ବିଶ୍ୱ ଅଟିଜିମ୍ ସଚେତନତା ଦିବସ: ଅନ୍ତର୍ଭୁକ୍ତିକରଣର ବାର୍ତ୍ତା ଦେଇ ନୀଳ ଆଲୋକରେ ଝଲସିଲା ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍‌ଗୁଡ଼ିକର କାର୍ଯ୍ୟାଳୟ

0
1893088-tatapower

ଭୁବନେଶ୍ୱର, ୩ ଏପ୍ରିଲ, ୨୦୨୬: ଅନ୍ତର୍ଭୁକ୍ତିକରଣ ଏବଂ ନ୍ୟୁରୋଡାଇଭରସିଟି ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି, ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଚାରୋଟି ଡିସକମ୍ – ଟିପିସିଓଡିଏଲ୍‌, ଟିପିଏସ୍‌ଓଡିଏଲ୍‌, ଟିପିଏନ୍‌ଓଡିଏଲ୍ ଏବଂ ଟିପିଡବ୍ଲୁଓଡିଏଲ୍ – ଅପ୍ରେଲ ୨ ତାରିଖରେ ବିଶ୍ୱ ଅଟିଜିମ୍ ସଚେତନତା ଦିବସ ପାଳନ ଅବସରରେ ନିଜ ନିଜ କାର୍ଯ୍ୟାଳୟଗୁଡ଼ିକୁ ନୀଳ ଆଲୋକରେ ଆଲୋକିତ କରିଥିଲେ । ଅଟିଜିମ୍ ସ୍ପେକ୍ଟ୍ରମରେ ଥିବା ବ୍ୟକ୍ତିବିଶେଷ ଏବଂ ସେମାନଙ୍କ ପରିବାର ପ୍ରତି ଏକତା ପ୍ରଦର୍ଶନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା ।


ଅଟିଜିମ୍ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଟାଟା ପାୱାରର ସର୍ବଭାରତୀୟ ଅଭିଯାନର ଏକ ଅଂଶସ୍ୱରୂପ ଓଡ଼ିଶାର ପ୍ରମୁଖ କାର୍ଯ୍ୟାଳୟଗୁଡ଼ିକୁ ନୀଳ ରଙ୍ଗର ଆଲୋକରେ ସଜ୍ଜିତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ନୀଳ ରଙ୍ଗ ହେଉଛି ଅଟିଜିମ୍ ପ୍ରତି ସଚେତନତା, ସ୍ୱୀକୃତି ଏବଂ ସମର୍ଥନର ବିଶ୍ୱସ୍ତରୀୟ ପ୍ରତୀକ । ଏହି ସାଙ୍କେତିକ ପ୍ରୟାସର ଉଦ୍ଦେଶ୍ୟ ଥିଲା ନ୍ୟୁରୋଡାଇଭରସିଟି ବିଷୟରେ ଚର୍ଚ୍ଚା ଆରମ୍ଭ କରିବା ଏବଂ ସଂସ୍ଥାର ପରିଚାଳନାକ୍ଷେତ୍ର ମଧ୍ୟରେ ଏକ ସମ୍ବେଦନଶୀଳ ଓ ଅନ୍ତର୍ଭୁକ୍ତିକରଣ ଭିତ୍ତିକ ବାତାବରଣ ଗଠନ କରିବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇବା ।


ଓଡ଼ିଶାରେ ନିଆଯାଇଥିବା ଏହି ପଦକ୍ଷେପ, ପରିଚାଳନାଗତ ଦକ୍ଷତା ସହିତ ସାମାଜିକ ପ୍ରଭାବ ସୃଷ୍ଟି କରିବା ପାଇଁ ଟାଟା ପାୱାରର ଯେଉଁ ବ୍ୟାପକ ଆଭିମୁଖ୍ୟ ରହିଛି, ତାହାର ଏକ ଅଂଶ ଅଟେ । କମ୍ପାନୀ ନିଜର ବିତରଣ ସଂସ୍ଥାଗୁଡ଼ିକ ମାଧ୍ୟମରେ ଉପଭୋକ୍ତାମାନଙ୍କ ପାଖରେ ପହଞ୍ଚିବା ସହ ଗୋଷ୍ଠୀ ସହଭାଗିତା ଏବଂ ସଚେତନତା ବୃଦ୍ଧିକୁ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛି । ଏହାଦ୍ୱାରା ସାମାଜିକ ଦାୟିତ୍ୱବୋଧ କମ୍ପାନୀର ଦୈନନ୍ଦିନ ପରିଚାଳନା ଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ।
ନ୍ୟୁରୋଡାଇଭରସିଟି ସମ୍ପର୍କରେ ସଚେତନତା ପ୍ରସାର କରିବାରେ ଟାଟା ପାୱାର ସବୁବେଳେ ଆଗଧାଡ଼ିରେ ରହିଛି । ଏହି କ୍ରମରେ କମ୍ପାନୀର ପ୍ରମୁଖ ଅଭିଯାନ ‘ପେ ଅଟେନସନ’ ହେଉଛି ଭାରତର ପ୍ରଥମ ‘ଫିଜିଟାଲ୍‌’ ଅଟିଜିମ୍ ସହାୟତା ନେଟୱାର୍କ । ଏହା ବିଶେଷ କରି ସେମାନଙ୍କ ଯତ୍ନ ନେଉଥିବା ବ୍ୟକ୍ତି, ଶିକ୍ଷାବିତ୍ ଏବଂ ସମାଜକୁ ଅଟିଜିମ୍‌ର ପ୍ରାଥମିକ ଚିହ୍ନଟ, ଉପଯୁକ୍ତ ହସ୍ତକ୍ଷେପ ଏବଂ ସମର୍ଥନ ପାଇଁ ଆବଶ୍ୟକୀୟ ଜ୍ଞାନକୌଶଳ ମାଧ୍ୟମରେ ସଶକ୍ତ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ବିଭିନ୍ନ ସହଭାଗୀ ଏବଂ ସମ୍ବଳଗୁଡ଼ିକୁ ଏକତ୍ରିତ କରି ଏହି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହ ସମସ୍ତଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରୁଛି ।


ଏହି ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ‘ଇ-ସାନିଧ୍ୟ\’ ପୋର୍ଟାଲ । ଏହି ଡିଜିଟାଲ ପ୍ଲାଟଫର୍ମ ବିଭିନ୍ନ ଅଞ୍ଚଳରେ ଥିବା ସେବା ପ୍ରଦାନକାରୀ ଓ ପରିବାରଗୁଡ଼ିକୁ ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ ସମ୍ବଳ, ରିମୋଟ ସ୍କ୍ରିନିଂ, ପରାମର୍ଶର ମାଗଣା ସୁବିଧା ଯୋଗାଇଥାଏ । ଏହି ପୋର୍ଟାଲ ଅଟିଜିମ୍‌ର ଶୀଘ୍ର ଚିହ୍ନଟ ଓ ନିଦାନରେ ସହାୟକ ହେବା ସହ ବିଶେଷ କରି ଦୂରଦୂରାନ୍ତ ଓ ଅବହେଳିତ ଅଞ୍ଚଳରେ ଉପଯୁକ୍ତ ଚିକିତ୍ସା ସେବା ପହଞ୍ଚାଇବା କ୍ଷେତ୍ରରେ ଥିବା ବଡ଼ ବ୍ୟବଧାନକୁ ଦୂର କରିପାରିଛି ।
ଏହି ସହାୟତା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା ପାଇଁ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ପକ୍ଷରୁ ଏକ ସ୍ୱତନ୍ତ୍ର ଅଟିଜିମ୍ ହେଲ୍ପଲାଇନ ନମ୍ବର (୧୮୦୦ ୨୦୯୯ ୪୮୮) କାର୍ଯ୍ୟ କରୁଛି । ଏହି ଟୋଲ୍‌-ଫ୍ରି ନମ୍ବର ମାଧ୍ୟମରେ ଅଭିଭାବକ, ସେବା ପ୍ରଦାନକାରୀ, ଶିକ୍ଷକ ଏବଂ ସାମାଜିକ କର୍ମୀମାନଙ୍କୁ ବିଶେଷଜ୍ଞଙ୍କ ଦ୍ୱାରା ବୃତ୍ତିଗତ ପରାମର୍ଶ ଓ ସହାୟତା ଯୋଗାଇ ଦିଆଯାଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ପାଇଁ ଉପଯୁକ୍ତ ସମୟରେ ସହଜରେ ସହାୟତା ପହଞ୍ଚାଇବା ଏବଂ ଏକ ଅନ୍ତର୍ଭୁକ୍ତିକରଣ ସମାଜ ଗଠନ କରିବା ।


ଏହି ଆଲୋକିକରଣ କାର୍ଯ୍ୟକ୍ରମ ଅଟିଜିମ୍ ସଚେତନତା ମାସର ଏକ ଅଂଶ ଭାବରେ ଯୋଜନା କରାଯାଇଥିବା ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଏହି କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ କର୍ମଚାରୀମାନଙ୍କ ପାଇଁ ଆଭ୍ୟନ୍ତରୀଣ ସମ୍ବେଦନଶୀଳତା ପ୍ରଶିକ୍ଷଣ, ସ୍ୱେଚ୍ଛାସେବୀ ଅଭିଯାନ ଏବଂ ସାମୂହିକ ଜନସଚେତନତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କ ମଧ୍ୟରେ ଅଟିଜିମ୍ ବିଷୟରେ ବୁଝାମଣା ବୃଦ୍ଧି କରିବା ଏବଂ ତୃଣମୂଳ ସ୍ତରରେ ଏକ ସହାନୁଭୂତିପୂର୍ଣ୍ଣ ତଥା ସମାବେଶୀ ସାମାଜିକ ବ୍ୟବହାରକୁ ପ୍ରୋତ୍ସାହିତ କରିବା ।


ବିଶ୍ୱସନୀୟ ସେବା ପ୍ରଦାନ ଏବଂ ଗୋଷ୍ଠୀ ସହଭାଗିତା କ୍ଷେତ୍ରରେ ନିରନ୍ତର ଉନ୍ନତି ମାଧ୍ୟମରେ ଓଡ଼ିଶା ଆଜି ଗ୍ରାହକ-କେନ୍ଦ୍ରିତ ବିଦ୍ୟୁତ ବିତରଣର ମଡେଲ ଭାବରେ ଉଭା ହୋଇଛି; ଏହି ପରିପ୍ରେକ୍ଷୀରେ, ଓଡ଼ିଶା ଡିସକମ୍‌ଗୁଡ଼ିକ କେବଳ ବିଦ୍ୟୁତ ଯୋଗାଣ ମଧ୍ୟରେ ସୀମିତ ନ ରହି ନିଜର ଭୂମିକାକୁ କ୍ରମାଗତ ଭାବେ ସମ୍ପ୍ରସାରିତ କରୁଛନ୍ତି ଏବଂ ରାଜ୍ୟର ବିକାଶ ଯାତ୍ରାରେ ନିଜକୁ ଏକ ଦାୟିତ୍ୱବାନ ଏବଂ ସମାବେଶୀ ସହଭାଗୀ ଭାବରେ ପ୍ରତିଷ୍ଠିତ କରୁଛନ୍ତି ।
ଏଭଳି ଅଭିନବ ପ୍ରୟାସ ମାଧ୍ୟମରେ ଓଡ଼ିଶା ଡିସକମ୍‌ଗୁଡ଼ିକ ସମାଜରେ ସହାନୁଭୂତି, ସଚେତନତା ଏବଂ ସମାନ ସୁଯୋଗର ଏକ ନୂତନ ପରିବେଶ ସୃଷ୍ଟି କରିବା ପାଇଁ ନିଜର ସଂକଳ୍ପକୁ ପୁନର୍ବାର ଦୋହରାଇଛନ୍ତି । ଯାହା ଦ୍ୱାରା ସମାବେଶୀ ତଥା ଦୀର୍ଘସ୍ଥାୟୀ ପ୍ରଗତି ସୁନିଶ୍ଚିତ ହୋଇପାରିବ ।

Leave a Reply

Your email address will not be published. Required fields are marked *