ମୂର୍ତ୍ତି କାରିଗରଙ୍କ ଆଖିରେ ଲୁହ
ରାତି ପାହିଲେ ଗଣେଶ ପୂଜା
କୌଳିକ ବୃତ୍ତି ଉପରେ ପଡ଼ିଛି କରୋନା ଛାଟ
ଭଦ୍ରକ, (ପ୍ରବାହ ନ୍ୟୁଜ୍): ରାତି ପାହିଲେ ଗଣେଶ ଚତୁର୍ଥୀ । ଘରେ ଘରେ ପୂଜା ପାଇବେ ବିଘ୍ନନାଶକ । କିନ୍ତୁ ଯେଉଁ ପୂଜାରେ ମୂର୍ତ୍ତୀ ଗଢ଼ି ନିଜର ପରିବାର ପ୍ରତିପୋଷଣ କରୁଥିଲେ, ସେସମସ୍ତ ମୂର୍ତ୍ତୀ କାରିଗରଙ୍କ ଆଖିରେ ଲୁହ । କରୋନା ପାଇଁ ପ୍ରଶାସନିକ କଟକଣା ଆଣିଦେଇଛି ସେମାନଙ୍କ କୌଳିକ ବୃତ୍ତି ଉପରେ ଶକ୍ତ ଆଘାତ । ବିଭିନ୍ନ ସୂତ୍ରରୁ ବିଶେଷ କରି ମହିଳା ସ୍ୱୟସ ସହାୟିକା ଗୋଷ୍ଠିଙ୍କ ସହଯୋଗରେ କରଜ କରି ମୂର୍ତ୍ତୀ ନିର୍ମାଣରେ ଅର୍ଥ ବିନିଯୋଗ କରିଥିବା ଅଧିକାଂଶ ମୂର୍ତ୍ତୀ କାରିଗର କେବଳ ଅନାଇ ବସିଛନ୍ତି ଗ୍ରାହକଙ୍କୁ । ପ୍ରସ୍ତୁତ କରିଥିବା ମୂର୍ତ୍ତୀ ବିକ୍ରୀ ହେବ କି ନାହିଁ ସେମାନେ ସନ୍ଦେହ ମଧ୍ୟରେ ରହିଛନ୍ତି ।
ଚଳିତ ବର୍ଷ କରୋନା ସଂକ୍ରମଣକୁ ରୋକିବା ନିମିତ୍ତ ଜିଲ୍ଲା ପ୍ରଶାସନ ଗଣେଶ ପୂଜା ପାଳନ ଉପରେ ରୋକ ଲଗାଇଛି । ସହରର ସ୍ଥାୟୀ ମଣ୍ଡପ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ପୂଜା ଅନୁଷ୍ଠିତ ହୋଇ ପାରିବ ନାହିଁ । ତେଣୁ ପୌରାଞ୍ଚଳର ଶତାଧିକ ଅସ୍ଥାୟୀ ମଣ୍ଡପ ଚଳିତ ବର୍ଷ ଫାଙ୍କା ପଡ଼ିବ । ତେଣୁ କାରିଗର ନିର୍ମାଣ କରିଥିବା ମୂର୍ତ୍ତୀ ବିକ୍ରୀ ନହୋଇ ରହିଯିବ ବୋଲି ସେମାନଙ୍କର ଆଶଙ୍କା । କେବଳ ଗଣେଶ ପୂଜା ନୁହେଁ ଆଗକୁ ଆସୁଥିବା ବିଶ୍ୱକର୍ମା, ଦୁର୍ଗା, ଭାଲକୁଣୀ, ସରସ୍ୱତୀ ପୂଜା ସମୟରେ ମଧ୍ୟ ଅନୁରୂପ କଟକଣାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସେମାନେ ଭାବୁଛନ୍ତି । ତେଣୁ କରୋନା କଟକଣା ପାଇଁ ମୂର୍ତ୍ତୀ କାରିଗରଙ୍କ ଜୀବନ ଜିବୀକା ଗଭୀର ଭାବେ ବାଧାପ୍ରାପ୍ତ ହୋଇଛି । ବିଶେଷକରି ଭଦ୍ରକ ପୌରାଞ୍ଚଳରେ ଏହି କାରିଗରଙ୍କ ପରିବାର ଏବେ ନାନା ଆଶା ଓ ଆଶଙ୍କା ମଧ୍ୟରେ ଗତି କରୁଛନ୍ତି ।
ଭଦ୍ରକ ପୌରାଞ୍ଚଳ ୧୩ନମ୍ବର ୱାର୍ଡ଼ର କୁମ୍ଭାରସାହି । ଏହି ସାହିରେ ପ୍ରାୟ ୫୦ ପରିବାର ବାସ କରୁଥିବାବେଳେ, ମୂର୍ତ୍ତୀ ନିର୍ମାଣ କାର୍ଯ୍ୟରେ ୧୨ରୁ ଉର୍ଦ୍ଧ୍ୱ ପରିବାର ନିଜକୁ ନିୟୋଜିତ କରିଥାନ୍ତି । ମାଟି ହାଣ୍ଡି ଗଢ଼ିବା ଠାରୁ ଆରମ୍ଭ କରି ମୂର୍ତ୍ତୀ ନିର୍ମାଣ ପର୍ଯ୍ୟନ୍ତ ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ପରିବାର ଏହି ବୃତ୍ତିରେ ଜଡ଼ିତ । କିନ୍ତୁ କଞ୍ଚାମାଲ ଓ ପ୍ରୋତ୍ସାହନ ଅଭାବରୁ ଏବେ ସେମାନେ କେବଳ ମୂର୍ତ୍ତୀ ନିର୍ମାଣ କାର୍ଯ୍ୟ କରୁଛନ୍ତି । ବର୍ଷକରେ ବିଭିନ୍ନ ପୂଜା ପାଇଁ ସେମାନେ ୧୦ହଜାରରୁ ଉର୍ଦ୍ଧ୍ୱ ମୂର୍ତ୍ତୀ ଗଢ଼ିଥାଆନ୍ତି । ମୂର୍ତ୍ତୀ ବିକ୍ରୀ ଅର୍ଥରେ ସେମାନଙ୍କ ପରିବାର ପ୍ରତିପୋଷଣ ହୋଇଥାଏ ।
ଗଣେଶ ପୂଜାର ପ୍ରାୟ ୨ମାସ ପୂର୍ବରୁ ଆମେ ମୂର୍ତ୍ତୀ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଥାଉ ବୋଲି କୁହନ୍ତି ସଂପୃକ୍ତ ଗ୍ରାମର ଚକ୍ରଧର ବେହେରା । ଚଳିତ ବର୍ଷ ମଧ୍ୟ ଏପରି ପ୍ରସ୍ତୁତି ଆରମ୍ଭ କରିଥିଲେ ଏସମସ୍ତ ମୂର୍ତ୍ତୀ କାରିଗର ପରିବାର । କରୋନା ପାଇଁ କଟକଣା ଥିବା ସତ୍ତ୍ୱେ ପୂଜା ପାଇଁ ପ୍ରଶାସନର କ’ଣ ଆଭିମୁଖ୍ୟ ରହିବ ସେ ବିଷୟରେ କିଛି ବି ଭାବିନଥିଲେ । ପ୍ରଥମେ କୁଟାରେ ଛାଞ୍ଚ ଭିଡ଼ି ମାଟିର ପ୍ରଲେପ ଦେବା ପରେ ଶେଷରେ ହର୍ବାଲ ରଙ୍ଗରେ ମୂର୍ତ୍ତୀଗୁଡ଼ିକୁ ଜୀବନ୍ତ କରି ଗଢ଼ିବାକୁ ଉଦ୍ୟମ କରିଥିଲେ । ଏବେ ମୂର୍ତ୍ତୀ ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ତଥାପି ଆଶା ଓ ଆଶଙ୍କା ମଧ୍ୟରେ ରହି ମୁଁ ଚଳିତ ବର୍ଷ ମାତ୍ର ୨୫ପ୍ରତିଶତ ମୂର୍ତ୍ତୀ ନିର୍ମାଣ କରିଛି ବୋଲି କହିଛନ୍ତି ଚକ୍ରଧର । ୬ଇଞ୍ଚ ଠାରୁ ଆରମ୍ଭ କରି ୬ଫୁଟ ଉଚ୍ଚତାର ମୂର୍ତ୍ତୀ ପ୍ରସ୍ତୁତ କରିଛି । କିନ୍ତୁ ଗ୍ରାହକ କିଣିବାକୁ ଆସିବେ କି ନାହିଁ ଜାଣିନି । ଋଣ କରଜ କରି ଅର୍ଥ ଖର୍ଚ୍ଚ କରିବା ପରେ ଲାଭ ପଛର କଥା ମୂଳ ଉଠିବ କି ନାହିଁ ମୁଁ ଜାଣେନାହିଁ ବୋଲି ଲୁହ ଛଳଛଳ ଆଖିରେ କହିଛନ୍ତି ବୟସ୍କ କାରିଗର ଚକ୍ରଧର । ସେହିପରି ଉକ୍ତ ଗ୍ରାମର ଯୁବ କାରିଗର ସଂଜୟ ରଣାଙ୍କ କହିବା କଥା ହେଲା ଚଳିତ ବର୍ଷ ମୁଁ ୫୦ହଜାର ଟଙ୍କା ଗଣେଶ ମୂର୍ତ୍ତୀ ନିର୍ମାଣରେ ଖର୍ଚ୍ଚ କରିଛି । ୧୦/୧୨ଜଣ ପିଲା ମୋତେ ଏହି କାର୍ଯ୍ୟରେ ସାହାର୍ଯ୍ୟ କରୁଛନ୍ତି । ମୂର୍ତ୍ତୀ ଠିକ ଦାମରେ ବିକ୍ରୀ ହୋଇଥିଲେ ୨ଲକ୍ଷ ଟଙ୍କା ହୋଇଥାଆନ୍ତା । କିନ୍ତୁ ଏବେ କରୋନାକୁ ନେଇ ଯେଉଁ ଅନିଶ୍ଚିତତା ସୃଷ୍ଟି ହୋଇଛି ପିଲାମାନଙ୍କ ପଇସା ଦେଇ ପାରିବି କି ନାହିଁ ଜାଣି ନାହିଁ । ଅଳ୍ପ କେତେକ ବଡ଼ ମୂର୍ତ୍ତୀ ପାଇଁ ଗ୍ରାମାଞ୍ଚଳରୁ ବରାଦ ଆସିଛି । କିନ୍ତୁ ମଧ୍ୟମ ଆକାରର ମୂର୍ତ୍ତୀ ଯେଉଁ ଶିକ୍ଷାନୁଷ୍ଠାନ, କ୍ଲବ ଓ ସାମାଜିକ ଅନୁଷ୍ଠାନଙ୍କୁ ଦୃଷ୍ଟିରେ ରଖି ତିଆରି କରିଥିଲି ସେଗୁଡ଼ିକ ବିକ୍ରୀ ନହୋଇ ରହିଯିବ । କରୋନା ସମୟରେ ସରକାର କେବଳ ଚାଉଳ ଡ଼ାଲି ପରି ରେସନ ସାମଗ୍ରୀ ଦେଇ ଚୁପ ବସିଗଲେ ଚଳିବ ନାହିଁ । ଆମର ଜିବୀକା ପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର ବୋଲି କହିଛନ୍ତି ବିମର୍ଷ ବଦନରେ ସଂଜୟ ।
କରୋନା ପାଇଁ ସମସ୍ତ ବର୍ଗର ଲୋକେ ପ୍ରଭାବିତ ହୋଇଥିବାବେଳେ, ଏଥିରୁ ବାଦ ପଡ଼ି ନାହାନ୍ତି ଏହି ସମ୍ପ୍ରଦାୟ । କେବଳ ଚକ୍ରଧର କିମ୍ବା ସଂଜୟଙ୍କ ପରିବାର ନୁହେଁ, ପୌରାଞ୍ଚଳର ୧୫ରୁ ଉର୍ଦ୍ଧ୍ୱ ପରିବାର ସମେତ ଜିଲ୍ଲାର ଶତାଧିକ ମୂର୍ତ୍ତୀ ପ୍ରସ୍ତୁତ କରୁଥିବା ପରିବାର ଏବେ କରୋନା ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଗଣେଶ ପୂଜାରେ ନହେଲା ନାହିଁ, ଶୀଘ୍ର କରୋନା ଆତଙ୍କ ଅପସରି ଗଲେ ଆଗାମୀ ଦିନରେ ଆସୁଥିବା ପୂଜାମାନଙ୍କରେ ସେମାନେ ହୁଏତ ଅଣ୍ଟା ସଳଖି ଛିଡ଼ା ହେବାକୁ ଚେଷ୍ଟା କରନ୍ତେ ।
