ମାନବ ବାଦ ସଙ୍ଗଠନ ର ମୁଖ୍ୟ ମାନସ ଦାସଙ୍କ ରାଜନୈତିକ ଲିଙ୍କର ଆସିଲା ସାଙ୍ଘାତିକ ଅଭିଯୋଗ : ଅଭିଯୋଗ ଆଣିଲେ କଡବ ଗ୍ରାମର ଉଭୟ ପୀଡିତ ପରିବାର

ଖୋର୍ଦ୍ଧା : ୨୯/୮(ପ୍ରବାହ ନିଉଜ୍) ବେଗୁନିଆ ଅଞ୍ଚଳରେ ମାନବବାଦ ସଙ୍ଗଠନର ବର୍ବରତା ଏବଂ ଉକ୍ତ ଅଞ୍ଚଳର ଅଭିମାନପୁର ଗ୍ରାମର ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣାର ପ୍ରଚ୍ଛଦ ପଟରେ ବିବାଦୀୟ ଆତ୍ମଘୋଷିତ ଗୁରୁଜୀ ଓରଫ ମାନସ ଦାସଙ୍କ ଏବଂ ତାଙ୍କ ପୁଅ ସାନ ଗୁରୁଜୀ ମନୋରଞ୍ଜନ ଦାସଙ୍କ ସମ୍ପୃକ୍ତି ଥିବାର ଖୋଲାଖୋଲି ଅଭିଯୋଗ ଆଣିଲେ ଉଭୟ ପୀଡ଼ିତ ପରିବାର ।

ଏହା ସହିତ ପୋଲିସର ତଦନ୍ତକୁ ନେଇ ମଧ୍ୟ ଉଠାଇଲେ ପ୍ରଶ୍ନ । ଥାନାରେ ଏତଲା ଲେଖିବାକୁ ଗଲା ବେଳେ ପୋଲିସ ଥାନା ପାଖରେ ଥିବା ଏକ ପାନଦୋକାନୀ ଡାକି ଏତଲା ଲେଖିଥିବା ସହିତ ପୂର୍ବରୁ ସତ୍ୟ ନାୟକଙ୍କ ହତ୍ୟାକାଣ୍ଡ ରେ ସାମିଲ ଥିବା ସାତ ଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଥିଲା । ପରେ ମାଗୁଣୀ ନାୟକଙ୍କ ପୁଅ ଆନନ୍ଦ ନାୟକଙ୍କ ଅଭିଯୋଗ ପରେ ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କ ସମେତ ୧୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ମାନସ ଦାସ ଓ ତାଙ୍କ ପୁଅଙ୍କୁ ଏ ପର୍ଯ୍ୟନ୍ତ ପୋଲିସ କାହିଁକି ଗିରଫ କରୁନାହି ବୋଲି ପ୍ରଶ୍ନ କରିଛନ୍ତି ପୀଡି଼ତ ମାଗୁଣୀ ନାୟକ ।

ଏହା ସହିତ ତାଙ୍କ ପୁଅ ଆନନ୍ଦ ନାୟକ କହିଛନ୍ତି, ‘‘ଯେଉଁ ଦିନ ମିଟିଂ ଥିଲା ସେଦିନ ଆମ ବାପ ପୁଅଙ୍କୁ ନେବା ପାଇଁ ତିନୋଟି ବାଇକରେ ସ୍ୱପ୍ନେଶ୍ୱର ନାୟକ, ମୀନକେତନ ନାୟକ, ବୈକୁଣ୍ଠ ନାୟକ ଓ ଆଉ ଜଣେ ଅଚିହ୍ନା ଲୋକ ଆସି କରଡ଼ଗାଡ଼ିଆ ଗ୍ରାମର ହରିଜନ ସାହିରେ ଥିବା ଭଗତ ଘରକୁ ଡାକି ନେଇଥିଲେ । ସେଠି ପାଖାପାଖି ଏହି ଚାରିଜଣଙ୍କୁ ମିଶାଇ ୨୫ରୁ ୩୦ ଜଣ ଲୋକ ଥିଲେ । ସେମାନଙ୍କ ଭିତରୁ ପାଳି କରି ଆଠରୁ ଦଶ ଜଣ ଲୋକ ଆମକୁ ବାଡ଼େଇଥିଲେ ।’’

ମାନବ ବାଦ ସଙ୍ଗଠନର କର୍ମକର୍ତ୍ତାଙ୍କ ଦ୍ଵାରା ଅକଥନୀୟ ନିର୍ଯ୍ୟାତନାର ଶିକାର ହୋଇଥିବା ମାଗୁଣୀ ନାୟକଙ୍କୁ ସଙ୍ଗଠନ ର ମୁଖ୍ୟ ବୋଲାଉଥିବା ଆତ୍ମଘୋଷିତ ଗୁରୁଜୀ ମାନସ ଦାସ ଫୋନରେ ଧମକ ଦେଇଥିବା ପରି ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ମାଡମରା ଭିଡ଼ିଓ ବିଭିନ୍ନ ଗଣ ମାଧ୍ୟମରେ ଭାଇରାଲ ହେବା ପରେ ମାନସ ଦାସଙ୍କ ଠାରୁ ମାଗୁଣୀଙ୍କୁ ମିଳିଛି ଧମକ । ଘଟଣାରୁ ନିଜକୁ ଦୁରେଇ ନ ରଖିଲେ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି । ଏହାପରେ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ନାମରେ  ଅଭିଯୋଗ କରିଥିଲେ କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କୁ ପୋଲିସ କଣପାଇଁ ଗିରଫ କରୁନାହି ତାକୁ ନେଇ ପ୍ରଶ୍ନ କରିଛନ୍ତି ନିର୍ଯ୍ୟାତିତ ପରିବାର ।

ଏପଟେ ଆତ୍ମଘୋଷିତ ଗୁରୁଜୀ ମାନସ ଦାସ ସଫେଇ ଦେଇଛନ୍ତି କି ” ମୁଁ ଯଦି ମାଗୁଣୀଙ୍କୁ ଫୋନ୍‌ କରି ଧମକେଇଛି ତାହେଲେ ତା’ର ରେକର୍ଡ଼ିଂ ସେ ଦେଖାନ୍ତୁ, ସେ ମୋତେ ଫୋନ କରିଥିଲେ, ମୁଁ ତାଙ୍କୁ କେବେ ଫୋନ କରିନାହିଁ । ମାଗୁଣୀ ସ୍ୱୟଂ ମୋ ସଙ୍ଗଠନ ର ଆଗଧାଡ଼ିର ଲୋକ ଥିଲା । ଯେଉଁ ମାନଙ୍କ ନାମରେ ମାଗୁଣୀ ଅଭିଯୋଗ କରିଛନ୍ତି, ସେମାନେ ମାଗୁଣୀଙ୍କ ଅଧୀନରେ କାମ କରୁଥିଲେ । ମାଡ଼ ମାରିବା ଘଟଣାରେ ମୋର ଆଦୌ ସମ୍ପୃକ୍ତି ନାହିଁ ବୋଲି କହିଛନ୍ତି ମାନସ ଦାସ ।

ପୀଡ଼ିତ ପରିବାର ଲୋକଙ୍କ ଅଭିଯୋଗ କ୍ରମେ, ନିରୀହ ଆଦିବାସୀ ଦଳିତଙ୍କ ଦ୍ୱାରା ସଙ୍ଗଠନ ନାମରେ ସାପ୍ତାହିକ ସଂଗ୍ରହ କରାଯାଉଥିବା ପଇସାରେ ମଉଜ ମଜଲିସ କରୁଥିବା ଓକିଲ ମାନସ ଦାସ ଗତ ୦୩/୦୨/୨୦୧୯ ସମୟରେ ଶାସକ ଦଳର ମିଶ୍ରଣ ପର୍ବରେ ସାମିଲ ହେବାର ମୂକସାକ୍ଷୀ ମାଗୁଣୀ ନିଜେ ହୋଇଥିବା ବେଳେ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ, ବେଗୁନିଆର ପୂର୍ବତନ ବିଧାୟକ ପ୍ରଶାନ୍ତ ନନ୍ଦ ଓ ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଭଳି ଅନେକ ନେତାଙ୍କ ଲିଙ୍କ ଥିବା ଭାଇରାଲ ଭିଡ଼ିଓ କୁ ନେଇ ଏବେ ହରଡ଼ ଘଣାରେ ପଡିଛନ୍ତି ମାନସ ଦାସ ।

ସେପଟେ ସତ୍ୟବ୍ରତ ନାୟକଙ୍କ ହତ୍ୟା ଘଟଣା ବିଷୟରେ ପୁତୁରା ବସନ୍ତ ନାୟକ ବଖାଣିଥିବା ବେଳେ ସତ୍ୟବ୍ରତଙ୍କ ବିଧବା ପତ୍ନୀ ପରିବାର ଦୁର୍ଦ୍ଦଶା କଥା କୋହଭରା କଣ୍ଠରେ କହିଛନ୍ତି। ବସନ୍ତଙ୍କୁ ସ୍ୱପ୍ନେଶ୍ୱର ନାୟକ ଗତ ଅଗଷ୍ଟ ୩ତାରିଖରେ ଫୋନରେ ଡାକି କହିଥିଲେ ତୋ’ ଦାଦା ସତିଆର ହାର୍ଟ ଆଟାକ ରେ ମୃତ୍ୟୁ ହୋଇଛି,କରଡ଼ଗାଡ଼ିଆ ଠାରେ ତାର ଦାହ ସଂସ୍କାର କରାଯିବ, ତୁ ଆସେ । ହେଲେ ବସନ୍ତ ଦାଦା ସତ୍ୟବ୍ରତଙ୍କ ଶବକୁ ଦାବି କରିବାରେ ତାଙ୍କୁ ଶବ ନ ଦେବା ପାଇଁ ଗୁରୁଜୀ ମାନସ ଦାସଙ୍କ ନିର୍ଦେଶ ଅଛି, ତୋ ଦାଦାର ଶବ ଦିଆଯାଇ ପାରିବ ନାହିଁ, ଏହିଠାରେ ସତ୍‌କାର କରାଯିବ ବୋଲି କହିଥିଲେ । ପରେ ଗୁରୁଜୀ ଏହି ଘଟଣାରେ ବସନ୍ତଙ୍କୁ ଦଶ ଲକ୍ଷ ଟଙ୍କା ଯାଚିଥିବା ସହ ଏ ସମ୍ପର୍କରେ କାହାକୁ କହିଲେ ଦାଦାପରି ମଧ୍ୟ ତୋ ଅବସ୍ଥା ହେବ ବୋଲି କହିଥିବା ର ଅଭିଯୋଗ ଆଣିଛନ୍ତି ବସନ୍ତ ନାୟକ ।

ହେଲେ ସତ୍ୟବ୍ରତଙ୍କ ମୃତ୍ୟୁକୁ ନେଇ ବିବାଦୀୟ ମାନସ ଦାସ ” ସତ୍ୟ ଜଣେ ଶବର ସମ୍ପ୍ରଦାୟର ବ୍ୟକ୍ତି ଥିଲା, ସେ ପ୍ରଚୁର ମଦ୍ୟପାନ କରୁ ଥିବାରୁ ପୂର୍ବରୁ ତା ଦେହ ଖରାପ ଥିଲା ଏବଂ ତାର ହୃଦଘାତରେ ମୃତ୍ୟୁ ହୋଇଥିବା ବେଳେ ମୋର ତାର ମୃତ୍ୟୁ ପଛରେ କୌଣସି ସମ୍ପୃକ୍ତି ନାହିଁ ବୋଲି କହିଛନ୍ତି ।

ସେହିପରି ମାନସ ଦାସଙ୍କ ନିର୍ଦ୍ଦେଶରେ କର୍ମକର୍ତ୍ତାଙ୍କ ଦ୍ୱାରା କଡବ, ଚଟୁଆ, ଡାଳତୋଳା, ଡିଙ୍ଗର, ଗୋଡି, ଚୋତିପାଳଙ୍ଗ ଆଦି ବିଭିନ୍ନ ଗ୍ରାମର ଅନେକ ଗ୍ରାମବାସୀ ନିର୍ଯ୍ୟାତନାର ଶିକାର ହୋଇଥିବା ବେଳେ ମାନସ ଦାସଙ୍କ ନିର୍ଦ୍ଦେଶରେ ସ୍ୱାମୀ ସତ୍ୟବ୍ରତଙ୍କୁ ହତ୍ୟା କରାଯାଇଥିବାର କଥା କୋହଭରା କଣ୍ଠରେ କହିଛନ୍ତି ସ୍ତ୍ରୀ ବୁଦ୍ଧି ନାୟକ । ସମସ୍ତ ଅଭିଯୁକ୍ତ ଙ୍କ ସହ ସଙ୍ଗଠନର ମୂଖ୍ୟ ମାନସ ଦାସଙ୍କୁ ଫାସି ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି ପରିବାର ।

ତେବେ ଏଠି ସବୁଠୁ ବଡ଼ ପ୍ରଶ୍ନ… କିଏ ଏହି ଆତ୍ମଘୋଷିତ ଗୁରୁଜି ମାନସ ଦାସ । ଶାସକ ଦଳ ସହିତ ୟାଙ୍କର କି ପ୍ରକାରର ସମ୍ପୃକ୍ତି ରହିଛି । ଏଭଳି ଭାବେ ସଂଗଠନ ଗଢିବା ପଛର ମୂଳ ଉଦେଶ୍ୟ କଣ। ଥାନାରେ ଅଭିଯୋଗ ପରେ ମଧ୍ୟ କାହା ଚାପରେ ପୋଲିସ ମାନସ ଦାସଙ୍କୁ ତଦନ୍ତ ପରିସର ଭିତରକୁ ଆଣିବାକୁ ପଛଘୁଞ୍ଚା ଦେଉଛି । ଆମ ନ୍ୟାୟିକ ବ୍ୟବସ୍ଥା କେବେ ଏହି ନିରୀହ ପରିବାରକୁ ନ୍ୟାୟ ଦେବାରେ ସକ୍ଷମ ହେଉଛି, ତାହା ଉପରେ ସାରା ରାଜ୍ୟବାସୀଙ୍କ ଦୃଷ୍ଟି ।

Leave a Reply

Your email address will not be published. Required fields are marked *