କରୋନା ଓ ଜ୍ୟୋତିକୁମାରୀଙ୍କ ପିତୃଭକ୍ତି
ଡ଼ଃ.ଅରୁନ୍ଧତୀ ଦେବୀ
ତ୍ରେତୟା ଯୁଗରେ ଅନ୍ଧ ପିତାମାତାଙ୍କୁ ଭାରରେ ବୋହି ସମସ୍ତ ଦୁଃଖ କଷ୍ଟକୁ ନିଜ ଭିତରେ ପୁରାଇ ଶ୍ରବଣ କୁମାର ଯେଉଁ କୀର୍ତ୍ତି ଓ ଯଶ ଛାଡ଼ି ଯାଇଛନ୍ତି ତାହା ଯୁଗ ଯୁଗ ପାଇଁ ଏକ ବଡ଼ ଆଦର୍ଶର ପ୍ରତୀକ । କରୋନା ସଙ୍କଟ ବେଳେ ଅନେକ ପ୍ରବାସୀ ସେମାନଙ୍କ ପରିବାରକୁ ରିକ୍ସାରେ ଟାଣି ହେଉ ବା କାନ୍ଧରେ ବୋଝ କରି ବୋହି ନିଜ ଧର୍ମ ତୁଲାଇବାକୁ ସକ୍ଷମ ହୋଇଛନ୍ତି । ସମଗ୍ର ଖବରକାଗଜ କରୋନା ଉପରେ ବ୍ୟାପକ ତର୍ଜମା ଓ ତଥ୍ୟ ସଂଗ୍ରହ କରୁଥିବାବେଳେ ବିହାରର ଏକ ଛୋଟ ଘଟଣା ଗଣମାଧ୍ୟମ ପାଇଁ ଏକ ଆହ୍ୱାନ ସଦୃଶ କୁହାଯାଏ \”ବଣର ମଲ୍ଲୀ ବଣରେ ଫୁଟିଥାଏ ।\’ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବିହାରର ଛାତ୍ରୀ ଜ୍ୟୋତିକୁମାରୀ ଏବେ ଏପରି ଏକ ଅତିମାନବୀୟ ତ୍ୟାଗ ଓ ନିଷ୍ଠାକୁ କାର୍ଯ୍ୟକରି ଦେଖାଇଛନ୍ତି ତାହାକୁ ଏ ସମାଜ ଭୁଲି ଯିବାର ନୁହେଁ । ବର୍ତ୍ତମାନ ଦେଶରେ ପ୍ରବାସୀ ଶ୍ରମିକମାନେ ମୁଣ୍ଡରେ ବୋଝ ବୋହି ଚାଲି ଚାଲି ଶହ ଶହ କିଲୋମିଟର ଦୀର୍ଘପଥ ଅତିକ୍ରମ କରୁଛନ୍ତି । ଏକ କିମ୍ବଦନ୍ତୀୟ ଆକାର ଧାରଣ କରୁଥିବାବେଳେ ଜ୍ୟୋତିକୁମାରୀଙ୍କ ସାଫଲ୍ୟ ଓ କୀର୍ତ୍ତି ସେଥିରେ ଆଉ ଏକ ପୃଷ୍ଠା ଯୋଡ଼ି ଦେଇଛି । ପାଠକଙ୍କୁ ଏଠାରେ ସମସ୍ତ ଘଟଣା ପ୍ରବାହ ସୂଚୀତ କରୁଛି । ଲକ୍ଡାଉନ୍ ପାଇଁ ଗୁରୁଗ୍ରାମରେ ତାଲାବନ୍ଦୀ ନିୟମରେ ଫସି ଯାଇଥିବା ଅସୁସ୍ଥ ପିତାଙ୍କୁ ସାଇକେଲ କ୍ୟାରିଏଲରେ ବସାଇ ସାତ ଦିନରେ ପ୍ରାୟ ବାରଶହ କିଲୋମିଟର ଅତିକ୍ରମ କରି ପରିଶେଷରେ ନିଜ ଘରକୁ ଫେରିପାରିଛନ୍ତି । ଜ୍ୟୋତିକୁମାରୀଙ୍କ ଏହି ତ୍ୟାଗ ଓ ଉପଲବ୍ଧି ଆମ ବର୍ତ୍ତମାନ ସମୟର ବିଶେଷକରି ଛାତ୍ରୀ ଓ କିଶୋରୀ ମାନଙ୍କ ପାଇଁ ଏକ ବଡ଼ ପ୍ରସଙ୍ଗ ସୃଷ୍ଟିକଲା ।
ଜ୍ୟୋତିକୁମାରୀଙ୍କ ଏହି ଉପଲବ୍ଧି କୌଣସି ଖବରକାଗଜ ବା ଗଣମାଧ୍ୟମ ସାମ୍ନାକୁ ଯାଇନାହିଁ । ପିତୃ ସେବାକୁ ସବୁକିଛି ଜୀବନର ଶ୍ରେଷ୍ଠ କର୍ତ୍ତବ୍ୟ ଓ ଧର୍ମ ମାନୁଥିବାରୁ ସେ ନିଜକୁ ବିଜ୍ଞପିତ କରିବା ପାଇଁ ପଇସାଟିଏ ବି ଚିନ୍ତା କରିନାହାନ୍ତି । ଜ୍ୟୋତିକୁମାରୀଙ୍କ ଏହି ସାଫଲ୍ୟକୁ ଦେଖି ବାହା ବାହା ଦେଇ ତାଳି ବଜାଇବାକୁ କୌଣସି ଦର୍ଶକ ଉପସ୍ଥିତ ନଥିଲେ ମଧ୍ୟ ପ୍ରତିଯୋଗିତା ମୂଳକ ସାଇକେଲ ଚାଳନା ଭଳି କ୍ରୀଡ଼ା ଶୃଙ୍ଖଳାର ତତ୍ତ୍ୱାବଧାରକ \”ସାଇକେଲ ଫେଡେରେସନ ଅଫ୍ ଇଣ୍ଡିଆ\’ ନଜରରୁ ସେ ବାଦ ପଡ଼ିନାହାନ୍ତି । ଜ୍ୟୋତିକୁମାରୀଙ୍କ କ୍ରମାଗତ ବାରଶହ କିଲୋମିଟର ଆଗ୍ରହ ଓ ସାମର୍ଥ୍ୟକୁ ଲକ୍ଷ୍ୟ କରି ପ୍ରତିଯୋଗିତାମୂଳକ ସାଇକେଲ ଚାଳନା ଲାଗି ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ଏହି ଅନୁଷ୍ଠାନ କରିବ ବୋଲି ନିଜ ଆଡ଼ୁ ଆଗ୍ରହ ଦେଖାଇଛନ୍ତି । ପ୍ରାରମ୍ଭିକ ପରୀକ୍ଷାରେ ସଫଳତା ପାଇଲେ ଜ୍ୟୋତିକୁମାରୀ \”ନ୍ୟାସନାଲ ସାଇକେଲ ଏକାଡ଼େମୀ\’ରେ ଉପଲବ୍ଧ ସୁବିଧା ସୁଯୋଗ ଓ ପ୍ରଶିକ୍ଷଣର ସ୍ତର ଏସିଆ ମହାଦେଶରେ ସର୍ବୋତ୍ତମ । ଭଗବାନ କରନ୍ତୁ ଯଦି ସେଠାରେ ପ୍ରଶିକ୍ଷଣ ଲାଭ କରି ଯୋଗ୍ୟ ହୁଅନ୍ତି ତେବେ ଜ୍ୟୋତିକୁମାରୀ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ସାଇକେଲ ଚାଳନା ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ଲାଭ କରିବେ । ତେବେ ଆଉ ଗୋଟିଏ କଥା ହେଉଛି ପ୍ରତିଯୋଗିତାରେ ସଫଳତା ଯଦି ନମିଳେ ତେବେ ମଧ୍ୟ ଜ୍ୟୋତିକୁମାରୀଙ୍କ ଲାଗି ଅବଶୋଷର କାରଣ ନାହିଁ । କାରଣ ତାଙ୍କର ଏଭଳି ଅଲୌକିକ ସାମର୍ଥ୍ୟ ପ୍ରତିପାଦନ ତାଙ୍କ ଆତ୍ମ ପ୍ରତ୍ୟୟକୁ ନଭଶ୍ଚୁମ୍ବୀ କରିଥିବ ଓ ଏହି ଅନୁଭୂତି ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିବ ଏହା ତାଙ୍କୁ ହୁଏତ କେବେ କୌଣସି ପରାଜୟ ସ୍ୱୀକାର କରିବାକୁ ନଦେଇପାରେ । କରୋନାର ଭୟାବହତା ଭିତରେ ଜ୍ୟୋତିକୁମାରୀଙ୍କ ପିତୃମାତୃ ସେବା ଆମ ସମୟର ମହିଳା ମାନଙ୍କ ପାଇଁ ଏକ ପ୍ରେରଣା ଉତ୍ସ । କଥାରେ ଅଛି ପଙ୍କରୁ ପଦ୍ମ ଫୁଟେ ତେଣୁ ଅଭାବ, ଦୁଃଖ, ଯନ୍ତ୍ରଣା ସେହି ପଙ୍କରୁ ପଦ୍ମ ପରି ଜ୍ୟୋତିକୁମାରୀ ଆୟୁଷ୍ମତୀ ହୁଅନ୍ତୁ । ଛୋଟପିଲା ହୋଇଥିଲେ ମଧ୍ୟ ତାଙ୍କ ତ୍ୟାଗ ଓ ନିଷ୍ଠାକୁ ଏହି ଲେଖିକା ଆଶୀର୍ବାଦ କରୁଛି ।
ଶୋଭନୀୟ ଆନ୍ଦୋଳନ
ଭୁବନେଶ୍ୱର
ଦୂରଭାଷ : ୯୯୩୭୧୭୨୮୧୦
