୧୫ ହଜାର ଲିଟର ବିଦେଶୀ ମଦ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ

ଖୋର୍ଦ୍ଧା : ୧୩/୦୬(ପ୍ରବାହ ନିଉଜ୍) ଖୋର୍ଦ୍ଧାରୁ ନୟାଗଡ଼କୁ ଚୋରା ମଦ ଚାଲାଣ ବେଳେ ୧୫ ହଜାର ଲିଟର ବିଦେଶୀ ମଦ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଖୋର୍ଦ୍ଧା ଟାଉନ ଥାନା ପୋଲିସ ।

ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଟାଉନ ଥାନା ଉପ-ଅଧିକାରୀ ପଦ୍ମଲୋଚନ ବେହେରାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଖୋର୍ଦ୍ଧା ପୁରୁଣା ବସଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପ ଅଞ୍ଚଳରେ ଚଢ଼ାଉ କରି ଦୁଇଜଣ ଚୋରା ବିଦେଶୀ ମଦ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ସମୁଦାୟ ୧୪.୫୬୦ ଲିଟର ଦେଶୀ ମଦ ପୋଲିସ ଜବତ କରିଛି। ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନୟାଗଡ଼ ଥାନା ଅନ୍ତର୍ଗତ ଗଣିଆ ଅଞ୍ଚଳର ଲୁଲୁ ବେହେରା(୩୫) ହୋଇଥିବା ବେଳେ ଅନ୍ୟ ଜଣକ ଇଟାମାଟି ଥାନା ଅଧୀନ ବିରୁଡ଼ା ଗ୍ରାମର ସୁବଳ ବେହେରା(୨୫) ବୋଲି ଜଣାପଡ଼ିଛି ।

ଅଭିଯୁକ୍ତମାନେ ସଟଡ଼ାଉନର ସୁଯୋଗ ନେଇ ଅବାଧ ଭାବେ ଚୋରା ମଦ କାରବାରରେ ଲିପ୍ତ ଥିଲେ ବୋଲି ଜଣା ପଡିଥିବା ବେଳେ ସେମାନଙ୍କ ବିରୋଧରେ ଟାଉନ ଥାନା ପୋଲିସ ଅବକାରୀ ଧାରା ଅନୁଯାୟୀ କେସ ନମ୍ବର ୨୩୪ ରେ ମାମଲା ରୁଜ୍ଜୁ କରି ଆଜି କୋର୍ଟ ଚାଲାଣ କରିଥିବାର ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।