ନିଲଦୀ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳିତ

ବଡ଼ବିଲ: ବଡ଼ବିଲର ଅଗ୍ରଣୀ ଓଡ଼ିଆ ଅନୁଷ୍ଠାନ ‘ନୀଳାଦ୍ରି’ ତାର ନବମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳନ କରିଛି। ଗତ ୧୫ ତାରିଖ ମକର ସଂକ୍ରାନ୍ତି ଦିନ, ପିଏଚଡ଼ି ସ୍ଥିତ ନୀଳାଦ୍ରି କାର୍ଯ୍ୟାଳୟରେ ଏହି ଉତ୍ସବ ପାଳିତ ହୋଇଯାଇଛି। ସମାଜସେବୀ ପଦ୍ମଶ୍ରୀ ଡ଼.ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି, ବଡ଼ବିଲ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ଼.ଅସିତ କୁମାର ପ୍ରଧାନ ମୁଖ୍ୟବକ୍ତା, ପୂର୍ବତନ ପୋୖରାଧ୍ୟକ୍ଷ ଦିଲିପ ମିଶ୍ର, ଅନୁଷ୍ଠାନର ମୁଖ୍ୟଟ୍ରଷ୍ଟି ରାଜକିଶୋର ଦାଶ ପ୍ରମୁଖ ଅତିଥି ଭାବେ ମଂଚସୀନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କଦ୍ୱାରା ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।
ଅନୁଷ୍ଠାନର ସଦସ୍ୟ ସୁବୋଧ ଦାସ ମଞ୍ଚ ପରିଚାଳନା କରିବା ସହ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ବଡ଼ବିଲର ଶିଶୁ ନୃତ୍ୟଶିଳ୍ପୀ ଅଙ୍ଗନା ସାହୁ ରାଇ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ସମ୍ପାଦକ କପିଳପ୍ରସାଦ ମହାନ୍ତି ବର୍ଷିକବିବରଣୀ ପାଠ କରିଥିଲେ। ସୀମାନ୍ତ ତଥା ଉପାନ୍ତ ଅଂଚଳ ବଡ଼ବିଲ ଭଳି ଜାଗାରେ, ଯେଉଁଠାରେ ଅଣଓଡ଼ିଆଙ୍କ ସଂଖ୍ୟା ଅଧିକ, ସେଠାରେ ଏଭଳି ଏକ ଅନୁଷ୍ଠାନ ମୁଣ୍ଡଟେକି ବାରମାସରେ ତେର ପର୍ବ ପାଳନ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ବର୍ଷ ତମାମ କରିଆସୁଥିବାରୁ ଅତିଥି ପ୍ରମୁଖ ଅନୁଷ୍ଠାନର ଭୁୟୀୟସୀ ପ୍ରସଂଶା କରିଥିଲେ।
ଏହି ଅବସରରେ ପ୍ରତିବର୍ଷ ପରି ଏବର୍ଷ ବାର୍ଷିକ ଉତ୍ସବରେ, କଣ୍ଢେଇ ନାଚ କରି ଜିଲ୍ଲା, ଜିଲ୍ଲାବାହରେ ତଥା ଦେଶ ବାହାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କେନ୍ଦୁଝର ଜିଲ୍ଲା, ପୁରୁଣାବଜାରର ପଦ୍ମଶ୍ରୀ ମାଗୁଣୀ କୁଅଁରଙ୍କୁ ନିଳାଦ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଭାକାର୍ଯ୍ୟ ପରେ ଅନୁଷ୍ଠାନର ସଭାପତି ଶାନ୍ତନୁ କୁମାର ଦାଶ ସଂକ୍ଷିପ୍ତ ଅଭିଭାଷଣ ରଖି ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ସୁଦୂର ଭୁବନେଶ୍ୱରରୁ ଆସିଥିବା ‘ମଲ୍ଲାର ସାଂସ୍କୃତିକ ଅନୁଷ୍ଠାନ’ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା। କେବଳ ଓଡ଼ିଆର ପୁରୁଣା ଓ ନୂଆ ଗୀତରେ ଝୁମିଥିଲେ ଦର୍ଶକ। ଅନୁଷ୍ଠାନର ଟ୍ରଷ୍ଟି ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବିଶ୍ୱନାଥ ରଣା, କୀର୍ତ୍ତନ ବାରିକ, ପ୍ରମୋଦାନନ୍ଦ କର, ପରିଚାଳନା ପରିଷଦର ସଦସ୍ୟ ବଳରାମ ମହାନ୍ତି, ଚିତ୍ରସେନ ସ୍ୱାଇଁ, କବିନ୍ଦ୍ର ରଥ, ରାଜେନ୍ଦ୍ର ପରିଡା, ମନୋଜ ମହାନ୍ତି, ସଦସ୍ୟ ନିମାନନ୍ଦ ପ୍ରଧାନ,ଦେବପ୍ରିୟ ରଣା, ସୁବୋଧ ଦାସ, ଚିତ୍ତରଞ୍ଜନ କର, ପ୍ରତାପ ମହାରଣା, ରଘୁନାଥ ସାହୁ, ଦେବକାନ୍ତ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।