ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କୋଠା ନିର୍ମାଣକୁ ନେଇ ଅନିଶ୍ଚିତତା : ବିଭାଗକୁ ହସ୍ତାନ୍ତରରେ ସନ୍ଦେହ

ବେଗୁନିଆ : ୨୧/୦୭(ପ୍ରବାହ ନିଉଜ୍) ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା କୋଠା ଗୁଡିକ ଅବ୍ୟବହୃତ ଅବସ୍ଥାରେ ପଡି ରହିବା ଯୋଗୁଁ ସେଠାରେ ଉଇ ହୁଙ୍କା ଚଢ଼ିଗଲାଣି । ଦୁଇ ତିନି ବର୍ଷରୁ ଉର୍ଦ୍ଧ ସମୟ ଧରି କୋଠା ଗୁଡିକର ନିର୍ମାଣ କାର୍ଯ୍ୟ ସରିଥିବାବେଳେ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର କରାଯାଇ ପାରୁନାହିଁ ,ଫଳରେ ବର୍ଷ ବର୍ଷ ଧରି ଘର ଗୁଡିକ କାର୍ଯ୍ୟରେ ନଲାଗିବା ଯୋଗୁଁ ଭୁତ କୋଠିରେ ପରିଣତ ହେବା ସହ ବିଜୁ ଦକ୍ଷତା ତାଲିମ କେନ୍ଦ୍ରରୁ କବାଟ ଝରକା ଆଦି ଚୋରି ହୋଇ ଯାଇଥିବାର ଜଣାପଡିଛି ।

ଏପରିକି ଘରର କେହି ଦାବିଦାର ନଥିବାରୁ ଚୋରି ସଂକ୍ରାନ୍ତରେ ଥାନାରେ ମଧ୍ୟ କେହି ଅଭିଯୋଗ କରୁନାହାନ୍ତି । ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କାରେ ନିର୍ମାଣ ହେଉଥିବା କୋଠା ଗୁଡିକରେ ସିଡିଘର ରଖାଯାଉ ନଥିବାରୁ ବର୍ଷା ହେଲେ ଘରଭିତରେ ପାଣି ପଶି ଘର ଖରାପ ହେବା ସହିତ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସ୍କୁଲ ଘର ଗୁଡିକ ଦୁଇ ମହଲା ବିଶିଷ୍ଟ ହୋଇଥିବା ବେଳେ ସିଡିଘର ନଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ସିଡିରୁ ପଡି ଆହତ ହେବାର ଆଶଙ୍କା ମଧ୍ୟ ରହିଛି । ଏପରିକି ସିଡ଼ିଘର ନଥିବା ଯୋଗୁ ଚୋରି ଡକାୟତିର ମଧ୍ୟ ଭୟ ରହିଛି ।ସମ୍ପୃକ୍ତ କୋଠା ମାନଙ୍କରେ ରହୁଥିବା କର୍ମଚାରୀମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଘରଗୁଡିକ ବର୍ଷ ବର୍ଷ ଧରି ନିର୍ମାଣ ହୋଇ ଅବ୍ୟବହୃତ ଅବସ୍ଥାରେ ପଡି ରହୁଥିବା ଯୋଗୁଁ ଘରେ ଉଇ ହୁଙ୍କା ଚଢି ଘରଗୁଡିକ ନଷ୍ଟ ହେବା ସହିତ କବାଟ ଝରକା ମଧ୍ୟ ଚୋରି ହୋଇ ଯାଉଛି । କିନ୍ତୁ ଏଥିପ୍ରତି କୌଣସି ବିଭାଗୀୟ କର୍ମଚାରୀ ଦୃଷ୍ଟି ଦେଉ ନଥିବାର ଜଣାପଡିଛି । ସରକାରକା ମାଲ ଦରିୟା ମେ ଡାଲ ନୀତିରେ ଚାଲିଛି ଗ୍ରାମ୍ୟଉନ୍ନୟନ ବିଭାଗର କୋଠା ନିର୍ମାଣ । କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମାଣ କରାଯାଉଥିବା ବହୁ କୋଠା ଏବେ ଭୁତକୋଠିରେ ପରିଣତ ହୋଇଥିବାର ଦେଖିବାକୁ ମିଳୁଛି । କାରଣ କୋଠଗୁଡିକର ସିଭିଲ କାମ ସାରିଯାଇଥିବାବେଳେ ଇଲେକ୍ଟ୍ରିକ ଏବଂ ପି.ଏଚ କାମ ବର୍ଷ ବର୍ଷ ଧରି ହୋଇ ନପାରିବା ହେତୁ ଘରଗୁଡିକ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର କରାଯାଇପାରୁ ନାହିଁ ।ଫଳରେ ସରକାର ଯେଉଁ ମହତ୍ତ ଉଦେଶ୍ୟ ନେଇ ଏହି କୋଠା ଗୁଡିକ ନିର୍ମାଣ କରିଥିଲେ ତାହା କିଛି ବିଭାଗୀୟ ଅଧିକାରୀଙ୍କ ଅବହେଳା ଏବଂ ଉଦାସୀନତା ଯୋଗୁଁ କାର୍ଯ୍ୟ ଉପଯୋଗୀ ହେବା ନେଇ ଅନିଶ୍ଚିତତା ପ୍ରକାଶ ପାଇଛି ।

ଫଳରେ ସରକାର ବିଭିନ୍ନ କାର୍ଯ୍ୟାଳୟ ପାଇଁ କୋଠା ନିର୍ମାଣ କରି ମଧ୍ୟ କାର୍ଯ୍ୟାଳୟ ନିମନ୍ତେ ଘରଭଡା ଦେଇଚାଲିଛନ୍ତି ।କିଛି ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ସରକାର ଏହି ବାଟରେ ବହୁ ରାଜସ୍ୱ ହରାଉଥିବାବେଳେ ସେଥିପ୍ରତି ସେମାନେ ଆଦୋୖ ଚିନ୍ତିତ ନୁହନ୍ତି ।ଏପରିକି ବ୍ଲକ ଆଗରେ ଥିବା ସୂଚନାକେନ୍ଦ୍ର ତଥା ପାଠାଗାରରେ ଗତ ଏକବର୍ଷ ହେବ ଧରି ତାଲା ପଡି ରହିଛି । ମୁଖ୍ୟଯନ୍ତ୍ରୀ (କୋଠାବାଡି)ଙ୍କ କାର୍ଯ୍ୟାଳୟରୁ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସରକାରୀ ଅନୁଦାନ ଆସିବାରେ ପାତର ଅନ୍ତର କରାଯାଉଥିବାରୁ ଉନ୍ନୟନ କାର୍ଯ୍ୟରେ ସମ୍ପୂର୍ଣ ବାଧା ସୃଷ୍ଟି ହେଉଛି । ଯେଉଁ ନିର୍ବାହୀଯନ୍ତ୍ରୀ ଯେତେ ପାରିବାର ସେମାନେ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅନୁଦାନ ନେବାରେ ସେତେ ଧୁରନ୍ଧର । ଫଳରେ ନିର୍ବାହୀ ଯନ୍ତ୍ରୀ ଙ୍କ ଯୋଗୁଁ ସମ୍ପୃକ୍ତ ଜିଲ୍ଲାରେ କାର୍ଯ୍ୟ ସେତେ ତ୍ୱରାନ୍ୱିତ ହେଉଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ଗ୍ରାମ୍ୟଉନ୍ନୟନ ବିଭାଗ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାର ଜଣାପଡିଛି । ପ୍ରତି କୋଠାରେ ସିଭିଲ ,ପିଏଚ ଏବଂ ଇଲେକ୍ଟ୍ରିକ କାମ ମାନ ଅଲଗା ଅଲଗା ଠିକାଦାର କରୁଥିବା ଯୋଗୁଁ କୌଣସି କାର୍ଯ୍ୟ ଠିକ ସମୟରେ ସରିପାରୁ ନାହିଁ ।ସିଭିଲ ଠିକାଦାର ଅନୁଦାନ ଅଭାବରୁ ଠିକ ସମୟରେ ବିଲ ନପାଇବା ଯୋଗୁଁ ସେ ଘରକୁ ହସ୍ତାନ୍ତର କରୁନାହିଁ। ଫଳରେ ଇଲେକ୍ଟ୍ରିକ ଏବଂ ପିଏଚ କରିବା ପାଇଁ ବର୍ଷ ବର୍ଷ ବିତିଯାଉଛି । ଏପରିକି ଇଲେକ୍ଟ୍ରିକ ଏବଂ ପିଏଚ ଠିକାଦାର କାମକରିବା ପାଇଁ ବାରମ୍ବାର କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ସେମାନଙ୍କୁ କାଗଜପତ୍ର କରିବାରେ ବହୁ ହଇରାଣ ହରକତ କରାଯାଉଛି ।ଏପରିକି ଟଙ୍କା ଠିକ ସମୟରେ ଖର୍ଚ୍ଚ କରିନପାରି ବାରୁ ପୁନଶ୍ଚ ତାହା ଯେଉଁ ବିଭାଗରୁ ଆସିଥିଲା ତାଙ୍କ ଆକାଉଣ୍ଟକୁ ଫେରିଯାଉଛି ।କାର୍ଯ୍ୟସାରି ପିଏଚ ଏବଂ ଇଲେକ୍ଟ୍ରି କାମ ସରିବା ବେଳକୁ ଘରଟି ନଷ୍ଟ ହେବାକୁ ବସିଥିବାରୁ ତାର ମରାମତି ପାଇଁ ପୁନର୍ବାର ଅର୍ଥର ଆବଶ୍ୟକତା ପଡୁଛି । କାରଣ ଏଠାରେ ଏବେ ଚାଲିଥିବା ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ,ସୂଚନା କେନ୍ଦ୍ର ତଥା ପାଠାଗାର ,ଗୋପବନ୍ଧୁ ହାଇସ୍କୁଲ ,ସାରୁଅ ହାଇସ୍କୁଲ ଛତ୍ରପଡା ହାଇସ୍କୁଲ ,ମାଣିକଗୋଡା ଗଦାଧର ଏକାଡେମୀ ,ଗିରିଧାରୀ ହାଇସ୍କୁଲ କଡବ ,ବୋଲଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ ,ଗେଡ଼ିଆପଲ୍ଲୀ ଉଚ୍ଚ ବିଦ୍ୟାଳୟ ଆଦିର ସିଭିଲ କାର୍ଯ୍ୟ ଦୀର୍ଘ ୨/୩ ବର୍ଷ ହେବ ସରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଇଲେକ୍ଟ୍ରିକ ଏବଂ ପିଏଚ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ ନକରିବା ପଛରେ କଣ ରହସ୍ୟ ରହିଛି ତାହା ବୁଝାପଡୁ ନାହିଁ । ଫଳରେ ଯେଉଁ ଉଦେଶ୍ୟ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ବିଲଡିଂ ଗୁଡିକ ନିର୍ମାଣ କରାଯାଇଛି ସେଠାରେ ଯେ ସେହି କାର୍ଯ୍ୟାଳୟ ଚାଲିବ ନାଁ ଚାଲିବା ପୂର୍ବରୁ ବିଲଡିଂ ଗୁଡିକ ମାଟିରେ ମିଶିଯିବ ସେ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି ।ସରକାର ଏବେ ବିଦ୍ୟାଳୟ ଗୁଡିକ ଖୋଲିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ବିଲଡିଂ ଗୁଡିକର ପିଏଚ ଏବଂ ଇଲେକ୍ଟ୍ରିକ କାମ କେବେ କରାଯିବ ଏବଂ ପିଲାମାନେ ସେଠାରେ ପାଠ ପଢିବା ନେଇ ଅଭିବାବକ ମହଲରେ ସନ୍ଦେହ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *

You may have missed