ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘ ନିର୍ବାଚନ : ଅଜିତ ସଭାପତି ଭାବେ ନିର୍ବାଚିତ

ଖୋର୍ଦ୍ଧା : ୨୭/୦୩/୨୦୨୧ : ଜିଲ୍ଲା ଓକିଲ ସଂଘର ନୂତନ କାର୍ଯ୍ୟକାରିଣୀ ସଦସ୍ୟ ନିମନ୍ତେ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ଅଜିତ୍ ପଟ୍ଟନାୟକ ସଭାପତି ଭାବେ ଚୟନ ହୋଇଥିବା ବେଳେ ସଞ୍ଜୟ ପଟ୍ଟନାୟକ ସମ୍ପାଦକ ପଦ ପାଇଁ ନିର୍ବାଚିତ ଓ ଲୋତକ ବିନ୍ଦୁ ପଟ୍ଟନାୟକ ଉପ-ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ସେହିପରି ସଂଘର ନୂତନ କୋଷାଧ୍ୟକ୍ଷ ଭାବେ ବିକ୍ରମ କେଶରୀ ଛୁଆଳସିଂହ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ବିଜୟ ଚନ୍ଦ୍ର ମହାନ୍ତି ଜଣାଇଛନ୍ତି।

ସଂଘର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଦାନ ପ୍ରକ୍ରିୟା ଚାଲିଥିଲା । ଭୋଟଦାନ ସରିବା ପରେ ଅପରାହ୍ନ ୪ଟାରେ ଭୋଟ ଗଣତି ଆରମ୍ଭ ହୋଇ ସାଢେ ୮ଟାରେ  ସରିବା ପରେ ରାତି ୯ଟାରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ସଭାପତି ପଦବୀ ଲାଗି ଅଜିତ୍ ପଟ୍ଟନାୟକ ସର୍ବମୋଟ ୧୫୫ ଖଣ୍ଡ ଭୋଟ ପାଇଥିବା ନିକଟତମ ପ୍ରତିଦ୍ଵନ୍ଦୀ ବିଜୟ ସାମନ୍ତସିଂହାରଙ୍କୁ ୮୨ ଖଣ୍ଡ ମିଳିଥିବା ବେଳେ ପ୍ରଫୁଲ୍ଲ ଦାଶ ୨୯ ଟି ଓ ବିଜୟ ଛୋଟରାୟ ୨୨ ଖଣ୍ଡ ଭୋଟ ପାଇଥିଲେ। ସେହିପରି ସମ୍ପାଦକ ପଦବୀରେ ସଞ୍ଜୟ ପଟ୍ଟନାୟକ ଙ୍କୁ ୧୭୬ଖଣ୍ଡ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ଵନ୍ଦୀ ଅରୁଣ ବେହେରା ୯୧ ଖଣ୍ଡ ଓ ପ୍ରଦୀପ କୁମାର ଦଲାଇଙ୍କୁ ୨୦ଖଣ୍ଡ ଭୋଟ ମିଳିଥିଲା । ସେହିପରି ଉପ-ସଭାପତି ପଦବୀ ଲାଗି ଲୋତକ ବିନ୍ଦୁ ପଟ୍ଟନାୟକ ୧୯୩ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ଭାବେ ନିର୍ବାଚନ ଲଢ଼ୁଥିବା ପ୍ରଭାତ ବେହେରା ୯୧ଟି ଭୋଟ ପାଇଥିଲେ। କୋଷାଧ୍ୟକ୍ଷ ପଦବୀ ଲାଗି ବିକ୍ରମ କେଶରୀ ଛୁଆଳସିଂଙ୍କୁ ୧୭୯ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ବିରୁଦ୍ଧରେ ପ୍ରତିଦ୍ବନ୍ଦୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ଦେବେନ୍ଦ୍ର ଦାଶ ୧୦୯ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି ।  ନୂତନ ଭାବେ ନିର୍ବାଚିତ ହୋଇଥିବା ସମସ୍ତ ସଦସ୍ୟଙ୍କୁ ପୂର୍ବତନ ଓକିଲ ସଂଘ ସଭାପତି ଶିଶିର ପରିଡା, ସମ୍ପାଦକ ହର୍ଷ ପଟ୍ଟନାୟକ, ମନ୍ମଥ ମିଶ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ।

Leave a Reply

Your email address will not be published. Required fields are marked *