ନାଲକୋରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆରମ୍ଭ

ଭୁବନେଶ୍ଵର, ତା ୩୧.୧୦.୨୦୨୩ ରିଖ: କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ, ନାଲକୋ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆରମ୍ଭ ହୋଇଛି। ଏହି ଅବସରରେ କମ୍ପାନୀର ସମସ୍ତ ଅପରେଟିଂ ୟୁନିଟ୍, ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ମୁଖ୍ୟାଳୟରେ କର୍ମଚାରୀମାନେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହ ଦୁର୍ନୀତି ନିବାରଣ ତଥା ଅଖଣ୍ଡତାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଶପଥ ପାଠ କରିଥିଲେ। କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ପକ୍ଷରୁ ଚଳିତ ବର୍ଷର ବିଷୟବସ୍ତୁ “ଦୁର୍ନୀତିକୁ ନା କୁହ, ଦେଶ ପ୍ରତି ପ୍ରତିବଦ୍ଧ ରୁହ” ଆଧାରରେ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ୩୦ ଅକ୍ଟୋବର ଠାରୁ ୫ ନଭେମ୍ବର ୨୦୨୩ ଯାଏ ପାଳିତ ହେବ।

ନାଲକୋ କର୍ପୋରେଟ କାର୍ଯ୍ୟାଳୟରେ ସୋମବାର ଠାରୁ ଏହି କାର୍ଯ୍ୟକ୍ରମ ଶପଥପାଠ ଦ୍ଵାରା ଆରମ୍ଭ ହୋଇଛି। ଏହି ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଶ୍ରୀ ଶ୍ରୀଧର ପାତ୍ର, ସିଏମଡି, ନାଲକୋ ଦୁର୍ନୀତିକୁ ଦୂର କରିବା ତଥା ବୃତ୍ତିଗତ ତଥା ସାମାଜିକ ଜୀବନରେ ଦୁର୍ନୀତିକୁ ବିରୋଧ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଦୁର୍ନୀତି ଦେଶର ବିକାଶରେ ବାଧା ସୃଷ୍ଟି କରିଥାଏ ଏବଂ ଏହା ଅର୍ଥନୈତିକ ଓ ସାମାଜିକ ପ୍ରଗତିରେ ମଧ୍ୟ ପ୍ରମୁଖ ପ୍ରତିବନ୍ଧକ ବୋଲି ସେ କହିଛନ୍ତି। ଏହି ଉତ୍ସବରେ ପୂର୍ବତନ ଆଇପିଏସ୍ ଅଧିକାରୀ ଡକ୍ଟର କାହ୍ନୁ ଚରଣ ମହାଲୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ନାଲକୋର ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଶ୍ରୀ ସୋମନାଥ ହାନ୍ସଦା ତଥା ସମସ୍ତ ନିର୍ଦ୍ଦେଶକ ମାନେ ମଧ୍ୟ ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଶ୍ରୀ ହାନ୍ସଦା ତାଙ୍କ ଅଭିଭାଷଣରେ କର୍ମଚାରୀମାନଙ୍କୁ ଦୁର୍ନୀତି ବିରୋଧରେ ଲଢିବା ତଥା ଅଖଣ୍ଡତା ପାଇଁ ସାମୂହିକ ପ୍ରତିବଦ୍ଧତା ପ୍ରତିଷ୍ଠା ନିମନ୍ତେ ଆହ୍ୱାନ ଦେଇଥିଲେ।

Leave a Reply

Your email address will not be published. Required fields are marked *