ବଡ଼ ଧରଣର ଡକାୟତ ଯୋଜନା ପଣ୍ଡ ହୋଇଥିବା ବେଳେ ଧରା ପଡିଛନ୍ତି ୭ କୁଖ୍ୟାତ ଡକାୟତ

ଖୋର୍ଦ୍ଧା: ୧୭/୦୬(ପ୍ରବାହ ନିଉଜ୍) ଟାଉନ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ବାଇପାସ ନିକଟ ଗୋଶାଳା ପଡ଼ିଆରେ ଥିବା ଏକ ପରିତ୍ୟକ୍ତ ଘର ମଧ୍ୟରେ କେତେଜଣ ଦୁର୍ବୁତ୍ତ ଡକାୟତି ଯୋଜନା କରୁଥିବାର ସୂଚନା ପାଇ ଘଟଣାସ୍ଥଳରୁ ପୋଲିସ ୭ ଜଣ ଡକାୟତଙ୍କୁ ଗିରଫ କରିଛି।
ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ଖୋର୍ଦ୍ଧା ଏସ୍.ପି ଓ ଏସ୍.ଡି.ପି.ଓ.ଙ୍କ ତତ୍ତ୍ୱାବଧାନ ଏବଂ ଟାଉନ ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ଦିଗବିଜୟ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ପୋଲିସ ୭ ଜଣ ଡକାୟତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ଘଟଣାସ୍ଥଳରୁ ପୋଲିସ ଗୋଟାଏ ଖଣ୍ଡା, ଗୋଟେ ଫାର୍ଷା, ତିନି ଗୋଟି ଲୁହା ରଡ଼, ଚାରି ଗୋଟି ଟର୍ଚ୍ଚ ଲାଇଟ, ଦୁଇଟି ବାଇକ, ଗୋଟେ ହାତତିଆରି ନକ୍ସା ଏବଂ ଦୁଇ ଗୋଟି ମାଂସ କାଟିବା କାତି ଆଦି ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି।

ଗିରଫ ଅଭିଯୁକ୍ତମାନେ ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜୁରୀ ଅଞ୍ଚଳର ଶେଖ ଇବାଦୁଲ୍ଲା, ଶେଖ ଯୁସୁଫ, ଟାଉନ ଥାନା ଅନ୍ତର୍ଗତ ଜେମାଦେଇ ଅଞ୍ଚଳର ମଇନା ବେହେରା, ସନ୍ତୋଷ ସାହୁ, ଦିପୁ ପରିଡା, ଭାଲିଆବାଡ଼ି ଅଞ୍ଚଳର ବିପିନ ବେହେରା ଏବଂ ଚନ୍ଦକା ଥାନା ଅନ୍ତର୍ଗତ ହରିଡ଼ାମଡ଼ ଅଞ୍ଚଳର ଲକ୍ଷ୍ମୀଧର ବେହେରା ବୋଲି ଜଣାପଡିଛି ।
ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ପୋଲିସ ଥାନାରେ ଚୋରି, ଡକାୟତି, ରାହାଜାନି ଭଳି ଏକାଧିକ ଅପରାଧିକ ମାମଲା ଥିବାର ପୋଲିସ ଠାରୁ ସୂଚନା ମିଳିଥିବା ସହିତ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଶେଖ ଇବାଦୁଲ୍ଲା ଏବଂ ଶେଖ ଯୁସୁଫ ପୂର୍ବରୁ ଗଡ଼ଖୋର୍ଦ୍ଧାରେ ଥିବା ଜଗନ୍ନାଥ ମନ୍ଦିରରୁ ଏବଂ ବାଟମଙ୍ଗଳା ଛକରେ ଥିବା ଏକ ପାନଦୋକାନରୁ ଚୋରି ଘଟଣାରେ ସାମିଲ ଥିବା ଜଣାପଡିଛି।
ଏ ସଂକ୍ରାନ୍ତରେ ଉକ୍ତ ଦୁଇ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଜଗନ୍ନାଥ ମନ୍ଦିରରୁ ଚୋରା ଯାଇଥିବା ହୁଣ୍ଡି ବାକ୍ସ, ଅନେକ ବିସ୍କୁଟ, ସିଗାରେଟ, ସାନିଟାଇଜର, ଫିନାଇଲ ଏବଂ ଟୁଥପେଷ୍ଟ ଆଦି ସାମଗ୍ରୀ ଜବତ କରାଯାଇଛି।
ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ଟାଉନ ଥାନାରେ କେସ ନମ୍ବର ୨୩୯/୨୧ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏ ସମ୍ପର୍କରେ ଅଧିକ ତଦନ୍ତ ଜାରିରହିଛି ବୋଲି ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି