ସେବା ପାଇଁ ରାଜନୀତିକୁ ଆସିଛି: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ବିଜେଡିରେ ଯୋଗ ଦେବା ପରେ ୫-ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟନ୍ ପାଣ୍ଡିଆନ ଦଳର କୌଣସି ପଦପଦବି ପାଇ ନାହାନ୍ତି। ଆଜି କାର୍ଯ୍ୟକାରିଣୀରେ ତାଙ୍କୁ କୌଣସି ଗୁରୁତ୍ବପୂର୍ଣ୍ଣ ପଦବି ଦିଆଯିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। କିନ୍ତୁ ସେପରି କିଛି ଘୋଷଣା ହୋଇ ନଥିଲା। ତେବେ ଶ୍ରୀ ପାଣ୍ଡିଆନ ମଞ୍ଚ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ସେ କହିଥିଲେ ଯେ ସର୍ବଭାରତୀୟ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପରେ ଅନେକ ମୋ ସମ୍ପର୍କରେ ଅତ୍ୟଧିକ ଉତ୍ସୁକତା ପ୍ରକାଶ କରିଛନ୍ତି। ମୁଁ ନିର୍ବାଚନ ଲଢ଼ିବି କି ନାହିଁ; ଯଦି ଲଢ଼ିବି କେଉଁଠୁ ଲଢ଼ିବି ତାକୁ ନେଇ ଚର୍ଚ୍ଚା ହେଉଛି।

ମୋତେ ମଧ୍ୟ ଅନେକ ଏ ସମ୍ପର୍କରେ ପଚାରିଛନ୍ତି। ଦଳରେ ମୋତେ କି ପଦ ମିଳିବ ତାକୁ ନେଇ ଅନେକ ଆଲୋଚନା ଚାଲିଛି। କେହି କେହି ମୋତେ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା ନିମନ୍ତେ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ମାତ୍ର ଏ ସମ୍ପର୍କରେ ଆପଣ ସମସ୍ତଙ୍କୁ ମୁଁ ଅତ୍ୟନ୍ତ ବିନମ୍ର ଭାବରେ ଗୋଟିଏ ଉତ୍ତର ଦେବି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ କାମ କରିବାକୁ ମୋର ସୌଭାଗ୍ୟ ମନେ କରୁଛି। ମୁଁ କ୍ଷମତା ପାଇଁ ଆସିନି, ସେବା ପାଇଁ ଆସିଛି। ଆଗାମୀ ନିର୍ବାଚନରେ ଲଢ଼ିବି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ୧୪୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଆଉ ମୁଁ ମୁଖ୍ୟମନ୍ତ୍ରୀଙ୍କ ପଛରେ ୧୪୭ ନିର୍ବାଚନମଣ୍ଡଳୀରେ ଠିଆ ହେବି।

ଶ୍ରୀ ପାଣ୍ଡିଆନ କହିଥିଲେ, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ନାମରେ ଗଠିତ ଦଳରେ ସାମିଲ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି। ମୁଁ ଦୁଇଟି ଆଶୀର୍ବାଦ ପାଇଛି। ଗୋଟିଏ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ସେବା ଓ ଅନ୍ୟଟି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କାର୍ଯ୍ୟକରିବା। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛି ଓ ତାଙ୍କ ପ୍ରତି ମୁଁ ସମ୍ପୂର୍ଣ୍ଣ ସମର୍ପିତ। ମୁଁ ମୋର ଭବିଷ୍ୟତ ମହାପ୍ରଭୁ ଜଗନ୍ନାଥ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସମର୍ପଣ କରି ଦେଇଛି। ବିଜୁ ଜନତା ଦଳକୁ ଅଧିକ ସୁଦୃଢ଼ କରି ରାଜ୍ୟର ବିକାଶକୁ ଶୀର୍ଷରେ ପହଞ୍ଚାଇବାକୁ କାର୍ଯ୍ୟ କରିବି। ଏହି ପରିବାରରେ ମୁଁ ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କାର୍ଯ୍ୟ କରିବାର ପ୍ରତ୍ୟକ୍ଷ ସୁଯୋଗ ପାଇଛି। ଦଳର ଲକ୍ଷଲକ୍ଷ କର୍ମୀଙ୍କ ପାଇଁ କାମ କରିବାକୁ କେବେ ସୁଯୋଗ ମିଳି ନ ଥିଲା, ଏବେ ତାହା ମୋତେ ମିଳିଛି। ଏବେ ସରକାର ଓ ଲୋକଙ୍କ ସେବାରେ ଯେଉଁ ରୂପାନ୍ତରୀକରଣ ଆସିଛି ତାହା ସୁଉଚ୍ଚ ହେବାର ପ୍ରତିଶ୍ରୁତି ଦେଉଛି।

Leave a Reply

Your email address will not be published. Required fields are marked *