାହା ଭାରତର ବିକାଶ ଯାତ୍ରାକୁ ନୂଆ ଗତି, ନୂଆ ଲକ୍ଷ୍ୟ ପ୍ରଦାନ କରିବା ସହିତ ଲୋକମାନଙ୍କର ଆଶାଆକାଂକ୍ଷାକୁ ପୂରଣ କରିଛି । ଚିଫ ଅଫ ଡିଫେନ୍ସ ଷ୍ଟାଫ ପଦବୀ ଗଠନ କରାଯାଇଛି ସେନାରେ ସମନ୍ୱୟ ବୃଦ୍ଧି କରାଯାଇଥିବା ବେଳେ ମିଶନ ଗଗନ ଯାନ ପାଇଁ ଭାରତ ନିଜ ପ୍ରସ୍ତୁତିକୁ ମଧ୍ୟ ଜୋରଦାର କରିଛି । ଏହି ସମୟରେ ଗରିବମାନଙ୍କୁ, କୃଷକମାନଙ୍କୁ, ମହିଳା-ଯୁବକମାନଙ୍କୁ ସଶକ୍ତ କରିବା ଆମର ପ୍ରାଥମିକତା ରହି ଆସିଛି । ଏବେ ପିଏମ କିସାନ ସମ୍ମାନ ନିଧି ଅଧୀନରେ ଦେଶର ପ୍ରତ୍ୟେକ କୃଷକଙ୍କୁ ସାମିଲ କରାଯାଇସାରିଛି । ବିଗତ ଏକ ବର୍ଷ ମଧ୍ୟରେ ଏହି ଯୋଜନା ଅନ୍ତର୍ଗତ ୯କୋଟି ୫୦ ଲକ୍ଷରୁ ଅଧିକ କୃଷକମାନଙ୍କ ବ୍ୟାଙ୍କ ଆକାଉଂଟରେ ୭୨ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରାଶି ଜମା କରାଯାଇସାରିଛି । ଦେଶର ୧୫ କୋଟିରୁ ଅଧିକ ଗ୍ରାମୀଣ ଘରକୁ ପିଇବା ଲାଗି ବିଶୁଦ୍ଧ ଜଳ ଯୋଗାଣ ନିମନ୍ତେ ଜଳ ଜୀବନ ମିଶନ ଆରମ୍ଭ କରାଯାଇଛି । ଆମର ୫୦ କୋଟିରୁ ଅଧିକ ପ୍ରାଣୀସମ୍ପଦଙ୍କ ଉ ନ୍ନତ ସ୍ୱାସ୍ଥ୍ୟ ନିମନ୍ତେ ମାଗଣା ଟିକାକରଣ ପାଇଁ ବହୁତ ବଡ଼ ଅଭିଯାନ ଆରମ୍ଭ କରାଯାଇଛି ।
ଦେଶର ଇତିହାସରେ ପ୍ରଥମ ଥର ପାଇଁ କୃଷକ, କୃଷିଶ୍ରମିକ, ଛୋଟ ବ୍ୟବସାୟୀ ଏବଂ ଅସଂଗଠିତ କ୍ଷେତ୍ରର ଶ୍ରମିକ ସାଥୀ, ସମସ୍ତଙ୍କ ପାଇଁ ୬୦ ବର୍ଷର ଆୟୁ ପରେ ୩ ହଜାର କୋଟି ଟଙ୍କାର ନିୟମିତ ମାସିକ ପେନସନ ସୁବିଧା ସୁନିଶ୍ଚିତ କରାଯାଇଛି ।
ମତ୍ସ୍ୟଜୀବୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ, ସେମାନଙ୍କୁ ମିଳୁଥିବା ସୁବିଧା ବଢ଼ାଇବା ଏବଂ ନୀଳ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ସ୍ୱତନ୍ତ୍ର ଯୋଜନା ସହିତ ଏକ ପୃଥକ ବିଭାଗ ଗଠନ କରାଯାଇଛି । ସେହିପରି ବ୍ୟବସାୟୀଙ୍କ ସମସ୍ୟା ନିର୍ଦ୍ଧାରିତ ସମୟରେ ସମାଧାନ କରିବା ଲାଗି ବ୍ୟବସାୟୀ କଲ୍ୟାଣ ବୋର୍ଡ ଗଠନ କରିବାକୁ ନିଷ୍ପତି ନିଆଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ସହ ସମ୍ପୃକ୍ତ ପାଖାପାଖି ୭କୋଟି ମହିଳାମାନଙ୍କୁ ଏବେ ଅଧିକ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ନିକଟରେ ସ୍ୱୟଂ ସହାୟକ ଗୋଷ୍ଠୀ ଲାଗି ବିନା ଗ୍ୟାରେଂଟିରେ ଋଣ ପ୍ରଦାନ ସୀମାକୁ ୧୦ ଲକ୍ଷରୁ ବୃଦ୍ଧି କରି ୨୦ ଲକ୍ଷ କରି ଦିଆଯାଇଛି ।
ଆଦିବାସୀ ପିଲାମାନଙ୍କର ଶିକ୍ଷାକୁ ଧ୍ୟାନରେ ରଖି, ଦେଶରେ ୪୫୦ରୁ ଅଧିକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ଅଭିଯାନ ଆରମ୍ଭ କରାଯାଇଛି । ଜନସାଧାରଣଙ୍କ ହିତ ଲାଗି ଉନ୍ନତ ଆଇନ ପ୍ରସ୍ତୁତ କରିବା ଲାଗି ବିଗତ ବର୍ଷ ଖୁବ ଦ୍ରୁତଗତିରେ କାର୍ଯ୍ୟ ହୋଇଛି । ଆମ ସଂସଦ କାର୍ଯ୍ୟଦିବସରେ ବହୁ ଦଶନ୍ଧି ପୁରୁଣା ରେକର୍ଡ ଭାଙ୍ଗିଛି ।
ଏହାର ପରିଣାମସ୍ୱରୂପ ଉପଭୋକ୍ତାଙ୍କ ସୁରକ୍ଷା ହେଉ, ଚିଟଫଣ୍ଡ ଆଇନରେ ସଂଶୋଧନ ହେଉ, ଦିବ୍ୟାଙ୍ଗ ମହିଳା ଓ ଶିଶୁମାନଙ୍କୁ ଅଧିକ ସୁରକ୍ଷା ପ୍ରଦାନ ଆଇନ ହେଉ, ଏସବୁ ଦ୍ରୁତ ଗତିରେ ପ୍ରସ୍ତୁତ ହୋଇପାରିଛି । ସରକାରଙ୍କ ନୀତି ଏବଂ ନିର୍ଣ୍ଣୟ କାରଣରୁ ସହର ଓ ଗାଁ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ହେବାରେ ଲାଗିଛି । ପ୍ରଥମ ଥର ପାଇଁ ଗାଁରେ ଇଂଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ସହରରେ ଇଂଟରନେଟ ବ୍ୟବହାରକାରୀ ସଂଖ୍ୟା ତୁଳନାରେ ୧୦ ପ୍ରତିଶତ ଅଧିକ ହୋଇଛି ।
ଦେଶ ହିତରେ ନିଆଯାଇଥିବା ଏପରି ଐତିହାସିକ କାର୍ଯ୍ୟ ଏବଂ ନିର୍ଣ୍ଣୟର ସୂଚୀ ଖୁବ ଲମ୍ବା । ଏହି ପତ୍ରରେ ସବୁକଥା ବିସ୍ତାର ପୂର୍ବକ କହିବା ସମ୍ଭବ ନୁହେଁ । କିନ୍ତୁ ଏତିକି ଅବଶ୍ୟ କହିବି ଯେ ଗୋଟିଏ ବର୍ଷର କାର୍ଯ୍ୟକାଳର ପ୍ରତ୍ୟେକ ଦିନ ୨୪ ଘଂଟା ସମ୍ପୂର୍ଣ୍ଣ ସଜାଗ ରହି କାମ ହୋଇଛି, ସମ୍ବେଦନଶୀଳତାର ସହିତ କାମ ହୋଇଛି, ନିଷ୍ପତି ନିଆଯାଇଛି । ଦେଶବାସୀଙ୍କ ଆଶା ଆକାଂକ୍ଷା ପୂରଣ କରି ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ସମୟରେ କରୋନା ବୈଶ୍ୱିକ ମହାମାରୀ ଭାରତକୁ ମଧ୍ୟ ଘେରିଗଲା । ଗୋଟିଏ ପଟେ ଯେଉଁଠି ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଏବଂ ବିଶାଳ ଅର୍ଥବ୍ୟବସ୍ଥା ଥିବା ବିଶ୍ୱର ବଡ଼ ବଡ଼ ମହାଶକ୍ତି ଅଛନ୍ତି, ଅନ୍ୟପଟେ ଏତେ ବଡ଼ ଜନସଂଖ୍ୟ ଏବଂ ଅନେକ ଆହ୍ୱାନରେ ଘେରି ରହିଥିବା ଆମ ଭାରତ ରହିଛି ।
ଅନେକ ଲୋକ ଆଶଙ୍କା କରୁଥିଲେ ଯେ ଯେତେବେଳେ କରୋନା ଭାରତ ଉପରେ ଆକ୍ରମଣ କରିବ, ଭାରତ ସମଗ୍ର ବିଶ୍ୱ ପାଇଁ ସଙ୍କଟ ପାଲଟିଯିବ ।
କିନ୍ତୁ ଆଜି ସମସ୍ତ ଦେଶବାସୀ ଭାରତକୁ ଦେଖିବାର ଦୃଷ୍ଟିକୋଣକୁ ବଦଳାଇ ଦେଇଛନ୍ତି । ଆପଣମାନେ ଏହା ପ୍ରମାଣ କରି ଦେଖାଇଛନ୍ତି ଯେ ବିଶ୍ୱର ସାମର୍ଥ୍ୟବାନ ଏବଂ ସମ୍ପନ୍ନ ଦେଶଗୁଡ଼ିକ ତୁଳନାରେ ସମସ୍ତ ଭାରତବାସୀଙ୍କ ସାମୂହିକ ସାମର୍ଥ୍ୟ ତଥା କ୍ଷମତା ଅଭୂତପୂର୍ବ ।
ତାଳି, ଥାଳି ବଜାଇବା ଓ ଦୀପ ଜଳାଇବା ଠାରୁ ଆରମ୍ଭ କରି ଭାରତୀୟ ସେନା ଦ୍ୱାରା କରୋନା ଯୋଦ୍ଧାଙ୍କୁ ସମ୍ମାନ ହେଉ, ଜନତା କର୍ଫ୍ୟୁ କିମ୍ବା ଦେଶବ୍ୟାପୀ ଲକଡାଉନ ସମୟରେ ନିଷ୍ଠାର ସହ ନିୟମ ପାଳନ କରିବା ହେଉ ଆପଣମାନେ ପ୍ରତ୍ୟେକ ଅବସରରେ ଦେଖାଇଛନ୍ତି ଯେ ଭାରତ ହିଁ ଶ୍ରେଷ୍ଠ ଭାରତର ଗ୍ୟାରେଂଟି ଅଟେ ।
ନିଶ୍ଚିତ ଭାବେ, ଏତେ ବଡ଼ ସଙ୍କଟ ସମୟରେ କେହି ଜଣେ ହେଲେ ଦାବି କରିପାରିବେ ନାହିଁ ଯେ କାହାରିକୁ କିଛି କଷ୍ଟ କିମ୍ବା ଅସୁବିଧା ହୋଇନାହିଁ । ଆମର ଶ୍ରମିକ ସାଥୀ, ପ୍ରବାସୀ ଶ୍ରମିକ ଭାଇ-ଭଉଣୀ, ଛୋଟ ଛୋଟ ଉଦ୍ୟୋଗରେ କାମ କରୁଥିବା କାରୀଗର, ରାସ୍ତାକଡ଼ରେ ସାମଗ୍ରୀ ବିକ୍ରି କରୁଥିବା ଲୋକମାନେ, ଉଠାଦୋକାନୀ, ଆମର ବ୍ୟବସାୟୀ ଭାଇମାନେ, ଲଘୁ ଉଦ୍ୟୋଗୀ, ଏହି ସାଥୀମାନେ ଅସୀମିତ କଷ୍ଟ ସହିଛନ୍ତି । ସେମାନଙ୍କ ସମସ୍ୟା ଦୂର କରିବା ଲାଗି ସମସ୍ତେ ମିଳିମିଶି ପ୍ରୟାସ କରୁଛନ୍ତି ।
କିନ୍ତୁ ଆମ ସମସ୍ତଙ୍କୁ ଏହା ମଧ୍ୟ ଧ୍ୟାନରେ ରଖିବାକୁ ହେବ ଯେ ଜୀବନରେ ହେଉଥିବା ଅସୁବିଧା, ଜୀବନ ପ୍ରତି ବିପତିରେ ବଦଳି ନଯାଉ । ଏଥିପାଇଁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରତ୍ୟେକ ଦିଶା-ନିର୍ଦ୍ଦେଶକୁ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ । ଏ ପର୍ଯ୍ୟନ୍ତ ଯେଭଳି ଭାବେ ଆପଣମାନେ ଧୈର୍ଯ୍ୟ ଓ ଜୀବନ୍ତତାକୁ ବଜାୟ ରଖିଛନ୍ତି, ସେହିପରି ଏହାକୁ ଆଗକୁ ମଧ୍ୟ ବଜାୟ ରଖନ୍ତୁ । ଏହା ହିଁ ଏକ ବଡ଼ କାରଣରୁ ଯାହା ପାଇଁ ଭାରତ ଆଜି ଅନ୍ୟ ଦେଶଗୁଡ଼ିକ ତୁଳନାରେ ଅଧିକ ନିୟନ୍ତ୍ରିତ ସ୍ଥିତିରେ ରହିଛି । ଏହି ଦୀର୍ଘ ଲଢ଼େଇରେ ଆମେ ବିଜୟ ପଥରେ ଚାଲିବା ଆରମ୍ଭ କରିଛୁ ଏବଂ ବିଜୟୀ ହେବା ଆମ ସମସ୍ତଙ୍କର ସାମୂହିକ ସଂକଳ୍ପ ।
ନିକଟରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ସଂଘଟିତ ଅମ୍ଫନ ମହାବାତ୍ୟା ସମୟରେ ଯେଉଁ ସାହସର ସହିତ ସେଠାକାର ଲୋକମାନେ ସ୍ଥିତିର ମୁକାବିଲା କଲେ, ବାତ୍ୟାଜନିତ କ୍ଷୟକ୍ଷତିକୁ ହ୍ରାସ କରିପାରିଲେ, ତାହା ମଧ୍ୟ ଆମ ସମସ୍ତଙ୍କ ପାଇଁ ଏକକ ବଡ଼ ପ୍ରେରଣା ।
“କୃତମେ ଦକ୍ଷିଣେ ହସ୍ତେ, ଜୟୋ ମେ ସବ୍ୟ ଆହିତଃ” ।
ଅର୍ଥାତ ଆମର ଗୋଟିଏ ହାତରେ କର୍ମ ଓ କର୍ତବ୍ୟ ଅଛି ତ’ ଅନ୍ୟ ହାତରେ ସୁନିଶ୍ଚିତ ସଫଳତା ଅଛି ।
ଦେଶର ନିରନ୍ତର ସଫଳତା ପାଇଁ ଏହି କାମନା ସହିତ ମୁଁ ଆପଣମାନଙ୍କୁ ପୁଣିଥରେ ପ୍ରଣାମ କରୁଛି ।
ଆପଣମାନଙ୍କୁ ଓ ଆପଣମାନଙ୍କ ପରିବାରକୁ ମୋର ହାର୍ଦ୍ଦିକ ଶୁଭକାମନା ।
ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ!!!
ଜାଗୃତ ରୁହନ୍ତୁ, ସଚେତନ ରୁହନ୍ତୁ!!!
ଆପଣମାନଙ୍କର ପ୍ରଧାନ ସେବକ ।

Leave a Reply

Your email address will not be published. Required fields are marked *