ତିରିଶ୍ ବର୍ଷ ତଳେ ନିଖୋଜ ଆଗ୍ନିକ ନୃସିଂହ ଚରଣ ପଟ୍ଟନାୟକଙ୍କ  ପରିବାରକୁ ୧୯ ଲକ୍ଷ ପେନସନ୍ ରାଶି ପ୍ରଦାନ

ଛତ୍ରପୁର ତା. ୨୧.୦୭.୨୦୨୩ ଜିଲ୍ଲା କୋଷାଗାର ଗଞ୍ଜାମ ଛତ୍ରପୁର ଠାରେ ଏକ ବର୍ଣ୍ଣାଢ୍ଯ ଉତ୍ସବରେ  ୧୯୯୩ ମସିହାରେ ଛତ୍ରପୁର ଅଗ୍ନିଶମ ସେବା କେନ୍ଦ୍ରରୁ ନିଖୋଜ ହୋଇଯାଇଥିବା ଆଗ୍ନିକ ନୃସିଂହ ଚରଣ ପଟ୍ଟନାୟକଙ୍କ ପରିବାରକୁ ତାଙ୍କର ନ୍ଯାଯୋଚିତ ପ୍ରାପ୍ଯ ୧୯ ଲକ୍ଷ ଟଙ୍କା ସହ ପରିବାର ପେନସନ୍ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା , ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସ୍ବତନ୍ତ୍ର କୋଷାଗାର ଅଧିକାରୀ ହରିଶ୍ଚନ୍ଦ୍ର ପ୍ରଧାନ , ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ ବିଚିତ୍ର କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଉତ୍ସବରେ ଜିଲ୍ଲା କୋଷାଗାର ଅଧିକାରୀ ସୁଶ୍ରୀ ଅଳକାନନ୍ଦା ତ୍ରିପାଠୀ ସଭାପତିତ୍ବ କରିଥିଲେ ।

      ଏହି ଅବସରରେ ମୁଖ୍ଯ ଅତିଥି ତଥା ବିଧାୟକ ଶ୍ରୀ ବେହେରା ଏଭଳି ଏକ ବିରଳ ଏବଂ ଜଟିଳ ପେନସନ୍ ନ୍ଯାୟିକ ଜଟିଳତା ହେତୁ ଏକ ଅସମ୍ଭବ ପରିସ୍ଥିତିରେ ରହିଥିଲା ବୋଲି କହିଥିଲେ । କାରଣ ୧୯୯୩ ମସିହାରେ ଆଗ୍ନିକ ଶ୍ରୀ ପଟ୍ଟନାୟକ ଯେବେ ଅଗ୍ନିଶମ କେନ୍ଦ୍ରରୁ ନିଖୋଜ ହୋଇଥିଲେ ସେ ପୁନର୍ବାର କାର୍ଯ୍ୟରେ ଯୋଗଦାନ ନକରିବା ହେତୁ ଅଗ୍ନିଶମ ବିଭାଗ ତରଫରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଥିଲା । ଚାକିରୀ ରୁ ବହିଷ୍କୃତ ହୋଇଥିବା ବ୍ଯକ୍ତି ସରକାରୀ ନିୟମ ଅନୁସାରେ ପେନସନ୍ ର ଅଧିକାରୀ ହୋଇ ନଥାଏ । କିନ୍ତୁ ପରବର୍ତ୍ତି ସମୟରେ ସେହି ବହିଷ୍କୃତ ବ୍ଯକ୍ତି ଆଉ ଫେରି ନଥିଲେ ଏବଂ କୌଣସି କୋର୍ଟ ମଧ୍ଯ ତାଙ୍କୁ ମୃତ ଘୋଷଣା କରିନଥିଲେ । ନିଖୋଜ ଆଗ୍ନିକଙ୍କ ପତ୍ନୀ ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ ବିଭିନ୍ନ ମହଲରେ ନିଜ ପତିଙ୍କ ପେନସନ୍ ପାଇବା ଲାଗି ଅନେକ ପ୍ରାର୍ଥନା ଓ ଅନୁନୟ କରିଥିଲେ ।    

        ପ୍ରଥମତଃ ୨୦୨୨ ମସିହାରେ ତତ୍କାଳିନ ଅଗ୍ନିଶମ ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ଯାୟ ଏବଂ ଅଗ୍ନିଶମ ନିର୍ଦ୍ଦେଶାଳୟର ଲେଖା ଅଧିକାରୀ ଏବଂ ବର୍ତ୍ତମାନର ଜିଲ୍ଲା କୋଷାଗାର ଅଧିକାରୀ ସୁଶ୍ରୀ ଅଳକାନନ୍ଦା ତ୍ରିପାଠୀଙ୍କ ମିଳିତ ଉଦ୍ଯମରେ ଏହି ପେନସନ୍ ପଛରେ ଥିବା ନ୍ୟାୟିକ ଜଟିଳତା ଗୁଡିକୁ ହଟାଇ ଦିଆଯାଇଥିଲା । କହିବା ବାହୁଲ୍ୟଯେ, ଏଥିରେ ଓଡିଶା ସରକାରଙ୍କ ଅର୍ଥ ବିଭାଗ, ଗୃହ ବିଭାଗ,ଆଇନ ବିଭାଗ, ଏ.ଜି. ଓଡିଶା ଓ ଅଗ୍ନିଶମ ନିର୍ଦ୍ଦେଶାଳୟ ମଧ୍ଯରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେହିଁ ଏହି ପେନସନ୍ ପ୍ରଦାନ କରିବାର ସରକାର ସଫଳତା ପ୍ରାପ୍ତ ହେଲେ । ତେଣୁ ବିଧାୟକ ଶ୍ରୀ ବେହେରା ଏହିଭଳି ଅର୍ଥ ବିଭାଗ ଦ୍ବାରା ନିଆଯାଉଥିବା  ଯୁଗାନ୍ତକାରୀ ପଦକ୍ଷେପ ଗୁଡିକୁ ଜିଲ୍ଲା କୋଷାଗାର ଲୋକଲୋଚନକୁ ଆଣିଥିବା ଯୋଗୁଁ ଭୂଯସୀ ପ୍ରଶଂସା କରିଥିଲେ । ସମ୍ମାନୀୟ ଅତିଥି ହରିଶ୍ଚନ୍ଦ୍ର ପ୍ରଧାନ ବ୍ଯକ୍ତିଗତ ଭାବେ ଜିଲ୍ଲା କୋଷାଗାରକୁ ଏଭଳି ଏକ ଉତ୍ସବ ଆୟୋଜନ କରାଯାଇଥିବା ଯୋଗୁଁ ଜିଲ୍ଲା କୋଷାଗାର ଅଧିକାରୀଙ୍କୁ ଧନ୍ୟବାଦ ଦେବା ସହ କୋଷାଗାରର ବହୁମୁଖୀ ଲୋକୋପକାରୀ ଭୂମିକାଗୁଡିକୁ ଉଦାହରଣ ସହ ଉପସ୍ଥାପନ କରିଥିଲେ । ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ ଶ୍ରୀ ପଣ୍ଡା ପୂର୍ବେ ସୁଶ୍ରୀ ତ୍ରିପାଠୀଙ୍କ ସହ କାର୍ଯ୍ୟ କରିବାର ଅନୁଭୂତି ଗୁଡିକୁ ବର୍ଣ୍ଣନା କରିବା ସହିତ କିଭଳି ଏକ ଅସମ୍ଭବ କାର୍ଯ୍ୟକୁ କୋର୍ଟର ସହାୟତା ନନେଇ ସମାଧାନ କରାଗଲେ ତାର ବିବରଣୀ ପ୍ରଦାନ କରିଥିଲେ ।

    ଏହାପରେ ସଭାପତି ତଥା ଜିଲ୍ଲା କୋଷାଗାର ଅଧିକାରୀ ସୁଶ୍ରୀ ଅଳକାନନ୍ଦା ତ୍ରିପାଠୀ ୨୦୨୨ମସିହା ଠାରୁ ଉତ୍ସବ ଦିନ ପର୍ଯ୍ୟନ୍ତ ସମସ୍ତ ଉଦ୍ୟମ ଏବଂ ଏହି ଜଟିଳ ପେନସନ୍ ର ଦିଗ ଗୁଡିକୁ ପର୍ଯ୍ୟାଲୋଚନା କରିଥିଲେ । ଏହି ପେନସନ୍ କେସ୍ ସମାଧାନର ଶ୍ରେୟ ସମ୍ପୂର୍ଣ୍ଣ ଓଡିଶା ସରକାରଙ୍କର ବୋଲି ମତବ୍ଯକ୍ତ କରିଥିଲେ ।

      ଏହି ଅବସରରେ ଜିଲ୍ଲା କୋଷାଗାର ତରଫରୁ ଉତ୍କର୍ଷ ଜନସେବା ଲାଗି ଗଞ୍ଜାମ ଜିଲ୍ଲାର ଚାରିଜଣ କୃତୀ ଅଧିକାରୀ ଯଥା ଦିବାକର ବେହେରା (କୋଦଳା), ଜ୍ଞାନୀଲ କୁମାର ଖଟେଇ (ପୁରୁଷୋତ୍ତମପୁର), ଶ୍ରୀମତୀ ଜାନକୀ ପଟ୍ଟନାୟକ (ଛତ୍ରପୁର)  ଓ କେ. ସୋମେସୁ (ଚିକିଟି)ଙ୍କୁ ଉପଢୌକନ ସହ “ଉତ୍କର୍ଷ ସେବା ସମ୍ମାନ-2023” ପ୍ରଦାନ କରାଯାଇଥିଲା । 

     ଏହାପରେ ଅତିଥିମାନେ ନିଖୋଜ ଆଗ୍ନିକ ନୃସିଂହ ଚରଣ ପଟ୍ଟନାଯକଙ୍କ ପରିବାରଙ୍କୁ 19ଲକ୍ଷ ପେନସନ୍ ରାଶି ପ୍ରଦାନ କରିବା ସହ ପେନସନ୍ ଖାତା ହସ୍ତାନ୍ତର କରିଥିଲେ ।

      ଏହି ଉତ୍ସବରେ ମଞ୍ଚପରିଚାଳନା କରିଥିଲେ ଅତିରିକ୍ତ ଜିଲ୍ଲା କୋଷାଗାର ଅଧିକାରୀ ସତ୍ୟଜିତ୍ ମହାନ୍ତି ଏବଂ ବରିଷ୍ଠ ଗାଣିତିକ ରବୀନ୍ଦ୍ର ନାଥ ସାହୁ । ଗଞ୍ଜାମ ଜିଲ୍ଲାର ସମସ୍ତ ଟ୍ରେଜେରୀ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ସନ୍ତୋଷ କୁମାର ଦାଶ, ରଶ୍ମିରଞ୍ଜନ ପାଇକ, ଜିତେନ୍ଦ୍ର ସେଠୀ ପ୍ରମୁଖ ସହଯୋଗ କରିଥିଲେ ।

      ସର୍ବଶେଷରେ ଜିଲ୍ଲା କୋଷାଗାର ଅଧିକାରୀ ସୁଶ୍ରୀ ଅଳକାନନ୍ଦା ତ୍ରିପାଠୀ ଅତିଥି ମାନଙ୍କୁ ଏବଂ ସହକର୍ମୀ ମାନଙ୍କୁ ଉତ୍ସବର ସଫଳତାଲାଗି ଅଶେଷ ଧନ୍ଯବାଦ ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *