ଏସ୍ସିବି ମେଡିକାଲ ଟ୍ରମା କାଜୁଆଲଟିରେ ଅଗ୍ନିକାଣ୍ଡ, ୧୦ ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ..
କଟକ, ୧୬/୦୩: କଟକ ଏସ୍ସିବି ମେଡିକାଲ ଟ୍ରମା କାଜୁଆଲଟି ଆଇସିୟୁରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ଓ ଶୋକ ପ୍ରକାଶ କରିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଅଗ୍ନିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବାସହ ଅନ୍ୟ ରୋଗୀ ମାନଙ୍କୁ ତୁରନ୍ତ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତରିତ କରି ଚିକିତ୍ସା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ଅଗ୍ନିକାଣ୍ଡ ଯୋଗୁଁ ମୃତ୍ୟୁ ଘଟିଥିବା ପ୍ରତ୍ୟେକଙ୍କ ନିକଟତମ ଆତ୍ମୀୟ ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଚିକିତ୍ସିତ ହେଉଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ଭେଟି ଆଶ୍ଵାସନା ଦେଇଛନ୍ତି। ଆଇସିୟୁରୁ ସ୍ଥାନାନ୍ତରିତ ହୋଇଥିବା ଅନ୍ୟ ରୋଗୀ ମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗ ତଥା ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଶ୍ରୀରାମ ଚନ୍ଦ୍ର ଭଂଜ (ଏସ୍ସିବି) ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆଜି ରାତି ୨:୩୦ ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏହି ହୃଦୟ ବିଦାରକ ଘଟଣା ମେଡିକାଲର ଏକ ୱାର୍ଡରେ ଘଟିଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଅନ୍ୟ ୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି। ଏହି ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ପୁଲିସ କମିଶନର।ମଧ୍ୟରାତ୍ରୀରେ ଯେତେବେଳେ ଏସ୍ସିବିର ରୋଗୀ, ରୋଗୀ ସଂପର୍କୀୟମାନେ ଶୋଇ ପଡ଼ିଥିଲେ, ସେହି ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ହଠାତ ଅଗ୍ନିକାଣ୍ଡ ହେବାରୁ ରୋଗୀ ଓ ରୋଗୀମାନେ ଉଠିବା ବେଳକୁ ସ୍ଥିତି ଅଣାୟତ୍ତ ହୋଇଥିଲା। ଅଗ୍ନିକାଣ୍ଡ ଘଟିବା ମାତ୍ରେ ହସ୍ପିଟାଲ କର୍ମଚାରୀ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ପଦକ୍ଷେପ ନେଇଥିଲେ।
ହସ୍ପିଟାଲର ନିଜସ୍ୱ ଅଗ୍ନିଶମ ବିଭାଗ ପ୍ରଥମେ ନିୟୋଜିତ ହୋଇଥିଲେ। ବାହାରୁ ତିନୋଟି ଅଗ୍ନିଶମ ଗାଡି ମଧ୍ୟ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଧୂଆଁ ଏବଂ ନିଆଁ ଯୋଗୁଁ ଅନେକ ରୋଗୀଙ୍କ ପ୍ରବଳ କ୍ଷତି ହୋଇଥିଲା। ଆଇସିୟୁ ରେ ଭର୍ତ୍ତି ହୋଇଥିବା ଗୁରୁତର ରୋଗୀଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କୁ ହସ୍ପିଟାଲର ନ୍ୟୁ ମେଡିସିନ୍ ଆଇସିୟୁ କୁ ସ୍ଥାନାନ୍ତର କରାଯାଇଥିଲା।
