ଜଙ୍କିଆ ଛଣଗିରି ଗ୍ରାମରୁ ଦୁଇଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଘଟଣାରେ ଦୁଇଜଣ ଗିରଫ

ଜଙ୍କିଆ : ୦୪/୦୭(ପ୍ରବାହ ନିଉଜ୍) ପୋଲିସ ଓ ଏସ.ଟି. ଏଫ ର ବ୍ରାଉନସୁଗାର ପରି ମାରାତ୍ମକ ଦ୍ରବ୍ୟର କାରବାରକୁ ବନ୍ଦ କରିବାକୁ ଗ୍ରହଣ କରାଯାଉଥିଲେ ସୁଦ୍ଧା , ଏବେ ଏହି ମାରାତ୍ମକ ଜହର କ୍ରମଶଃ ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି । ଅଳ୍ପ ସମୟରେ ଅଧିକ ଅର୍ଥ ଉପାର୍ଜନ ଲାଗି ଯୁବବର୍ଗ ଠାରୁ ନେଇ ବିଭିନ୍ନ ବର୍ଗର ଲୋକମାନେ ଏହି କଳା ବେପାରକୁ ଆପଣାଇବାରେ ଲାଗିଛନ୍ତି । ବିଭିନ୍ନ ସମୟରେ ପୋଲିସ ହାତରେ ଧରାପଡିଲେ ମଧ୍ୟ ଆଇନର ଗଳାବାଟ ଦେଇ ଅନାୟାସରେ ବାହାରି ଆସି ପୂର୍ବବତ ବ୍ୟବସାୟ ଆରମ୍ଭ କରୁଥିବାରୁ ଧଳାଜହର କାରବାର ଥମିବାର ନାଁ ନେଉନାହିଁ । ଲକଡାଉନ ସଟ୍ଡାଉନ ସମୟରେ ପୋଲିସ କୋଭିଡ ସଂକ୍ରମଣ କୁ ପ୍ରତିହତ କରିବାକୁ ପଦକ୍ଷେପ ନେଇ ବ୍ୟସ୍ତ ରହୁଥିବା ବେଳେ ଏହାର ସୂଯୋଗ ନେଇ ଏବେ ଗ୍ରାମାଞ୍ଚଳରେ ବ୍ରାଉନସୁଗାର କାରବାରରେ ଲିପ୍ତ ବ୍ୟବସାୟୀ ନିର୍ଦ୍ୱନ୍ଦରେ ବ୍ୟବସାୟ କରୁଥିବାର ଦେଖିବାକୁ ମିଳିଛି ।

ଜଙ୍କିଆ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶନିବାର ଛଣଗିରି ଅଞ୍ଚଳରେ ଚଢ଼ାଉ କରି ୨୧ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ଦୁଇଲକ୍ଷ ଟଙ୍କା ବୋଲି ଜଣାପଡିଛି । ସେହିପରି ଚଢ଼ଉ ବେଳେ OD05-AD-8456 ନମ୍ବର ବିଶିଷ୍ଟ ଏକ ହୋଣ୍ଡା ଆକ୍ଟିଭା ସ୍କୁଟର ଏବଂ ନଅହଜାର ପାଞ୍ଚଶହ ନବେ ନଗଦ ଟଙ୍କା ମଧ୍ୟ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଛି ।

ଘଟଣାରେ ଜଡ଼ିତ ଦୁଇଜଣ ଯୁବକ ଛଣଗିରି ଗ୍ରାମର ସଞ୍ଜୟ ମହାପାତ୍ର ଏବଂ ପ୍ରଶାନ୍ତ ବୈରିଗଞ୍ଜନ ବୋଲି ଜଣାପଡିଛି । ଏମାନେ ଦୀର୍ଘଦିନ ହେବ କାରବାର କରୁଥିବାର ଏବଂ ଏହା ସହିତ ପୂର୍ବରୁ ଏହିପରି ମାମଲାରେ ଜେଲ ଯାଇଥିବା କଥା ତଦନ୍ତରୁ ଜଣାପଡିଛି । ତେବେ ଏମାନେ ଏହି ବ୍ରାଉନସୁଗାର ବାଲେଶ୍ୱର ଜିଲ୍ଲାରୁ ଆଣି ନିଜ ଗ୍ରାମ ସହିତ ଆଖପାଖ ଅଞ୍ଚଳରେ କାରବାର କରୁଥିବାର ପୋଲିସ ସୂଚନା ଦେଇଛି ଏବଂ ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜଙ୍କିଆ ଥାନାରେ ଅବକାରୀ ଧାରା ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।