ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟ ର ୬୨ ତମ ସାମ୍ବତ୍ସରିକ ଉତ୍ସବ ପାଳନ

ଅଧ୍ୟୟନ ପ୍ରତିଷ୍ଠାନରେ ସମ୍ବର୍ଦ୍ଧିତ ହେଲେ ପୁରାତନ ଛାତ୍ର

ଖୋର୍ଦ୍ଧା : ୨୮/୦୧ (ପ୍ରବାହ ନିଉଜ୍)  ରାଜ୍ୟର ଏକ ପ୍ରମୁଖ ମହାବିଦ୍ୟାଳୟ ରୂପେ ପରିଚିତ ପ୍ରାଣନାଥ ମହାବିଦ୍ୟାଳୟ ର ୬୨ ତମ ସାମ୍ବତ୍ସରିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ।କାର୍ଯ୍ୟକ୍ରମ ଆରମ୍ଭରେ କଲେଜ ଅଧ୍ୟକ୍ଷା ରଞ୍ଜିତା ସେଠୀ ବାର୍ଷିକ ବିବରଣୀ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ।

ସ୍ଥାନୀୟ ଵିଧ୍ୟାୟକ ତଥା କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଅଧକ୍ଷତାରେ ପାଳିତ ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଯୋଗ ଦେଇ ଚଳିତ ବର୍ଷର ମର୍ଯ୍ୟାଦା ଜନକ ପ୍ରାଣନାଥ ସମ୍ମାନ ଜାତୀୟ ସ୍ତରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଓ ନିର୍ବାଚନ ଆୟୋଗଙ୍କ ପୂର୍ବତନ ପରାମର୍ଶଦାତା ଶ୍ରୀ ଭଗବାନ ପ୍ରକାଶଙ୍କୁ ସମ୍ମାନୀତ କରିଥିଲେ।

ଉତ୍ସବ ପାଳନ ଅବସରରେ ଭଗବାନ ପ୍ରକାଶ କଲେଜର ପ୍ରତିଷ୍ଠାତା ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ସେ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ଗୁଣୀ ବ୍ୟକ୍ତିଙ୍କୁ ଚୟନ କରି ନିଜ କଲେଜରେ ନିଯୁକ୍ତ କରୁଥିଲେ । ଶେଷରେ କେବଳ ଡ଼ିଗ୍ରୀ ହାସଲ କରିବା ଶିକ୍ଷାର ମାନଦଣ୍ଡ ହେବନାହିଁ ବରଂ ଶିକ୍ଷାଦାନ ପଦ୍ଧତିକୁ ଉନ୍ନତ ମାନର କରିବା ପାଇଁ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ଙ୍କୁ ପରାମର୍ଶ ଦେଇଥିଲେ।  ସେହିପରି ଖୋର୍ଦ୍ଧା ସହିତ ଓତପ୍ରତଃ ଭାବେ ଜଡ଼ିତ ବିଶିଷ୍ଟ ସାହିତ୍ୟିକା ତଥା ଲେଖିକା ବନଜ ଦେବୀଙ୍କୁ ମଞ୍ଜରୀ ସାହିତ୍ୟ ସମ୍ମାନ ଏବଂ ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତକାର  ପ୍ରେମାନନ୍ଦଙ୍କୁ ପ୍ରାଣନାଥ ସଙ୍ଗୀତ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ଏହା ସହିତ ପୁରାତନ ଛାତ୍ର ସଂସଦ ତରଫରୁ ଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରିଦର୍ଶିତା ଅର୍ଜନ କରିଥିବା ଯୁବ ସମାଜସେବୀ ତଥା ପୂର୍ବତନ ଛାତ୍ର ସଞ୍ଜୟ ପଟ୍ଟନାୟକ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଏଜିଏମ ଲକ୍ଷ୍ମୀ ନାରାୟଣ ଭଞ୍ଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଡାକ୍ତର ବିଶ୍ୱନାଥ ପାଢ଼ୀ ପ୍ରମୁଖଙ୍କୁ ଆଲୁମୁନି ଆୱାର୍ଡରେ ସମ୍ମାନୀତ କରାଯାଇଛି । ପରିଶେଷରେ କଲେଜର ପୂର୍ବତନ ଦୁଇ ଅଧ୍ୟକ୍ଷା ଡ଼ଃ ସୌଦାମିନୀ ଦାଶ ଓ ବିଶ୍ୱମୋହିନୀ ମଙ୍ଗରାଜଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା ।

ଉକ୍ତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ପଟ୍ଟନାୟକ ଓ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।  ସର୍ବଶେଷରେ ଜିଲ୍ଲାପାଳ ସନତ ମହାନ୍ତି ଗତବର୍ଷ ବାଣିଜ୍ୟ ବିଭାଗର ଛାତ୍ର ଆଦିତ୍ୟନାଥ ପୃଷ୍ଟି,  କଳାରେ ଟପ୍ପର ରୂପାଲି ସାହୁ ଓ ଗତବର୍ଷର  କଲେଜ ଟପ୍ପର ତଥା ବିଜ୍ଞାନ ରେ ଶ୍ରେଷ୍ଠ ବିବେଚିତ ପ୍ରାଚୀପ୍ରଜ୍ଞା ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଓ ଏହା ସହିତ ପଚାଶରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *