ଢ଼ାବା ମାଲିକାଣୀ ହତ୍ୟାକାଣ୍ଡ ଘଟଣାରେ ଦୁଇ ସୁପାରୀ କିଲର ସହିତ ଚାରିଜଣ ଅଭିଯୁକ୍ତ ଗିରଫ

ନୂଆପଡା:୧୧/୦୮(ପ୍ରବାହ ନିଉଜ୍) ଖଡ଼ିଆଳ ଥାନା ଡୁଆଝର ଢ଼ାବା ମାଲିକାଣୀ ହତ୍ୟା ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ ଗତ ଜୁଲାଇ ୩୧ତାରିଖ  ରାତ୍ରୀ ୮.୩୦ ସମୟରେ ଦୁଇଜଣ ବ୍ୟକ୍ତି ବାଇକରେ ଆସି ଖାଇବାକୁ ମାଗିବା ବାହାନାରେ ଢ଼ାବା ମାଲିକାଣୀ ବାସନ୍ତୀ ମେହେରକୁ ଗୁଳି ଚଳାଇ ହତ୍ୟା କରିଥିଲେ।

ସ୍ୱାମୀ ସ୍ତ୍ରୀଙ୍କ ବ୍ୟାପାରରେ ଶାଶୁ ବାସନ୍ତୀ ଙ୍କ ହସ୍ତକ୍ଷେପକୁ ନେଇ ଲାଗି ରହିଥିବା ପାରିବାରିକ କଳହ ହେତୁ ଅସନ୍ତୁଷ୍ଟ ଥିବା ମୃତକଙ୍କ ଜ୍ୱାଇଁ ଏହି ଘଟଣାର ମୁଖ୍ୟ ସୂତ୍ରଧର ଥିଲେ ବୋଲି ଅଭିଯୋଗ ହୋଇଥିବା ବେଳେ ନିଜ ବଡଭାଇ ଓ ଜଣେ ବନ୍ଧୁଙ୍କ ସହ ମିଶି ହତ୍ୟା ଯୋଜନା କରିଥିବା ଜଣାପଡିଛି । ଏଥିପାଇଁ ବୁର୍ଲା ଅଞ୍ଚଳର ଦୁଇଜଣ ସୁପାରୀ କିଲରଙ୍କ ସହଯୋଗ  କରି ୬ ଲକ୍ଷ ଟଙ୍କାରେ ଚୁକ୍ତି କରି ପ୍ରଥମେ  ୨ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ଫୋନ ପ୍ରଦାନ କରିଥିଲେ । ହତ୍ୟା ପରେ ବାକି ଚାରିଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ହତ୍ୟା ଘଟଣାର ତଦନ୍ତ ପାଇଁ ଖଡ଼ିଆଳ ଏସଡିପିଓ ଙ୍କ ନେତୃତ୍ୱରେ ଗୋଟିଏ ଦଳ ଓ ଖଡ଼ିଆଲ ଥାନା ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଦଳ ଗଠନ କରି ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ଖଡ଼ିଆଳ ପୁଲିସ।ଅଭିଯୁକ୍ତଙ୍କ ଠାରୁ ନଗଦ ନବେ ହଜାର ଟଙ୍କା , ସିମ ସହ ଚାରିଟି ମୋବାଇଲ ଫୋନ , ଦୁଇଗୋଟି ବାଇକ ସହିତ ଗୋଟିଏ ରେନକୋଟ ଓ ଏକ ହେଲମେଟ ଜବତ କରାଯାଇଛି।

ଖଡ଼ିଆଳ ଥାନା କେଶ ନଂ- ୨୭୧/୨୧ରେ ଆଇ.ପି.ସି. ଦଫା ୩୦୨,୫୦୭,୩୪ ଓ ଅସ୍ତ୍ରଶସ୍ତ୍ର ଆଇନ ୨୫,୨୭ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ସମ୍ପର୍କରେ ଗଣମାଧ୍ୟମ କୁ ଏକ ପ୍ରେସମିଟ ରେ ସୂଚନା ଦେଇଛନ୍ତି ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର।

Leave a Reply

Your email address will not be published. Required fields are marked *