କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କୋଭିଡ୍ ସମୀକ୍ଷା
ନୟାଗଡ଼଼ , (ପ୍ରବାହ ନ୍ୟୁଜ୍): କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଶୁକ୍ରବାର ପୂର୍ବାହ୍ନରେ ନୟାଗଡ଼ ଗସ୍ତ କରି ନୟାଗଡ଼ ସର୍କିଟ୍ ହାଉସଠାରେ ପହଞ୍ôଚ ନୟାଗଡ଼ ଜିଲ୍ଲାର କୋଭିଡ୍-୧୯ର ପ୍ରସ୍ତୁତି ଏବଂ ପରିଚାଳନା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରିଥିଲେ । ଜିଲ୍ଲାରେ କୋଭିଡ୍ କେୟାର ହୋମ ପ୍ରସ୍ତୁତି ସଂପର୍କରେ ଏବଂ କିପରି ମୁକାବିଲା କରାଯାଉଛି ତା’ ଉପରେ ବିଶଦ୍ ଭାବରେ ଜିଲ୍ଲାପାଳ ଡ଼ ପୋମା ଟୁଡୁଙ୍କ ସହିତ ଆଲୋଚନା କରିଥିଲେ । ଏଥି ସହିତ ଚାନ୍ଦପୁର କୋଭିଡ୍-୧୯ ଚିକିତ୍ସାଳୟ କେନ୍ଦ୍ର ଠାରେ ରୋଗୀଙ୍କ ପାଇଁ କରାଯାଇଥିବା ସମସ୍ତ ବ୍ୟବସ୍ଥା ସଂପର୍କରେ ମଧ୍ୟ ପଚାରି ବୁଝିଥିଲେ । ଏହାପରେ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ଜିଲ୍ଲାପାଳ ଡ଼ ଟୁଡିଙ୍କ ସହିତ ନୟାଗଡ଼ ବ୍ଲକ୍ର କ୍ରିଦାସପୁର, ଲକ୍ଷ୍ମିପ୍ରସାଦ, ବୋଦାପଡ଼ା ଆଦି କୋଭିଡ୍-୧୯ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ପରିଦର୍ଶନ କରିବା ସହିତ ସଂପୃକ୍ତ ସରପଞ୍ଚ ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସହିତ କୋଭିଡ୍-୧୯ ନୋଡାଲ ଅଫିସର ତଥା ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି., ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ରଂଜିତା ବିଶ୍ୱାଳ, ନୟାଗଡ଼ ବ୍ଲକ୍ ଅଧିକାରୀ ମନୋଜ ପାତ୍ର ଏବଂ ନୟାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
