ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଜେଏସପି ଫାଉଣ୍ଡେସନ ଦ୍ବାରା ୪୨୫୪ ଜଣ ବାଳିକା ଓ ମହିଳାଙ୍କୁ ଯଶସ୍ୱୀ ବୃତ୍ତି ପ୍ରଦାନ

ଯଶସ୍ଵୀ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ଆର୍ଥିକ ସହାୟତା ପାଇବା ନିମନ୍ତେ ଚୟନ କରାଯାଇଥିବା ବାଳିକା ଓ ମହିଳା ମାନଙ୍କ ମଧ୍ୟରୁ ୨୬୮୯ ଜଣ ଓଡ଼ିଶାର ବାସିନ୍ଦା

 ୨୦୨୨ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏବେ ୧୦ ହଜାରରୁ ଅଧିକ ମହିଳା ଓ ବାଳିକା ସାମିଲ

ଭୁବନେଶ୍ବର, ୧୯/୦୧/୨୦୨୪: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ ଏହାର ଫ୍ଲାଗସିପ୍ କାର୍ଯ୍ୟକ୍ରମ ଯଶସ୍ଵୀ ର ତୃତୀୟ ସଂସ୍କରଣର ଶୁଭାରମ୍ଭ କରି ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ର ସାମାଜିକ-ଅର୍ଥନୈତିକ ଦୁର୍ବଳ ବର୍ଗର ୪୩୫୪ ଜଣ ମନୋନୀତ ବାଳିକା ଓ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛି ।  ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ଏହି କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିବା ସହ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ରେ  ସହଯୋଗ କରିବା ଉଦ୍ଦେଶ୍ୟରେ ଛାତ୍ରବୃତ୍ତି ପୁରସ୍କାର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ପରିକଳ୍ପନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜେଏସପି ଫାଉଣ୍ଡେସନର ଉପଦେଷ୍ଟା ସୁଶ୍ରୀ ଯଶସ୍ୱିନୀ ଜିନ୍ଦଲ ଯୋଗଦେଇ ମନୋନୀତ ମହିଳା ଓ ବାଳିକାମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଥିଲେ ।

ଏହି ଅବସରରେ ଶ୍ରୀମତୀ ଶାଲୁ ଜିନ୍ଦଲ କହିଥିଲେ, “ସମାଜରେ ଅନ୍ତର୍ଭୁକ୍ତୀକରଣ ଏବଂ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ଜେଏସପି ଫାଉଣ୍ଡେସନ ପ୍ରତିଶ୍ରୁତିବଦ୍ଧ । ଯଶସ୍ୱୀ କାର୍ଯ୍ୟକ୍ରମ ମହିଳାଙ୍କ ଅଭିବୃଦ୍ଧିକୁ ତଥା ସେମାନଙ୍କୁ ନିଜ ମନୋନୀତ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବାର ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ପରିକଳ୍ପନା କରାଯାଇଛି” ।  ସେ ମନୋନୀତ ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ “ମୁଁ ଏହା ଦେଖି ଆନନ୍ଦିତ ଯେ, ଏହି କାର୍ଯ୍ୟକ୍ରମର ଗତ ଦୁଇଟି ସଂସ୍କରଣରେ ଅନେକ ଯୁବତୀ ପ୍ରଶିକ୍ଷଣ ପରେ ସଫଳତାର ସହ ନିଯୁକ୍ତି ହାସଲ କରିଛନ୍ତି କିମ୍ବା ଉଚ୍ଚଶିକ୍ଷା ପାଇଁ ସେମାନଙ୍କସ୍ୱପ୍ନ ପୂରଣ କରି ପାରିଛନ୍ତି  | ମୁଁ ନିଶ୍ଚିତ ଯେ ଏହି କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ ଆହୁରି ଅଧିକ ମହିଳା ଏବଂ ବାଳିକାମାନଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ସ୍ୱପ୍ନକୁ ପୂରଣ କରି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ” ।

ଏହି କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ ପାଇଁ ଜେଏସପି ଫାଉଣ୍ଡେସନକୁ ମୋଟ ୮୯୧୪ ଟି ଆବେଦନ ମିଳିଥିଲା । ସେମାନଙ୍କ ମଧ୍ୟରୁ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡର ୮୧ଟି ଜିଲ୍ଲାରୁ ମୋଟ ୪୨୫୪ ଜଣ ଙ୍କୁ ଚୟନ କରାଯାଇଥିବା ବେଳେ ୩୪୩୦ ଜଣ ନୂଆ ଭାବେ ତାଲିକାରେ ସାମିଲ ହୋଇଛନ୍ତି। ସେହିପରି ୮୨୪ ଜଣଙ୍କ ନିମନ୍ତେ ଏହି ସ୍କଲାରସିପ୍ ନବୀକରଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୮୦୭ ଜଣ ଇଞ୍ଜିନିୟରିଂ, ମେଡିସିନ୍, ସାଇନ୍ସ, ନର୍ସିଂ, ମ୍ୟାନେଜମେଣ୍ଟ, ଫାର୍ମାସି, ଫିଜିଓଥେରାପି, ସାମାଜିକ ବିଜ୍ଞାନ ଓ ସାଧାରଣ ଷ୍ଟ୍ରିମ ଭଳି ବିଭିନ୍ନ ବିଷୟରେ ଦ୍ୱାଦଶରୁ ପିଏଚ୍ଡି ସ୍ତର ପର୍ଯ୍ୟନ୍ତ ଶିକ୍ଷା ଲାଭ କରୁଛନ୍ତି । ସେହିପରି କୋପା, ସିଲେଇ ମେସିନ୍ ଅପରେସନ, ଖୁଚୁରା ବିକ୍ରି, ଫ୍ରଣ୍ଟ ଅଫିସ୍ ମ୍ୟାନେଜମେଣ୍ଟ, ଡାଟା ଏଣ୍ଟ୍ରି, ବିୟୁଟି ଥେରାପି, ମେଡିକାଲ ଟେକ୍ନିସିଆନ୍ ଆଦି କ୍ଷେତ୍ରରେ ୩୪୩୦ ଜଣ ମହିଳା ଓ ବାଳିକା ଦକ୍ଷତା ବିକାଶ ଶିକ୍ଷା ଗ୍ରହଣ କରୁଛନ୍ତି । ମନୋନୀତ ଶିକ୍ଷାର୍ଥୀମାନେ ସେମାନଙ୍କ ପସନ୍ଦର ଅନୁଷ୍ଠାନ କିମ୍ବା କଲେଜରେ ବୃତ୍ତିଗତ ତାଲିମ କିମ୍ବା ଏକାଡେମିକ୍ ପାଠ୍ୟକ୍ରମ ପାଇଁ ପାଠ୍ୟକ୍ରମ ଫି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଫି ପାଇଁ ଆର୍ଥିକ ସହାୟତା ପାଇବେ ।  ଶିକ୍ଷାର୍ଥୀମାନେ ନାମଲେଖାଇଥିବା ଅନୁଷ୍ଠାନକୁ ସହାୟତା ରାଶି ସିଧାସଳଖ ପ୍ରଦାନ କରାଯିବ । ଚୟନ କରାଯାଇଥିବା ଶିକ୍ଷାର୍ଥୀ ମାନେ ଦେଶର ୨୫୦ ଟି ପ୍ରତିଷ୍ଠିତ ଅନୁଷ୍ଠାନରେ ଶିକ୍ଷାଗ୍ରହଣ କରୁଛନ୍ତି । ଚୟନ କରାଯାଇଥିବା ୪୨୫୪ଜଣଙ୍କ ମଧ୍ୟରୁ ୨୬୮୯ ଜଣ ଓଡିଶାରୁ, ୯୩୪ ଜଣ ଛତ୍ତୀସଗଡ଼ରୁ ଏବଂ ୬୩୧ ଜଣ ଝାଡ଼ଖଣ୍ଡର ବାସିନ୍ଦା ।

୨୦୨୨ରେ ଆରମ୍ଭ ହୋଇଥିବା ଏହି ଯଶସ୍ୱୀ କାର୍ଯ୍ୟକ୍ରମରେ ଏବେ ଆର୍ଥିକ ଅଭାବ ଯୋଗୁଁ ନିଜର ଶିକ୍ଷାଗତ କିମ୍ବା ଦକ୍ଷତା ବିକାଶ ଆକାଂକ୍ଷା ହାସଲ କରିବାରେ ଅସୁବିଧାର ସମ୍ମୁଖୀନ ହେଇଥିବା ୧୦ ହଜାରରୁ ଅଧିକ ମହିଳା ଓ ବାଳିକା ସାମିଲ ହୋଇଛନ୍ତି । ଆବେଦନକାରୀଙ୍କ ଅତୀତର ଶିକ୍ଷାଗତ ପ୍ରଦର୍ଶନ ଏବଂ ସେମାନଙ୍କ ପରିବାର ଆର୍ଥିକ ସ୍ଥିତି ଆଧାରରେ ଶିକ୍ଷାର୍ଥୀ ମାନଙ୍କୁ ଚୟନ କରାଯାଇଛି ।

ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ହେଡ (ସିଏସଆର) ଶ୍ରୀ ପ୍ରଶାନ୍ତ କୁମାର ହୋତା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁମାତ୍ରାରେ ଭାଗନେଇଥିବାରୁ ସେ ମହିଳା, ବାଳିକା ଏବଂ ବିଭିନ୍ନ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଥିଲେ ।

ଜେଏସପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଅନୁଗୁଳ ୟୁନିଟ୍ ହେଡ୍ ଶ୍ରୀ ପଙ୍କଜ ମଲହାନ୍, ବଡବିଲ ୟୁନିଟ୍ ହେଡ୍ ଶ୍ରୀ ପୁରୁଷୋତ୍ତମମ୍ ଏମ୍ ଡି, ସଭାପତି ତଥା ସିଏଫ୍ଓ (ରାୟଗଡ ୟୁନିଟ୍) ଶ୍ରୀ ହନୁମାନ ଶର୍ମା, ପତ୍ରାତୁ ୟୁନିଟ୍ ହେଡ୍ ଶ୍ରୀ ଆଶିଷ ଜୈନ୍ ଓ ଜେପିଏଲ୍ ର ତମନାର ୟୁନିଟ୍ ହେଡ୍ ଶ୍ରୀ ଛବି ନାଥ ସିଂହଙ୍କ ସମେତ କମ୍ପାନିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *