ରଥଯାତ୍ରା ବନ୍ଦ ପାଇଁ ଫିକ୍ସିଂ କରିଥିଲେ ରାଜ୍ୟ ସରକାର

0
SATYA NAYAK PRESS MEET (2)
  • ଆଇନମନ୍ତ୍ରୀ , ଏଜିଙ୍କୁ ବହିଷ୍କାର ଦାବି କଲା କଂଗ୍ରେସ
    ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ରଥଯାତ୍ରା ବନ୍ଦ କରିବାକୁ ରାଜ୍ୟ ସରକାର ଭୟଙ୍କର ଷଡଯନ୍ତ୍ର ରଚିଥିଲେ ।ଏପରିକି ଅଦାଲତଙ୍କ ଆଢୁଆଳରେ ଏକ ନିର୍ଦ୍ଧିଷ୍ଟ ଏନଜିଓ ସଂସ୍ଥା ସହ ଭିତିରିଆ ଫିକ୍ସିଂ କରିଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହି ଘଟଣାରେ ଆଇନ୍ ମନ୍ତ୍ରୀ ଓ ଆଡଭୋକେଟ୍ ଜେନେରାଲଙ୍କୁ ଦାୟିତ୍ୱରୁ ହଟାଇବାକୁ କଂଗ୍ରେସ ଦାବି କରିଛି ।
    ଏକ ଚାନେଲରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ସାକ୍ଷାତକାରକୁ ଆଧାର କରି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ପ୍ରକାଶ କରିଛନ୍ତି ଯେ କୋଟି କୋଟି ଓଡ଼ିଆ ଓ ଶ୍ରୀ ଜଗନ୍ନାଥପ୍ରେମୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ରାଜ୍ୟ ସରକାର । ଗଜପତି ମହାରାଜ କେବଳ ମହାପ୍ରଭୁଙ୍କ ଆଦ୍ୟ ସେବକ ନୁହନ୍ତି ସିଏ ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ମଧ୍ୟ । ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନିଯାୟୀ ତାଙ୍କର ନିଷ୍ପତି ଚୂଡାନ୍ତ ଅଥଚ ରାଜ୍ୟ ସରକାର ତାଙ୍କ ତିନି ତିନିଟା ଚିଠିର ଉତର ମଧ୍ୟ ଦେଇନାହାନ୍ତି ।
    ଏ ଘଟଣାରୁ ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ଓ ଆଇନ ମନ୍ତ୍ରୀଙ୍କ ଭୂମିକା ସନ୍ଦେହ ଘେରରେ । ଆଡଭୋକେଟ ଜେନେରାଲ ହେଉଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଆଇନ ପରାମର୍ଶଦାତା । ହାଇକୋର୍ଟ ରଥଯାତ୍ରା ନେଇ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ୱ ଛାଡିବା ପରେ କିଏ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ ଚୁପ ବସି ପଡିବା ପାଇଁ ବୋଲି ଉତର କଂଗ୍ରେସ ଚାହୁଁଛି ବୋଲି ଶ୍ରୀ ନାୟକ କହିଛନ୍ତି । କଂଗ୍ରେସ ପ୍ରଥମରୁ କହିଆସୁଥିଲା ରଥଯାତ୍ରା ହେଉ ବୋଲି,ଏ ସଂକ୍ରାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖିଥିଲେ । ପୁରୀ ଜିଲ୍ଲା ଯୁବକଂଗ୍ରେସ ର ସାଧାରଣ ସମ୍ପାଦକ ବିଶ୍ୱନାଥ ଦାଶ ହାଇକୋର୍ଟ ଠୁଁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ । ତେଣୁ ପ୍ରଦେଶ କଂଗ୍ରେସ ଦାବି କରୁଛି ଯେ ଯଦି ନବୀନବାବୁ ମିଳିତଭାବେ ଏହି ଷଡଯନ୍ତ୍ର ରଚି ନାହାନ୍ତି ତେବେ ଆଡଭୋକେଟ ଜେନେରାଲଙ୍କୁ ବହିଷ୍କାର କରନ୍ତୁ ଏବଂ ଆଇନମନ୍ତ୍ରୀ ଙ୍କୁ ତୁରନ୍ତ ପଦବୀରୁ ହଟାନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *