ସହାନୁଭୂତି ଓ କରୁଣା ମାନବିକ ଅଧିକାରର ସମ୍ପୂର୍ଣ୍ଣ ଢାଞ୍ଚାର ମୂଳଦୁଆ: ଜାତୀୟ ମାନବାଧିକାର ଆୟୋଗ ମହାସଚିବ

0
WhatsApp Image 2026-03-14 at 12.39.21 PM

ଭୁବନେଶ୍ୱର, ୧୪ ।୩: ଜୀବନକୁ ପରିବର୍ତ୍ତନ କରିବା ଓ ଏକ ନ୍ୟାୟପୂର୍ଣ୍ଣ ତଥା ଅନ୍ତର୍ଭୂକ୍ତ ସମାଜ ଗଠନ ପାଇଁ ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ବୋଲି ଜାତୀୟ ମାନବାଧିକାର ଆୟୋଗ ମହାସଚିବ ଭରତ ଲାଲ କହିଛନ୍ତି। ଶନିବାର କିଟ୍‍ ଓ କିସ୍‍ ଗସ୍ତ ଅବସରରେ ଶ୍ରୀ ଲାଲ ଏହା ପ୍ରକାଶ କରିଛନ୍ତି। କିସ୍ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଶ୍ରୀ ଲାଲ କହିଲେ, ନିଜ ଜୀବନ ଏବଂ କ୍ୟାରିୟର ଗଠନରେ ଶିକ୍ଷା ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। କେବଳ ଶିକ୍ଷା ପାଇଁ ମୁଁ ଆଜି ଏହି ସ୍ଥିତିରେ ପହଞ୍ଚିପାରିଛି । ଶିକ୍ଷା ବିନା ଜଣେ ଜୀବନରେ ବିଶେଷ ଅଧିକ କିଛି ହାସଲ କରିପାରିବ ନାହିଁ ବୋଲି ସେ କହିଥିଲେ।

କିଟ୍‍ ଓ କିସ୍‍ ପରିଦର୍ଶନ କରି ସେ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରି କହିଲେ ମୁଁ କିଟ୍‍ ଓ କିସ୍‍‍ ବିଷୟରେ ଜାଣିବାକୁ ଏଠାକୁ ଆସିଥିଲି। ଶୃଙ୍ଖଳା, ଆଚରଣ, ସଂସ୍କୃତି ଓ ଚିନ୍ତାଧାରାକୁ ଶିକ୍ଷା ଆକୃଷ୍ଟ କରେ। ଶିକ୍ଷାର ଯଥେଷ୍ଟ ଗୁରୁତ୍ୱ ରହିଛି। ଶିକ୍ଷା ପାଇଁ ଉପଯୁକ୍ତ ସମୟ ଥାଏ, ସେହି ସମୟରେ ଶିକ୍ଷା ଗ୍ରହଣ କରିବା ଉଚିତ। ନିଜେ ଶିକ୍ଷା ଗ୍ରହଣ କରିବା ସହ ଅନ୍ୟକୁ ଶିକ୍ଷା ଲାଭରେ ସହଯୋଗ କରିବା ଉଚିତ। କିସରେ ଶ୍ରୀ ଲାଲ୍ ଛାତ୍ରଛାତ୍ରୀଙ୍କୁ ଚରିତ୍ର ଗଠନ ଓ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଉତ୍ସାହିତ କରିଥିଲେ। ସେ କହିଲେ, ମାନବିକ ଅଧିକାର ମୂଳତଃ ସାମାଜିକ କୁସଂସ୍କାର ହଟାଇବା, ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସମ୍ମାନ ଓ ସମାନତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଥାଏ।

ପରେ ଶ୍ରୀ ଲାଲ କିଟ୍‍ ବିଶ୍ୱବିଦ୍ୟାଳୟରେ କିଟ୍‍ ନଲେଜ ଟ୍ରି ବକ୍ତୃତାମାଳା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ସେ ବ୍ୟକ୍ତିର ସଂସ୍କୃତି, ଆଚରଣ ଓ ଚିନ୍ତାକରିବା ଶକ୍ତିକୁ ଶିକ୍ଷା କିଭଳି ନୂତନ ରୂପ ଦେଇଥାଏ ତା ଉପରେ ଆଲୋକପାତ କରିଥିଲେ। ସହାନୁଭୂତି ଓ କରୁଣା ମାନବାଧିକାରର ସଂପୂର୍ଣ୍ଣ ଢାଞ୍ଚାର ମୂଳ ଓ ମାନବାଧିକାରର ସୁରକ୍ଷା ଆମର ଡିଏନଏରେ ଅଛି। ଏଥିପାଇଁ ସେ ଯୁବ ପିଢିକୁ ମାନବାଧିକାରର ରକ୍ଷକ ହେବା ସହ ସମସ୍ତଙ୍କ ପାଇଁ ସମାନତା ଓ ସମ୍ମାନର ମୂଲ୍ୟବୋଧକୁ ନିଶ୍ଚିତ କରିବାକୁ ଆହ୍ୱାନ ଦେଇଥିଲେ।

ବର୍ତ୍ତମାନ ଦେଖାଯାଉଥିବା ସମସ୍ୟା ଉପରେ ଆଲୋକପାତ କରି ସେ କହିଲେ, ମାନବିକ ଅଧିକାର ଓ ଶ୍ରମିକ କଲ୍ୟାଣ ସହ  ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଯୋଡ଼ିହୋଇ ରହିଛି। ଆମକୁ  ବିଶ୍ୱ ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ଅଭିବୃଦ୍ଦି ନିମନ୍ତେ ନିଶ୍ଚିତ ଭାବରେ ଶ୍ରମିକ କଲ୍ୟାଣକୁ ପ୍ରୋତ୍ସାହିତ ସହ ପରିବେଶର ସୁରକ୍ଷା ଉପରେ ଗୁରୁତ୍ୱ ଦେବା  ଉଚିତ। ବିଶ୍ୱ ଅର୍ଥ ବ୍ୟବସ୍ଥାରେ ସମ୍ଭାବ୍ୟ ବାଣିଜ୍ୟ ପ୍ରତିବନ୍ଧକକୁ ଏଡ଼ାଇବା ପାଇଁ ଜୀବନ ଓ କାର୍ଯ୍ୟର ପରିସ୍ଥିତିରେ ଉନ୍ନତି ଆଣିବା ଜରୁରୀ ବୋଲି ସେ କହିଥିଲେ।

ଭାରତରେ ମାନବାଧିକାରର ସୁରକ୍ଷା ପାଇଁ ଅନୁଷ୍ଠାନିକ ବ୍ୟବସ୍ଥାର ଗୁରୁତ୍ୱ ବିଷୟରେ ଶ୍ରୀ ଲାଲ କହିଲେ, ଭାରତୀୟ ସମ୍ବିଧାନର ଧାରା ୩୨ ନ୍ୟାୟ ପାଇବାକୁ ଗ୍ୟାରେଣ୍ଟି ଦେଇଥାଏ । ଫଳରେ ନାଗରିକମାନେ ସେମାନଙ୍କ ଅଧିକାର ଉଲ୍ଲଂଘନ ହେଲେ ଏହାର ପ୍ରତିକାର ପାଇଁ ସକ୍ଷମ ହେବେ । ଯେ କୌଣସି ବ୍ୟକ୍ତି ମାନବାଧିକାର ଆୟୋଗଙ୍କ ନିକଟକୁ ଯାଇପାରିବେ। କେବଳ ୨୦୨୩-୨୪ରେ ଆୟୋଗ ଏନ୍‍ଏଚ୍‍ଆର୍‍ସି ୩ ଶହରୁ ଅଧିକ ଅଭିଯୋଗ ଗ୍ରହଣ କରିଥିଲେ ବୋଲି ସେ ସୂଚନା ଦେଇଥିଲେ।

ମାନବାଧିକାରର ସୁରକ୍ଷା ପାଇଁ ଶାସନ କଳର ଭୂମିକା ଉପରେ ଗୁରୁତ୍ୱ ଦେଇ ସେ କହିଲେ, ଏଥିପାଇଁ ଉତ୍ତମ ଜନସେବା ପ୍ରଦାନ ସହ ସ୍ୱଚ୍ଛତା ଗୁରୁତ୍ୱପୂର୍ଣ୍ଣ। ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ଆଦି ନ୍ୟାୟକୁ ଦୁର୍ବଳ କରିବା ସହ ଅନୁଷ୍ଠାନଗୁଡ଼ିକୁ ଦୁର୍ବଳ କରିଥାଏ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ରାଜୁ କେ ଡି, ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *