ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡର ଜେନେରାଲ ମ୍ୟାନେଜରଙ୍କ ଘର ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦର୍ଜୀ। ଆଜି ତାଙ୍କର ସମ୍ବଲପୁର ଜିଲ୍ଲାର ବୁର୍ଲା କର୍ପୋରେଟ୍ ଅଫିସ୍, ବାସଭବନ ସମେତ କେତେକ ସ୍ଥାନରେ ଏକକାଳୀନ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଚଢ଼ାଉ ହେଉଛି।

ଜଣେ ଡିଏସପିଙ୍କ ସମେତ, ଛଅ ଜଣ ଇନ୍ସପେକ୍ଟର, ଦୁଇ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀଙ୍କ ଦ୍ୱାରା ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ୩ଟି ସ୍ଥାନରେ ଏକକାଳୀନ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି। ଏଯାବତ୍ ସନ୍ତୋଷଙ୍କ ଘରୁ ନଗଦ ୬ ଲକ୍ଷ ୨୮ ହଜାର ଟଙ୍କା ଜବତ ହୋଇଥିବାର ସୂଚନା ମିଳିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସନ୍ତୋଷ କୁମାର ଦର୍ଜୀଙ୍କ ଘରେ ଏହି ଚଢ଼ାଉ ଜାରି ରହିଛି। ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ଦ୍ୱାରା ଏହି ଏକକାଳୀନ ଚଢ଼ାଉ ଚାଲିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦର୍ଜୀଙ୍କ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବୁର୍ଲାରେ ଥିବା ବାସଭବନ, ବୁର୍ଲା କର୍ପୋରେଟ୍ ଅଫିସରେ ଶ୍ରୀ ଦର୍ଜୀଙ୍କ କାର୍ଯ୍ୟାଳୟ, ବରଗଡ଼ ଜିଲ୍ଲା ଅତାବିରାଠାରେ ନିଜ ଗାଁରେ ଏହି ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉ ବେଳେ ଏପର୍ଯ୍ୟନ୍ତ ୬.୨୮ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଏସଂପର୍କରେ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *