କିସ୍‌ରେ ଅଭିଭାବକ ସମ୍ମିଳନୀ, ଦେଢ଼ଲକ୍ଷ ଜନଜାତିଙ୍କ ସମାବେଶ

ଭୁବନେଶ୍ୱର, ୧୭ ।୧୨: ଚଳିତବର୍ଷ କିସ୍ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ରବିବାର ଏକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡି଼ଶାର ୩୦ଜିଲ୍ଲା ସମେତ ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଆସାମ ସିକିମ୍‍ ଆଦି ରାଜ୍ୟରୁ ୧ଲକ୍ଷ ଅଭିଭାବକ, ୧୦ହଜାର ପୁରାତନ ଛାତ୍ରଛାତ୍ରୀ ଓ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ କିସ୍‌ରେ ଦେଢ଼ଲକ୍ଷ ଜନଜାତି ଲୋକଙ୍କ ସମାଗମ ହୋଇଥିଲା । ଅଭିଭାବକମାନେ ଯେପରି ସୁରୁଖୁରୁରେ କିସ୍‌ରେ ପହଞ୍ଚି ସମ୍ମିଳନୀରେ ଯୋଗଦେବେ ସେଥିପାଇଁ କିସ୍‍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସେମାନଙ୍କ ରହିବାଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁକିଛି ସୁଚାରୁ ରୂପେ ବ୍ୟବସ୍ଥିତ କରାଯାଇଥିଲା। ଦୂର ଦୂରାନ୍ତରୁ ଆଜି ସକାଳୁ ଅଭିଭାବକମାନେ କିସ୍‌ରେ ପହଞ୍ଚିଥିଲେ।

ଅଭିଭାବକମାନେ ଯେପରି ସୁରୁଖୁରୁରେ ସେମାନଙ୍କ ପିଲାମାନଙ୍କ ଭଲମନ୍ଦ ବୁଝିପାରିବେ ସେଥିପାଇଁ କିସ୍‍ ପରିସରରେ ଜିଲ୍ଲାୱାରୀ ଷ୍ଟଲମାନ ଖୋଲାଯାଥିଲା। ବାପାମାଆଙ୍କୁ ଦେଖି ପିଲାମାନଙ୍କ ମଧ୍ୟରେ ନାହିଁ ନ ଥିବା ଖୁସି ଦେଖିବାକୁ ମିଳିଥିଲା। ଏହି ଅଭିଭାବକ ସମାବେଶରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ବିଶିଷ୍ଟ ଆଦିବାସୀ ନେତା ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, କିସ୍‍ ଓ କିଟ୍‍ ଉପସଭାପତି ଉମାପଦ ବୋଷ, ସଂପାଦକ ଆର ଏନ୍‍ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କିସ୍‍ ଜନଜାତିଙ୍କ ମଧ୍ୟରେ ଏକ ଆନ୍ଦୋଳନରେ ପରଣିତ ହେବା ସହ ସେମାନଙ୍କୁ ସାମାଜିକ ଅର୍ଥନୈତିକ ଭାବେ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ କିଟ୍‍ ଓ କିସ୍‍ର ସଭାପତି ଶାଶ୍ୱତୀ ବଳ ଯୋଗ ଦେଇପାରି ନ ଥିଲେ ମଧ୍ୟ ଅଭିଭାବକମାନଙ୍କୁ ଶୁଭେଛା ବାର୍ତ୍ତା ଜଣାଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା, କିସ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପି କେ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ମିନଳୀରେ ସମସ୍ତ ଜନଜାତି ଅଭିଭାବକ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଅଭିଭାବକମାନେ କହିଲେ, ଜଣେ ବ୍ୟକ୍ତିଙ୍କୁ ୨୫ବର୍ଷ ବୟସ ହୋଇଥିବା ବେଳେ ସମଗ୍ର ଜନଜାତିଙ୍କ ବିକାଶ କଥା ଚିନ୍ତାକଲେ ଏବଂ ଅତି ସାହସର ସହ କିସ୍‍ ଭଳି ଅନୁଷ୍ଠାନ ପ୍ରତିଷ୍ଠା କରି ଜନଜାତିଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଇପାରିଲେ। ଶ୍ରୀ ସାମନ୍ତ କିସ୍‍କୁ ଏକ ସଫଳ ଅନୁଷ୍ଠାନରେ ପରିଣତ କରିବା ସହ କିସ୍‌ରେ ପଢ଼ୁଥିବା ପ୍ରତ୍ୟେକଟି ପିଲାକୁ ଜଣେ ଜଣେ ସଫଳ ମଣିଷ କରି ଗଢ଼ି ତୋଳିଛନ୍ତି ବୋଲି ସେମାନେ କହିଥିଲେ। ଗତ ୩୦ ବର୍ଷ ମଧ୍ୟରେ ବହୁ ବାଧାବିଘ୍ନ ଆସିଥିଲେ ମଧ୍ୟ ଶ୍ରୀ ସାମନ୍ତ ସେଥିପ୍ରତି ଭ୍ରୁକ୍ଷେପ ନକରି ଜନଜାତିଙ୍କ ସେବାରେ ନିରନ୍ତର ନିଜକୁ ନିୟୋଜିତ କରିଛନ୍ତି। ଫଳରେ କିସ୍‍ ଆଜି ୩୧ ବର୍ଷର ଏକ ସଫଳ ଅନୁଷ୍ଠାନ। ୩୦ ହଜାର ଛାତ୍ରଛାତ୍ରୀ ଏଠାରୁ ଉତ୍ତୀର୍ଣ୍ଣ ହୋଇସାରିଲେଣି, ଏବେ ଏଠାରେ ୩୦ ହଜାର ପିଲା ପଢ଼ୁଛନ୍ତି ଏବଂ କିସ୍‍ର ବିଭିନ୍ନ ଶାଖା କ୍ୟାମ୍ପସରେ ୧୦ ହଜାର ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଶ୍ରୀ ସାମନ୍ତଙ୍କୁ ତାଙ୍କ ଉତ୍ସର୍ଗୀକୃତ ଜୀବନ ପାଇଁ ଧନ୍ୟବାଦ ଜଣାଇବା ସହ ଜନଜାତି ଅଭିଭାବକମାନେ ତାଙ୍କୁ ଓଡ଼ିଶାର ପ୍ରତି ଜିଲ୍ଲାରେ କୃତଜ୍ଞତା ଜଣାଇବେ ବୋଲି ଘୋଷଣା କରିଥିଲେ। ସେମାନଙ୍କ ପିଲାମାନେ କିସ୍‌ରେ ରହି କିପରି ଉନ୍ନତ ମାନର ଶିକ୍ଷା ଲାଭ କରିବା ସହ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିପାରୁଛନ୍ତି ସେ ନେଇ ଅଭିଭାବକମାନେ ଖୁସି ବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀର ମୁଖ୍ୟ ଆକର୍ଷଣ ଥିଲା ସାମୂହିକ ମଧ୍ୟାହ୍ନ ଭୋଜନ। ଦେଢ଼ଲକ୍ଷ ଲୋକ ଆଜି କିସ୍‌ରେ ଏକାଠି ମଧ୍ୟାହ୍ନ ଭୋଜନ କରିବା ଏକ ଅନନ୍ୟ ପରିବେଶ ସୃଷ୍ଟି କରିଥିଲା ।

Leave a Reply

Your email address will not be published. Required fields are marked *