କୋଭିଡ-୧୯ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ସପ୍ତଦଶ ଜିଓଏମ ବୈଠକ
କୋଭିଡ-୧୯ ର ସାମ୍ପ୍ରତିକ ସ୍ଥିତି ଓ ପ୍ରତିହତ ପଦକ୍ଷେପର ସମୀକ୍ଷା
ନୂଆଦିଲ୍ଲୀ, (ଏଜେନ୍ସି): କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ସଂକ୍ରାନ୍ତ ସପ୍ତଦଶ ଉଚ୍ଚ ମନ୍ତ୍ରୀମଣ୍ଡଳସ୍ତରୀୟ ବୈଠକ (ଜିଓଏମ) ଅନୁଷ୍ଠିତ ହୋଇଯାଇଛି । ଆଜି ଦିଲ୍ଲୀର ନିର୍ମାଣ ଭବନଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ. ଜୟଶଙ୍କର, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ଯୋଗଦେଇଥିଲେ ।
ଦେଶର ସାଂପ୍ରତିକ କୋଭିଡ-୧୯ ସ୍ଥିତି, ଆରୋଗ୍ୟ ଓ ମୃତ୍ୟୁ ହାର, ନମୁନା ପରୀକ୍ଷଣ ଓ ଭିତିଭୂମି ଇତ୍ୟାଦି ନେଇ ଜିଓଏମ ବୈଠକକୁ ଅବଗତ କରାଯାଇଥିଲା । ଏଥିରେ ସୂଚନା ଦିଆଯାଇଥିଲା ଯେ, ବର୍ତମାନ ଦେଶର ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟରୁ ଶତକଡା ୮୫.୫ ଭାଗ ରୋଗୀ ଥିବାବେଳେ କରୋନା ମୃତକଙ୍କ ମଧ୍ୟରୁ ଶତକଡା ୮୭ ଭାଗ ୮ଟି ରାଜ୍ୟ ଯଥା ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ତେଲଙ୍ଗାନା, ଗୁଜରାଟ, ଉତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ହୋଇଛି । ଅଦ୍ୟାବଧି ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, ସଂକ୍ରମଣ ବିଶେଷଜ୍ଞ, ଟେକନିସିଆନ ଏବଂ ବରିଷ୍ଠ ଯୁଗ୍ମସ୍ତରୀୟ ଅଧିକାରୀଙ୍କ ନେତୃତ୍ୱରେ ୧୫ଟି କେନ୍ଦ୍ରୀୟ ଦଳ ରାଜ୍ୟଗୁଡିକୁ ବୈଷୟିକ ନିୟମଗୁଡିକ ଉପରେ ଅବଗତ କରାଉଛନ୍ତି । ଅନ୍ୟ ଏକ କେନ୍ଦ୍ରୀୟ ଦଳ ବର୍ତମାନ ଗୁଜରାଟ, ମହାରାଷ୍ଟ୍ର ଏବଂ ତେଲଙ୍ଗାନା ଗସ୍ତରେ ଥାଇ ସେଠାକାର କୋଭିଡ-୧୯ ପରିଚାଳନା ସମ୍ପର୍କରେ ଟିକିନିଖି ତଥ୍ୟ ହାସଲ କରୁଛନ୍ତି । ଜିଓଏମକୁ ଆଇଟିଆଇଏଚଏଏସ ଏବଂ ଆରୋଗ୍ୟ ସେତୁର ଉପକାରିତା ସମ୍ପର୍କରେ ବୁଝାଯାଇଥିଲା, ଯାହାକି ବର୍ତମାନ ବିଭିନ୍ନ ରାଜ୍ୟରେ କରୋନା ମୁକାବିଲା କ୍ଷେତ୍ରରେ ଯଥେଷ୍ଟ ଉପାଦେୟ ପ୍ରମାଣିତ ହୋଇଛି ।
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ଅବଧାଂଚଳରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଥିବା ଜିଓଏମକୁ ଅବଗତ କରାଯାଇଥିଲା । ଏଥିରେ ନମୁନା ପରୀକ୍ଷଣର ସଂପୂର୍ଣ୍ଣ ଉପଯୋଗ, ସମାଜରେ ବୟସ୍କ ଓ ପୁରୁଣା ରୋଗ ଲକ୍ଷଣ ଥିବା ରୋଗୀ ଚିହ୍ନଟ, ସମ୍ଭାବ୍ୟ ହଟ ସ୍ପଟର ଆକଳନ, ଆରୋଗ୍ୟ ସେତୁର ଉପଯୋଗ ଓ ପ୍ରକୃତ ଚିକିତ୍ସା ଦ୍ୱାରା ମୃତ୍ୟୁ ସଂଖ୍ୟା ହ୍ରାସ, ସାଂଘାତିକ ରୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ଅମ୍ଳଜାନ ସଂଯୁକ୍ତ ଶଯ୍ୟା ଓ ଭେଣ୍ଟିଲେଟର ଇତ୍ୟାଦି ଅନ୍ତର୍ଭୁକ୍ତ । ଆଇସିଏମଆରର ମହାନିର୍ଦ୍ଦେଶକ ଡଃ ଭାର୍ଗବ ଆଇସିଏମଆର ପକ୍ଷରୁ ନମୁନା ପରୀକ୍ଷଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ । ସେ ସେରୋଲୋଜିକାଲ ସର୍ଭେ ଏବଂ ବିଭିନ୍ନ ପରୀକ୍ଷା ଦ୍ୱାରା ନମୁନା ପରୀକ୍ଷଣ ବୃଦ୍ଧି ସମ୍ପର୍କରେ ସୂଚନା ଦେଇଥିଲେ । ଗତ ୧୪ ଘଂଟା ମଧ୍ୟରେ ନମୁନା ପରୀକ୍ଷଣ ୨,୨୦୪୭୯ କୁ ବୃଦ୍ଧି ପାଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ ୭୯,୯୬୭୦୭ ନମୁନା ପରୀକ୍ଷଣ କରାଯାଇଛି । ଦେଶରେ ବର୍ତମାନ ୧୦୨୬ଟି ଉତ୍ସର୍ଗୀକୃତ ରୋଗ ନିରୂପଣ ପରୀକ୍ଷାଗାର ରହିଛି । ଏଥିରେ ୭୪୧ ଟି ସରକାରୀ ଥିବାବେଳେ ୨୮୫ ଟି ବେସରକାରୀ ପରୀକ୍ଷାଗାର ଅଛି ।
ଦେଶରେ ବର୍ତମାନ କୋଭିଡ-୧୯ ପରିଚାଳନା ଭିତିଭୂମି ଯଥେଷ୍ଟ ବୃଦ୍ଧି ପାଇଥିବା ନେଇ ଜିଓଏମକୁ ଅବଗତ କରାଯାଇଥିଲା । ବର୍ତମାନ ୧୦୩୯ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଥିବା ବେଳେ ୧,୭୬,୨୭୫ ଏକାନ୍ତବାସ ଶଯ୍ୟା, ୨୨୯୪୦ ଆସିୟୁ ଶଯ୍ୟା, ୭୭୨୬୮ ଅମ୍ଳଜାନ ସହାୟତା ଯୁକ୍ତ ଶଯ୍ୟା ରହିଛି । ସେହିପରି ୨୩୯୮ ଟି ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୩୯୪୮୩ ଏକାନ୍ତବାସ ଶଯ୍ୟା, ୧୧୫୩୯ ଆଇସିୟୁ ଶଯ୍ୟା ଏବଂ ୫୧,୩୨୧ ଅମ୍ଳଜାନ ସଂଯୁକ୍ତ ଶଯ୍ୟା ମଧ୍ୟ କାର୍ଯ୍ୟକ୍ଷମ ରହିଛି । ଏହାଛଡା ୮୯୫୮ ଟି କୋଭିଡ କେୟାର ସେଂଟରରେ ୮୧୦୬୨୧ ଟି ଶଯ୍ୟା କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉପଲବବ୍ଧ ହେଉଛି । ୧୮୫.୧୮ ଲକ୍ଷ ଏନ-୯୫ ମାସ୍କ ଏବଂ ୧୧୬.୭୪ ଲକ୍ଷ ପିପିଇ କିଟ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକୁ ଯୋଗାଇଦିଆଯାଇଛି ।
କ୍ଷମତାପ୍ରାପ୍ତ ଗ୍ରୁପ ୧୦ ଜିଓଏମର ଅଧ୍ୟକ୍ଷ ଶ୍ରୀ କେ. ଶିବାଜୀଙ୍କୁ କୋଭିଡ ସଂକ୍ରାନ୍ତ ବିଭିନ୍ନ ଆପତି, ଅଭିଯୋଗ ମୀମାଂସା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା । କୋଭିଡ ସଂକ୍ରାନ୍ତ ଆପତି ଅଭିଯୋଗର ୬୦ ଦିନରୁ ୩ ଦିନକୁ ଖସି ଆସିଥିବା ଜଣାଯାଇଥିଲା । କୋଭିଡ-୧୯ ସାଧାରଣ ଅଭିଯୋଗଗୁଡିକର ମୀମାଂସା ପାଇଁ ଗତ ଏପ୍ରିଲ ପହିଲାଠାରୁ ଜାତୀୟ ଡାସ ବୋର୍ଡ ସୃଷ୍ଟି କରାଯାଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀମତୀ ପ୍ରୀତି ସୁଦାନ, ଓଏସଡି ରାଜେଶ ଭୂଷଣ, ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଅମିତାଭ କାନ୍ତ, ଫାର୍ମାସ୍ୟୁଟିକାଲ ସଚିବ ଶ୍ରୀ ପି.ଡି. ବାଘେଲା, ଡିଡବ୍ଲ୍ୟୁଏ ସଚିବ ଶ୍ରୀ ପରମେଶ୍ୱର ଆୟେର, ଡିଜିଏଚଏସ ଡଃ ରାଜୀବ ଗର୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀମତୀ ଆରତୀ ଆହୁଯା, ବୈଦେଶିକ ବ୍ୟାପାର ଅତିରିକ୍ତ ସଚିବ ଶ୍ରୀ ଡି. ରବି ଏବଂ ଏନସିଡିସି ନିର୍ଦ୍ଦେଶକ ଡଃ ଏ.କେ.ସିଂ ପ୍ରମୁଖ ଏହି ଭର୍ଚୁଆଲ ସମ୍ମିଳନୀରେ ଯୋଗଦେଇଥିଲେ ।
