ପ୍ରେମ ଜନିତ ବ୍ୟାପାରକୁ ନେଇ ଯୁବକଙ୍କୁ ବିଭତ୍ସ ହତ୍ୟା

ଖୋର୍ଦ୍ଧା : ୧୫/୬(ପ୍ରବାହ ନିଉଜ୍) ଆଦର୍ଶ ଥାନା ଅଧିନ ଠାକୁରପଡା ଗ୍ରାମରେ ପ୍ରେମଜନିତ ବ୍ୟାପାରକୁ ନେଇ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ଠାକୁରପଡ଼ା ଗ୍ରାମ ନୂଆସାହି ଛକ ନିକଟରେ ଗ୍ରାମର ଜଣେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ମୃତକ ଜଣକ ସ୍ୱର୍ଗତ ଯୁଗଳ ସାହୁଙ୍କ ୩୨ ବର୍ଷୀୟ ପୁଅ ଉମାକାନ୍ତ ସାହୁ ଓରଫ ମିଟୁ ବୋଲି ଜଣା ପଡିଥିବା ବେଳେ ଉମାକାନ୍ତ ଦୀର୍ଘ ଦିନ ଧରି କଲିକତାରେ ରହି ପାଣି ପାଇପ୍ ମିସ୍ତ୍ରୀ କାମ କରୁଥିବା ବେଳେ ଦୁଇ ଦିନ ହେଲା ଗ୍ରାମକୁ ଆସିଥିଲେ ।
ଉମାକାନ୍ତର ୧୫ ବର୍ଷ ତଳେ ସେହି ଗ୍ରାମର ଜଣେ ଯୁବତୀଙ୍କ ସହିତ ପ୍ରେମ ସଂପର୍କ ଥିବାବେଳେ କୌଣସି କାରଣରୁ ଯୁବତୀ ଜଣଙ୍କ ଆତ୍ମହତ୍ୟା ମଧ୍ୟ କରିଥିଲେ । ଯୁବତୀଙ୍କ ମୃତ୍ୟୁ ପାଇଁ ଉମାକାନ୍ତଙ୍କୁ ଦାୟୀ କରିବା ସହ ଘଟଣାକୁ ନେଇ ଦୀର୍ଘଦିନ ହେଲା ଉଭୟ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା । ତେଣୁ ଉମାକାନ୍ତଙ୍କ ହତ୍ୟାକାଣ୍ଡ ପଛରେ ମୃତ ଯୁବତୀଙ୍କ ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ ଅନୁମାନ କରୁଛି । ତେବେ ଉମାକାନ୍ତ ଆଜି ସଂଧ୍ୟା ସମୟରେ ଗ୍ରାମ ଛକ ନିକଟରେ ଠିଆ ହୋଇଥିବା ବେଳେ, ତିନିରୁ ଚାରିଜଣ ଦୁର୍ବୃତ୍ତ ସଙ୍ଗବଦ୍ଧ ଭାବରେ ତାଙ୍କ ମୁଣ୍ଡକୁ କୌଣସି ଧାରୁଆ ଅସ୍ତ୍ରରେ ବାରମ୍ବାର ଆକ୍ରମଣ କରିବା ଦ୍ୱାରା ଘଟଣା ସ୍ଥଳରେ ହିଁ ଉମାକାନ୍ତ ଟଳି ପଡ଼ିଥିଲେ । ଗୁରୁତର ଉମାକାନ୍ତଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଖୋର୍ଦ୍ଧା ଟାଉନ ଥାନା ପୋଲିସ ଗ୍ରାମରେ ପହଞ୍ଚି ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ।