କନ୍ଧମାଳରେ ପୁଲିସ ଓ ମାଓବାଦୀ ଗୁଳିବିନିମୟ ଜାରି, ମିଳିଲାଣି ବିପୁଳ ମାଓ ସାମଗ୍ରୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଏବଂ ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଢ଼ାନଈର ଦକ୍ଷିଣ ସଂରକ୍ଷଣ ସିନ୍ଧିପଙ୍ଖାଲ ଜଙ୍ଗଲରେ ଗତ ଦୁଇଦିନ ଧରି ମାଓବାଦୀ ଓ ପୁଲିସ ମଧ୍ୟରେ ଛକାପଞ୍ଝା, ଗୁଳି ବିନିମୟ ଜାରି ରହିଛି। କମ୍ବିଂ ଅପରେସନ୍‌ରେ ପୁଲିସ ଏକାଧିକ ମାଓ କ୍ୟାମ୍ପ୍‌ ଧ୍ବଂସ କରିବା ସହିତ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି। ଏସ୍‌ଓଜି ଯବାନଙ୍କ କମ୍ବିଂ ଅପରେସନ୍‌ ବେଳେ ମାଓବାଦୀ ପୁଲିସ ଉପରକୁ ରକେଟ୍‌ ଲଞ୍ଚର୍‌ ଓ ଦେଶୀ ମୋର୍ଟାର ମାଡ଼ କରିଥିଲେ। ଜବାବରେ ପୁଲିସ ମଧ୍ୟ ‌ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ତେବେ ମାଓବାଦୀଙ୍କ ଗୁଳି ମାଡ଼ରେ ଗଣେଶ୍ବର ରାଣା ନାମକ ଜଣେ ପୁଲିସ ଗୁରୁତର ଆହତ ହୋଇଛନ୍ତି। ସେହିଭଳି ପୁଲିସ ଗୁଳିରେ ବହୁ ମାଓବାଦୀ ଆହତ ହୋଇ ଜଙ୍ଗଲ ମଧ୍ୟକୁ ଚାଲି ଯାଇଛନ୍ତି ବୋଲି କନ୍ଧମାଳ ଏସ୍‌.ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି। ତୁମୁଡ଼ିବନ୍ଧ ଏବଂ ବାଲିଗୁଡ଼ା ଜଙ୍ଗଲରେ ପୁଲିସର କମ୍ବିଂ ଅପରେସନ୍‌କୁ ଆହୁରି ଜୋର୍‌ଦାର୍‌ କରାଯାଇଛି ବୋଲି ଏସ୍‌ପି ଶ୍ରୀ ପାତ୍ର କହିଛନ୍ତି।

ପୁଲିସ ଅପରେସନ୍‌ରେ ଧ୍ବସ୍ତ ମାଓ କ୍ୟାମ୍ପ୍‌ରୁ ଗୋଟିଏ ରାଇଫଲ୍‌, ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ ମୋର୍ଟାର୍‌, ଗୋଟିଏ ଟିଫିନ୍‌ ବୋମା, ବିଦ୍ୟୁତ୍‌ ତାର, ୱାକିଟକି ଚାର୍ଜର୍‌, କୁରାଢ଼ି, ଷ୍ଟିଲ୍‌ ଟିଫିନ୍‌ ବକ୍ସ, ହାଭରସ୍ୟାକ୍‌ ପୋଷାକ, ମାଗାଜିନ୍‌ ପାଉଚ୍‌, ଔଷଧ, କଣ୍ଟ୍ରାସେପ୍‌ଟିଭ୍‌, ବ୍ୟାଗ୍‌, ମାଓ ପୋଷାକ, କମ୍ବଳ, ବେଡ୍‌ସିଟ୍‌, ମହିଳା ପୋଷାକ, ଖାଦ୍ୟ ସାମଗ୍ରୀ ରହିଛି। କିଛି ଦିନର ନିରବତା ପରେ ମାଓବାହିନୀ କନ୍ଧମାଳ ଜିଲ୍ଲାରେ ବଳଶାଳୀ ହୋଇ ପୁଣି ନିଜର ସ୍ଥିତି ଜାହିର କରିଛି, ଯାହା ପୁଲିସର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *