ବାଘମାରୀ ବଜାରରେ ବ୍ୟବସାୟୀଙ୍କୁ ଗୁଳିମାଡ : ଗୁଳିକରି ଟଙ୍କା ଲୁଟିନେଲେ ଦୁବୁର୍ତ୍ତ

ଖୋର୍ଦ୍ଧା : ୨୯/୦୭(ପ୍ରବାହ ନିଉଜ୍) : ବାଘମାରୀ ଥାନା ଅନ୍ତର୍ଗତ ବାଘମାରୀ ତଳସାହି ନିକଟରେ କିଛି ଦୁବୁର୍ତ୍ତ ଜଣେ ତେଜରାତି ଦୋକାନୀଙ୍କୁ ଗୁଳିମାଡ କରି ତାଙ୍କ ଠାରୁ ପଚାଶ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟିନେଇ ଫେରାର ହୋଇଥିବା ଜଣାପଡିଛି। ଗୁରୁତର ଯୁବକ ଜଣକ ବାଘମାରୀ ଗ୍ରାମ ବ୍ରାହ୍ମଣ ସାହିର ୩୮ବର୍ଷୀୟ ମନମୋହନ ସାମନ୍ତରାୟ ।

ପ୍ରାପ୍ତ ସୂଚନା  ଅନୁଯାୟୀ ବାଘମାରୀର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ସାମନ୍ତରାୟଙ୍କ ସାନ ପୁଅ ମନମୋହନଙ୍କର ପଞ୍ଚାୟତ କାର୍ଯ୍ଯାଳୟ ନିକଟରେ ଏକ ତେଜରାତି ମସଲା ର ହୋଲସେଲ ଦୋକାନ ରହିଛି । ଗୁରୁବାର ରାତି ପ୍ରାୟ ଦଶଟା ସମୟରେ ଦୋକାନ ବନ୍ଦ କରି ନିଜର ଏକ ଟିଭିଏସ ଏକ୍ସ.ଏଲ ମୋଫେଡରେ କିଛି ନଗଦ ଟଙ୍କା ଧରି ଘରକୁ ଫେରୁଥିବା ବେଳେ ପୂର୍ବରୁ ଛକି ରହିଥିବା ଚାରିଜଣ ଦୁବୃର୍ତ୍ତ ଦୁଇଟି ବାଇକରେ ପିଛା କରିଥିଲେ। ସ୍କୁଲ ନିକଟରେ ତାଙ୍କ ଆଗକୁ ଆସି ବନ୍ଧୁକ ଦେଖାଇ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ମନମୋହନ ସେଠାରୁ ଖସି ପଳେଇବାକୁ ଉଦ୍ୟମ କରିବାବେଳେ ଦୁବୁର୍ତ୍ତ ମାନେ ତାଙ୍କ ଉପରକୁ ୪ରାଉଣ୍ଡ ଗୁଳି ଚଳାଇଥିବା ବେଳେ ଗୋଟିଏ ଗୁଳି ତାଙ୍କ ଡାହାଣ ଗୋଡରେ  ବାଜିଥିଲା। ଦୁବୃର୍ତ୍ତ ମାନେ ତାଙ୍କ ଠାରୁ ଟଙ୍କାବ୍ୟାଗ ଲୁଟି ଫେରାର ହୋଇଯାଇଥିଲେ।


ଗୁଳିଟି ଡାହଣପଟ ଗୋଡର ଆଣ୍ଠୁ ତଳକୁ ବାଜିଥିବା ବେଳେ ମନମୋହନଙ୍କୁ ବାଘମାରୀ ପୋଲିସ ଘଟଣା ସ୍ଥଳରୁ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରବର୍ତ୍ତୀ ସମୟରେ ଆହତଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏପଟେ ପୂର୍ବ ଶତ୍ରୁତା ନେଇ ଗୁଳିକାଣ୍ଡ ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ଘଟଣା ସ୍ଥଳରୁ ତିନୋଟି ଫୁଟା ଗୁଳି ଜବତ କରିବା ସହ ପୋଲିସ ଆସାମୀ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *