କେନ୍ଦ୍ର ସରକାରଙ୍କ ୧୨ ବର୍ଷ ସଫଳତା ପ୍ରଚାର ପାଇଁ ଆଇଏମପିସିସି ବୈଠକ

0
WhatsApp Image 2026-06-03 at 9.45.41 PM (1)

ଭୁବନେଶ୍ୱର, ୦୩.୦୬.୨୦୨୬: କେନ୍ଦ୍ର ସରକାରଙ୍କ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା ‘ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି’ (ଆଇଏମପିସିସି) – ଓଡ଼ିଶା ମଣ୍ଡଳର ମାସିକ ବୈଠକ ଆଜି ଭୁବନେଶ୍ୱରସ୍ଥିତ ଏନଏବିଏମ – ପ୍ରସାର ଭାରତୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ “ଏନଡିଏ ସରକାରଙ୍କ ୧୨ ବର୍ଷ: ସଫଳତା, ଉପଲବ୍ଧି ଓ ମାଇଲଖୁଣ୍ଟ” ଅଭିଯାନର ପ୍ରଚାର ଓ ଜନସମ୍ପର୍କ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ପିଆଇବି ଓ ସିବିସି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଲ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା, ସରକାରୀ ବିଭାଗ ଏବଂ ଜନସମ୍ପର୍କ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ଗତ ୧୨ ବର୍ଷ ମଧ୍ୟରେ ଭାରତ ସରକାରଙ୍କ ସଫଳତା ଏବଂ ପରିବର୍ତ୍ତନମୂଳକ ପଦକ୍ଷେପ ସମ୍ପର୍କରେ ଜନସଚେତନତା ବୃଦ୍ଧି ଉପରେ ଆଲୋଚନା କରିଥିଲେ।

ମୁଖ୍ୟ ଅଭିଭାଷଣରେ ଶ୍ରୀ ମିଶ୍ର ପରସ୍ପର ବୁଝାମଣା, ସହଯୋଗ ଓ ସୁଶାସନକୁ ସୁଦୃଢ଼ କରିବାରେ ସଂଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଫ୍ରେଞ୍ଚ ଲେଖକ ଆଲବର୍ଟ କାମସଙ୍କ ୧୯୫୭ ମସିହାର କ୍ଷୁଦ୍ର ଗଳ୍ପ “ଦ ସାଇଲେଣ୍ଟ ମ୍ୟାନ୍”ର ଉଦାହରଣ ଦେଇ କହିଥିଲେ ଯେ ନୀରବତା ମଧ୍ୟ ଏକ ପ୍ରକାର ସଂଯୋଗ ହୋଇପାରେ, କିନ୍ତୁ ଏହାର ଯଥୋଚିତ ସମାଧାନ ନ ହେଲେ ସଂସ୍ଥା ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିପାରେ। ନିରନ୍ତର ସଂଳାପ ଓ ଜନସହଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସେ ଅଧିକାରୀମାନଙ୍କୁ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କିତ ସୂଚନାକୁ ସକ୍ରିୟ ଭାବେ ପ୍ରସାର କରିବାକୁ ଆହ୍ୱାନ ଜଣାଇଥିଲେ। ନାଗରିକମାନଙ୍କ ନିକଟରେ ସୂଚନା ପହଞ୍ଚାଇବା ଓ ସୂଚନାଗତ ବ୍ୟବଧାନ ଦୂର କରିବା ପାଇଁ ବିଭିନ୍ନ ଯୋଗାଯୋଗ ସଂସ୍ଥା ମଧ୍ୟରେ ଅଧିକ ସମନ୍ୱୟ ଆବଶ୍ୟକ ବୋଲି ସେ କହିଥିଲେ।

            ବୈଠକରେ ସଦସ୍ୟମାନେ ନିଜ ନିଜ ସଂସ୍ଥା ପକ୍ଷରୁ ଗ୍ରହଣ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟକଳାପ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିବା ସହିତ ଉତ୍ତମ ଅଭ୍ୟାସ, ସଫଳତା ଏବଂ ନବୀନ ପ୍ରଚାର ପ୍ରୟାସ ସମ୍ପର୍କରେ ଅବଗତ କରାଇଥିଲେ। ଏହି ଉପସ୍ଥାପନାଗୁଡ଼ିକ ପ୍ରଭାବଶାଳୀ ଜନସମ୍ପର୍କ ମଡେଲ ଏବଂ ଆନ୍ତଃ-ସଂସ୍ଥାଗତ ସହଯୋଗର ସମ୍ଭାବନା ସମ୍ପର୍କରେ ମୂଲ୍ୟବାନ ସୂଚନା ପ୍ରଦାନ କରିଥିଲା।

            ବୈଠକରେ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱରର ଉପ-ନିର୍ଦ୍ଦେଶକ ଡଃ ଅଭିଷେକ ମିଶ୍ର, ଏମଏସଏମଇର ସହକାରୀ ନିର୍ଦ୍ଦେଶକ ଶ୍ରୀ ଜଗଦୀଶ ସାହୁ, ସିଫାର ବରିଷ୍ଠ ବୈଜ୍ଞାନିକ ଡଃ ଜେ.କେ.ସୁନ୍ଦରାୟ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍‌ଆଇଇ), ଭୁବନେଶ୍ୱରର ପ୍ରଫେସର ଡ଼. ଲକ୍ଷ୍ମୀଧର ବେହେରା, ସ୍ୱାସ୍ଥ୍ୟ ବିଭାଗର  ଡଃ ସୁଚିତ୍ରା,  ପାରାଦୀପ ବନ୍ଦର ପ୍ରାଧିକରଣର ମୁଖ୍ୟ ଯୋଗାଯୋଗ ପରିଚାଳକ ଶ୍ରୀ ରତିକାନ୍ତ ନାୟକ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମାଇ ଭାରତର ଉପ-ନିର୍ଦ୍ଦେଶକ ଶ୍ରୀ ଅଭିଷେକ ମଣ୍ଡଳ, ନାଲକୋ ଭୁବନେଶ୍ୱରର ଶ୍ରୀ ଶୁଭେନ୍ଦୁ କୁମାର ନାୟକ, ଏନଏସଏସ ଆଞ୍ଚଳିକ ନିର୍ଦ୍ଦେଶାଳୟ ଭୁବନେଶ୍ୱରର ଯୁବ ଅଧିକାରୀ ଶ୍ରୀ ଏ.ଏସ୍. କବିର, ଆକାଶବାଣୀ କଟକ ସମ୍ବାଦ ବିଭାଗର  ଉପ  ନିର୍ଦେଶକ ଡଃ ଏସ୍.ଏନ୍. ପଟ୍ଟନାୟକ ଏବଂ କେନ୍ଦ୍ରୀୟ ସଂଚାର ବ୍ଯୁରୋ  ଭୁବନେଶ୍ୱର ଶ୍ରୀମତୀ ସସ୍ମିତା ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ଆରମ୍ଭରେ ଆଇଏମପିସିସିର ସଦସ୍ୟ ସଚିବ ତଥା କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ (ସିବିସି)ର ସହକାରୀ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ରଖି ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ ଜଣାଇବା ସହ ସମନ୍ୱିତ ପ୍ରଚାର ପ୍ରୟାସର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ।ସଦସ୍ୟମାନେ ପରବର୍ତ୍ତୀ ଆଇଏମପିସିସି ବୈଠକର ବିଷୟବସ୍ତୁ ଓ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଶେଷରେ ପିଆଇବି ଭୁବନେଶ୍ୱରର ସହକାରୀ ନିର୍ଦ୍ଦେଶକ ଶ୍ରୀ ଏମ୍.ପି. ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

You may have missed