ଭାରତର ପ୍ରଥମ ୟୁଟିଲିଟି ଭାବେ ଡିଜିପିନ୍ କୁ ଆପଣାଇଲା ଟିପିସିଓଡିଏଲ, ଉପଭୋକ୍ତାଙ୍କୁ ମିଳିବ ବିଶ୍ୱସନୀୟ ଓ ଅତ୍ୟାଧୁନିକ ସେବା
ଭୁବନେଶ୍ୱର, ୩୧ ମାର୍ଚ୍ଚ, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ଭାରତର ପ୍ରଥମ ପାୱାର ୟୁଟିଲିଟି ଭାବେ ଡିଜିପିନ୍ ବ୍ୟବସ୍ଥାକୁ ଆପଣାଇଛି । ଦେଶର ଏହି ଅତ୍ୟାଧୁନିକ ଡିଜିଟାଲ୍ ଆଡ୍ରେସିଂ ସିଷ୍ଟମକୁ ଗ୍ରହଣ କରି ଟିପିସିଓଡିଏଲ୍ ବିଦ୍ୟୁତ ବିତରଣ କ୍ଷେତ୍ରରେ ଡିଜିଟାଲ୍ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର (ଡିପିଆଇ) ର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି ।
ଭାରତୀୟ ଡାକ ବିଭାଗ, ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଆଇଆଇଟି ହାଇଦ୍ରାବାଦର ମିଳିତ ସହଯୋଗରେ ବିକଶିତ ଏହି ଡିଜିପିନ୍, ଜଟିଳ ଲାଟିଚ୍ୟୁଡ୍-ଲଙ୍ଗିଚ୍ୟୁଡ୍ ସ୍ଥାନାଙ୍କ ବଦଳରେ ଏକ ସରଳ ୧୦ ଅଙ୍କ ବିଶିଷ୍ଟ ଆଲଫାନିୟୁମେରିକ କୋଡ୍ ବ୍ୟବହାର କରେ । ଏହି ନୂତନ ବ୍ୟବସ୍ଥା ଦ୍ୱାରା ଅତି ସଠିକ ଏବଂ ସହଜ ଭାବେ ସ୍ଥାନ ଚିହ୍ନଟ କରାଯାଇପାରିବ; ଯାହାକି ସ୍ୱଳ୍ପ କନେକ୍ଟିଭିଟି ଥିବା ଅଞ୍ଚଳରେ ମଧ୍ୟ କାର୍ଯ୍ୟକ୍ଷମ ହେବ ଏବଂ ଶାସନ ବ୍ୟବସ୍ଥା ଓ ସେବା ପ୍ରଦାନ କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିବ ।
ଆଧାର ଭିତ୍ତିକ ଯାଞ୍ଚ ଏବଂ ସହଜ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଭଳି ନିଜର ଶକ୍ତିଶାଳୀ ଡିଜିଟାଲ୍ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରି, ଟିପିସିଓଡିଏଲ ଏବେ ନିଜର ଏଣ୍ଟରପ୍ରାଇଜ୍ ଜିଓଗ୍ରାଫିକ୍ ଇନଫର୍ମେସନ୍ ସିଷ୍ଟମ୍ (ଜିଆଇଏସ୍) ବ୍ୟବସ୍ଥାରେ ଡିଜିପିନ୍ କୁ ସାମିଲ କରିଛି । ଏହା ମାଧ୍ୟମରେ କମ୍ପାନୀର ପ୍ରତ୍ୟେକ ବୈଦ୍ୟୁତିକ ସମ୍ପତ୍ତି କୁ ଏକ ସ୍ୱତନ୍ତ୍ର ଡିଜିଟାଲ୍ ଠିକଣା ପ୍ରଦାନ କରାଯାଉଛି । ଏହି ନୂତନ ସଂଯୋଗୀକରଣ ଦ୍ୱାରା ନେଟୱାର୍କର ସ୍ଥିତି ସ୍ପଷ୍ଟ ଭାବେ ଜଣାପଡ଼ିବ, ଫିଲ୍ଡ କାର୍ଯ୍ୟ ଗୁଡ଼ିକ ସରଳ ହେବ ଏବଂ ରକ୍ଷଣାବେକ୍ଷଣ ତଥା ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେଲେ ଅତି କମ୍ ସମୟ ମଧ୍ୟରେ ସେବା ଯୋଗାଇ ଦିଆଯାଇପାରିବ ।
ଏହି ସଫଳତା ସମ୍ପର୍କରେ ସୂଚନା ଦେଇ ଟିପିସିଓଡିଏଲ ର ସିଇଓ ଶ୍ରୀ ଅରଭିନ୍ଦ ସିଂହ କହିଛନ୍ତି ଯେ, “ଡିଜିଟାଲ୍ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର ହେଉଛି ଆଧୁନିକ ଶାସନ ବ୍ୟବସ୍ଥାର ମୁଖ୍ୟ ଆଧାର, ଯାହା ସମସ୍ତଙ୍କୁ ଅତି ଦକ୍ଷତାର ସହ ଅତ୍ୟାବଶ୍ୟକ ସେବା ଯୋଗାଇବାରେ ସାହାଯ୍ୟ କରେ । ଭାରତ ସରକାରଙ୍କ ଡିଜିଟାଲ୍ ସଶକ୍ତିକରଣ ପରିକଳ୍ପନାକୁ ସଫଳ କରିବା ପାଇଁ ଟିପିସିଓଡିଏଲ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଡିଜିପିନ୍ କୁ ଆପଣାଇବା ଆମ ପାଇଁ ଏକ ରଣନୈତିକ ପଦକ୍ଷେପ, ଯାହା ଆମର ଡିଜିଟାଲ୍ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବ । ଏହା ଦ୍ୱାରା ଆମେ ନ୍ୟାସନାଲ ଆଡ୍ରେସିଂ ଗ୍ରିଡ୍ ସହ ସାମିଲ ହୋଇପାରିବୁ ଏବଂ ତଥ୍ୟ ଭିତ୍ତିକ ନିଷ୍ପତ୍ତି ଗ୍ରହଣ କରି ଉପଭୋକ୍ତାମାନଙ୍କୁ ବିଶ୍ୱସନୀୟ ଓ ଉନ୍ନତ ସେବା ପ୍ରଦାନ କରିବୁ ।”
ଡିଜିପିନ୍ ର ପ୍ରଚଳନ ଦ୍ୱାରା ଉଭୟ ପରିଚାଳନା କ୍ଷେତ୍ରରେ ଏବଂ ଉପଭୋକ୍ତାଙ୍କ ପାଇଁ ଅନେକ ସୁବିଧା ମିଳିପାରିବ । ଫିଲ୍ଡ ଟିମ୍ ଗୁଡ଼ିକ ପାଇଁ ଏହା ବିଦ୍ୟୁତ ସମ୍ପତ୍ତିର ସଠିକ ଚିହ୍ନଟ ଏବଂ ନେଭିଗେସନ୍କୁ ସୁନିଶ୍ଚିତ କରିବ, ଯାହାକି ଇଣ୍ଟରନେଟ୍ ନଥିବା ସ୍ଥାନରେ ମଧ୍ୟ କାମ କରିବ । ଏହାଦ୍ୱାରା କାମରେ ଦକ୍ଷତା ଏବଂ କର୍ମଚାରୀଙ୍କ ସୁରକ୍ଷା ବୃଦ୍ଧି ପାଇବ । ଅନ୍ୟପକ୍ଷରେ, ଉପଭୋକ୍ତାମାନେ ସରକାରୀ ପ୍ଲାଟଫର୍ମ ମାଧ୍ୟମରେ ନିଜର ସଠିକ ଲୋକେସନ୍ ସେୟାର କରିପାରିବେ, ଯାହା ଫଳରେ ସେମାନଙ୍କୁ ଅତି ଶୀଘ୍ର ବିଦ୍ୟୁତ ସେବା ଯୋଗାଇ ଦିଆଯିବା ସହ ଅଭିଯୋଗର ତ୍ୱରିତ ସମାଧାନ କରାଯାଇପାରିବ ।
ମୁଖ୍ୟ ବିଶେଷତ୍ୱ :
- ପ୍ରିସିସନ ମ୍ୟାପିଂ: ୨୯,୩୫୪ ବର୍ଗ କିଲୋମିଟର ପରିଧି ମଧ୍ୟରେ ଥିବା ପ୍ରତ୍ୟେକ ୪ ମିଟର ରେ ୪ ମିଟର ଗ୍ରୀଡ ପାଇଁ ଏକ ସ୍ୱତନ୍ତ୍ର ଡିଜିପିନ୍ ପ୍ରଦାନ କରାଯାଇଛି ।
- ଅଫଲାଇନ୍ ସୁବିଧା : ଏହି ବ୍ୟବସ୍ଥା ଇଣ୍ଟରନେଟ୍ ବିନା ମଧ୍ୟ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ, ଯାହା ଫଳରେ ଦୁର୍ଗମ ଅଞ୍ଚଳରେ ଫିଲ୍ଡ କାର୍ଯ୍ୟ ସହଜରେ ହୋଇପାରିବ ।
- ବଡ଼ ପରିମାଣର ସଂଯୋଗୀକରଣ : କମ୍ପାନୀର ୯୩,୦୦୦ରୁ ଅଧିକ ଟ୍ରାନ୍ସଫର୍ମର, ୧,୫୦୦ରୁ ଅଧିକ ଆରଏମୟୁ ଏବଂ ୧୯ ଲକ୍ଷ ବିଦ୍ୟୁତ ଖୁଣ୍ଟକୁ ଡିଜିପିନ୍ କୋଡ୍ ମାଧ୍ୟମରେ ଡିଜିଟାଲ୍ ମ୍ୟାପିଂ କରାଯାଇଛି ।
- ଉନ୍ନତ ଉପଭୋକ୍ତା ଅନୁଭୂତି : ବିଭିନ୍ନ ସରକାରୀ ଆପ୍ଲିକେସନ୍ ମାଧ୍ୟମରେ ଉପଭୋକ୍ତାମାନେ ନିଜର ସଠିକ ଲୋକେସନ୍ ସେୟାର କରିପାରିବେ ।
ନିଜର ଏଣ୍ଟରପ୍ରାଇଜ୍ ଜିଆଇଏସ୍ ପ୍ଲାଟଫର୍ମ ସହିତ ନ୍ୟାସନାଲ ଆଡ୍ରେସିଂ ଗ୍ରିଡ୍ କୁ ସମନ୍ୱିତ କରି ଟିପିସିଓଡିଏଲ ୟୁଟିଲିଟି ଅପରେସନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି ।
ଏହି ଅଭିନବ ପଦକ୍ଷେପ କମ୍ପାନୀର ନବସୃଜନ, ପରିଚାଳନାଗତ ଦକ୍ଷତା ଏବଂ ଉପଭୋକ୍ତାମାନଙ୍କୁ ଏକ ଭରସାଯୋଗ୍ୟ ତଥା ଭବିଷ୍ୟତ ପାଇଁ ପ୍ରସ୍ତୁତ ବିଦ୍ୟୁତ ସେବା ଯୋଗାଇବା ପାଇଁ ଥିବା ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରିଛି ।
