ଖୋର୍ଦ୍ଧା ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ତଥା ସାଙ୍ଗଠନିକ ବୈଠକ ପୋଷ୍ଟରରେ ନିଜ ଫଟୋ ନଦେଖି ବିଧାୟକ କ୍ଷବ୍ଧ
ଖୋର୍ଦ୍ଧା : ୨୩/୦୭(ପ୍ରବାହ ନିଉଜ୍) ଖୋର୍ଦ୍ଧା ଜିଲ୍ଲା ବିଜେଡି ପକ୍ଷରୁ କାର୍ଯ୍ୟକାରିଣୀ ତଥା ସାଙ୍ଗଠନିକ ବୈଠକ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ନୂତନ ଭାବରେ ଖୋର୍ଦ୍ଧା ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଏବଂ ପ୍ରମିଳା ମଲ୍ଲିକଙ୍କ ସହ ଓଡ଼ିଶା ମୋ ପରିବାରର ରାଜ୍ୟ ସଂଯୋଜକ ଅରୁପ ପଟ୍ଟନାୟକ, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ଏବଂ ଜିଲ୍ଲା ସଭାପତି ବିଭୁତି ବଳବନ୍ତରାୟ ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ ବ୍ଲକ ସଭାପତି ଏବଂ ସଙ୍ଗଠନ ଦାୟିତ୍ୱରେ ବରିଷ୍ଠ କର୍ମୀମାନେ ଉପସ୍ଥିତ ଥିଲେ ।
ଦଳ ଆଗାମୀ ଦିନରେ ସଙ୍ଗଠିତ ଓ ମଜବୁତ ହୋଇ ଆସନ୍ତା ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନରେ ଭଲ ପଦର୍ଶନ କରିବ ଓ କ୍ଷମତାରେ ରହିବ ବୋଲି ଜିଲ୍ଲା ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ର କହିଥିବା ବେଳେ
ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ତୃଣମୂଳ ସ୍ତରରେ କର୍ମୀମାନଙ୍କ ମଧ୍ୟରେ ଏକତାକୁ ବଜାୟ ରଖିବାକୁ ଲକ୍ଷ୍ୟ ରଖି ଏହି ବୈଠକ ଆୟୋଜନ କରାଯାଇଥିବା କଥା କହିଛନ୍ତି ପ୍ରମିଳା ମଲ୍ଲିକ । ସେହିପରି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକର ଆବାହକ ତଥା ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ଭୁଷଣ ବଳବନ୍ତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଦଳ ଲୋକଙ୍କ ସହିତ ରହିଛି ଏବଂ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପର୍ଯ୍ୟବେକ୍ଷକଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଖରେ ପହଞ୍ଚିବା ଆଜିର ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ।
ସେପଟେ କାର୍ଯ୍ୟକାରିଣୀ ବୈଠକରେ ବେଗୁନିଆ ବୋଲଗଡ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ଦେଖିବାକୁ ମିଳିନଥିବା ବେଳେ ନୂତନ ଭାବେ ରାଜନୀତି ରେ ପାଦ ଥାପିଥିବା ଚେହେରା ତଥା ପୂର୍ବତନ ପ୍ରଶାସକ ଦେବରାଜ ସେନାପତିଙ୍କ ଉପସ୍ଥିତି କର୍ମୀ ମହଲରେ ରାଜନୈତିକ ଆଲୋଡନ ସୃଷ୍ଟି କରିଛି। ସେମିତି ବୈଠକ ଆରମ୍ଭ ହେବା ପୂର୍ବରୁ ସହର ମଧ୍ୟରେ ମରା ଯାଇଥିବା କିଛି ପୋଷ୍ଟରରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବ ନିଜର ଫଟୋ ନଥିବା ବେଳେ ତୃଣମୂଳ ସ୍ତରର କିଛି ସ୍ଥାନୀୟ କର୍ମୀଙ୍କ ମୁଁହ ଦେଖି ଆୟୋଜନ ଦାୟିତ୍ୱରେ ଥିବା ଦଳୀୟ କର୍ମୀଙ୍କ ଉପରେ ବର୍ଷିବା ସହିତ ଆଗକୁ ଏପରି ଭୁଲର ପୁନରାବୃତ୍ତି ଯେମିତି ନହୁଏ, ସେ ନେଇ ତାଗିଦ କରିଥିଲେ ।
ବୈଠକରେ ବେଗୁନିଆ ଓ ବୋଲଗଡ ବ୍ଳକର କର୍ମୀମାନେ ଉପସ୍ଥିତ ଥିବାବେଳେ ବିଧାୟକ ରାଜେନ୍ଦ୍ର ସାହୁ ଅନୁପସ୍ଥିତ ରହିବା ଏବଂ ଜରୁରୀ କାମ ଆଳରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଅଧାରୁ ବୈଠକ ଛାଡ଼ି ଚାଲିଥିବା ସହିତ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ନିମନ୍ତ୍ରଣ କରା ନଯିବା ପଛରେ ଜିଲ୍ଲା ବିଜେଡ଼ିରେ ଫାଟ ଥିବା ସ୍ପଷ୍ଟ ଭାବରେ ବାରି ହୋଇ ପଡୁଥିଲା । କାରଣ ସେ କାର୍ଯ୍ୟକାରିଣୀ ବୈଠକ ଏବଂ ପର୍ଯ୍ୟବେକ୍ଷକଙ୍କ ଗସ୍ତ ସମ୍ପର୍କରେ କିଛି ଜାଣିନଥିବା ବେଳେ ତାଙ୍କୁ କାର୍ଯ୍ୟକ୍ରମ କୁ ନିମନ୍ତ୍ରଣ କରାଯାଇ ନଥିବା କଥା କହିଥିଲେ। ଏହାକୁ ନେଇ ସାଧାରଣରେ ନାନାଦି ପ୍ରକାରର ଚର୍ଚ୍ଚା ଚାଲିଥିଲା। ଏପରି କି, ବିଜେଡିରେ ଫାଟ ସୃଷ୍ଟି ହୋଇଥିବା କଥା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ଜଣାପଡିଛି। ଏଥିରୁ ଜିଲ୍ଲା ବିଜେଡିରେ ଦଳୀୟ କନ୍ଦଳ ସ୍ପଷ୍ଟ ବାରିହେଇ ପଡୁଥିବା ବେଳେ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନଥିବା ବେଳେ ଶ୍ରୀ ଦେବୀ ମିଶ୍ର କହିଥିଲେ ଯେ, ଦଳ ଭିତରେ କୌଣସି କନ୍ଦଳ ନାହି ଏବଂ ଅନୁପସ୍ଥିତ ଥିବା ବିଧାୟକ ନିଜର କିଛି ବ୍ୟକ୍ତିଗତ କାର୍ଯ୍ୟ ହେତୁ ବୈଠକରେ ଯୋଗ ଦେଇ ପାରିନଥିବା ବେଳେ ପୋଷ୍ଟରରେ କାହାର ଫଟୋ ନଥିବା ଏକ ଯାନ୍ତିକ ତ୍ରୁଟି, ଏବଂ ପୋଷ୍ଟର ଗୁଡିକ କର୍ମୀମାନେ ନିଜସ୍ୱ ତରଫରୁ ଆଗ୍ରହରେ ଲଗାଇଥିଲେ, ତେଣୁ ପୋଷ୍ଟରକୁ ନେଇ କୌଣସି ରାଜନୀତି କରା ନଯାଉ ବୋଲି କହିଛନ୍ତି ।