ପ୍ରତିଷ୍ଠାତା ସଦସ୍ୟଙ୍କ ମୁଁହ ଦିଶୁନି ଫଟୋରେ : ପତିଆରା ପାଇଁ ରାଜନୀତି ଏବେ ଖେଳ ମଇଦାନରେ


ଖୋର୍ଦ୍ଧା : ୧୪/୦୩(ପ୍ରବାହ ନିଉଜ୍) ଖୋର୍ଦ୍ଧାର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ବିଗତ ୧୦ବର୍ଷ ମଧ୍ୟରେ ନିର୍ବାଚନ ରଣକ୍ଷେତ୍ରରେ ଦୁଇ ଦୁଇଥର ରଣବିଜୟୀ ହୋଇ  ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ନିଜର ରାଜନୈତିକ ପତିଆରା ଜାହିର କରିଥିବା ବେଳେ ସମୟ ଚକ୍ରରେ ତାଙ୍କୁ ବର୍ତ୍ତମାନ ରାଜନୈତିକ କ୍ଷେତ୍ରରେ ଅଣଦେଖା କରା ଯାଉଥିବା ବେଳେ ଖୋର୍ଦ୍ଧାର ରାଜନୈତିକ ପାଣିପାଗ ପରିବର୍ତ୍ତନ ହୋଇଥିବା ସ୍ପଷ୍ଟ ବାରି ହୋଇ ପଡୁଛି।

ଗତ ସାଧାରଣ ନିର୍ବାଚନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଦଳ ତରଫରୁ ଟିକେଟ୍  ନ ଦିଆଯାଇ ତାଙ୍କୁ ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀରେ ଭୋଟ୍ ଲଢ଼ିବାକୁ ସୁଯୋଗ ଦେଇଥିଲା । ଢ଼ିଙ୍କି ଯୋଉଠିକି ଗଲେ ବି ଧାନ କୁଟିବ ସଦୃଶ ବେଗୁନିଆରେ ମଧ୍ୟ ବିଧାୟକ ଶ୍ରୀ ସାହୁ ଜିତାପଟ୍ କରିଥିଲେ ।

କିନ୍ତୁ ଖୋର୍ଦ୍ଧାରେ ବିଧାୟକ ଶ୍ରୀ ସାହୁଙ୍କର ପାରମ୍ପରିକ ରାଜନୈତିକ ପ୍ରତିଦ୍ବନ୍ଦୀ ଭାବେ ପରିଚିତ ତଥା ଖୋର୍ଦ୍ଧାର ପୁରୁଣା ଚେହେରା ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ବିଜେଡି ଦଳ ତରଫରୁ ଟିକେଟ ଦିଆଯାଇଥିବା ବେଳେ ସେ ମଧ୍ୟ ଖୋର୍ଦ୍ଧାର ବିଜୟ ମୁକୁଟ ପିନ୍ଧିଥିଲେ ।

ଏହା ସହିତ ଗତ ସାଧାରଣ ନିର୍ବାଚନ ସମୟରେ ଦୁହେଁ ଦୁହିଁଙ୍କୁ ପ୍ରତ୍ୟେକ ସାଧାରଣ ସଭା ସମିତିରେ  ଗୋଟିଏ ମଞ୍ଚରେ ଏକାଠି ବସିବା ଏବଂ ନିର୍ବାଚନରେ ଉଭୟ ଉଭୟଙ୍କୁ ସହଯୋଗ କରିବା ନେଇ ପ୍ରତିଶୃତି ମଧ୍ୟ ଦେଇଥିଲେ । ସେ ସମୟରେ ଏହି ଘଟଣା ଖୋର୍ଦ୍ଧା ବୁଦ୍ଧିଜୀବି ମହଲରେ ବେଶ ଆଲୋଡ଼ନ ସୃଷ୍ଟି କରିଥିଲା ।

ହେଲେ ସମୟ କ୍ରମେ ଉଭୟ ନିଜ କାର୍ଯ୍ୟକୁ ନେଇ ବ୍ୟସ୍ତତା ଭିତରେ ହଜି ଯାଇଥିଲେ। କିନ୍ତୁ ଏବେ କିଛି ଘଟଣାକୁ ନେଇଖୋର୍ଦ୍ଧାରେ ପୁଣି ରାଜନୀତିର ଝାଞ୍ଜି ବହିବାକୁ ଲାଗିଲାଣି ।

ସମୟ ଥିଲା, ରାଜନୀତିର ବିନ୍ଦୁ ବିସର୍ଗ ଜଣାନଥିବା ଯେଉଁ ଅନୁଗତର ହାତଧରି ତାକୁ ରାଜନୀତିର ପାଠ ପଢ଼ାଇଥିଲେ ଏବଂ ସେହି ଅନୁଗତ ବିଗତ ଦିନରେ ପ୍ରତ୍ୟେକ କଥାରେ ପ୍ରଶଂସା କରିବାକୁ ପଛାଉ ନଥିଲା, କିନ୍ତୁ ସେ ଆଜି ଦୀର୍ଘଦିନ ର କ୍ଷୀରନୀର ସମ୍ପର୍କ କୁ ଗୋଡ଼ରେ ଆଡେଇ  ବିଧାୟକ ଶ୍ରୀ ସାହୁଙ୍କୁ ଏବେ ରାଜନୀତିର ପଶାପାଲିରେ ଛନ୍ଦିବାକୁ ବସିଛି ବୋଲି ଆଲୋଚନା ହେଉଛି ।

ଏ ଭଳି ଘଡ଼ିସନ୍ଧି ସମୟରେ ବିଜୁ ଜନତା ଦଳ ପକ୍ଷରୁ ଚଳିତ ମାସ ମାର୍ଚ୍ଚ ୧୭ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଜୁ ପ୍ରିମିୟର ଲିଗ୍‌ ମ୍ୟାଚର ଏକ ଭାଇରାଲ ପୋଷ୍ଟରକୁ ନେଇ ଏ କଥା ଏବେ ଖୋର୍ଦ୍ଧାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସବୁଠାରୁ ବଡ଼କଥା ହେଉଛି ଯେଉଁ  ଖେଳପଡ଼ିଆରେ ଉକ୍ତ ମ୍ୟାଚ୍ ହେବାକୁ ନିଷ୍ପରି ନିଆଯାଇଛି, ତାହା ବିଗତ ଦିନରେ ବିଜେବି ହାଇସ୍କୁଲ ର ଖେଳ ପଡ଼ିଆ ଥିଲା ଓ  ତାକୁ ଏକ ମିନି ଷ୍ଟାଡ଼ିୟମରେ ପରିଣତ  କରିବା ପଛରେ ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ ବେଶ ଅବଦାନ ଥିବା ବେଳେ ତାଙ୍କୁ ଅଣଦେଖା କରାଯାଇଥିବା କଥା ମଧ୍ୟ ସ୍ଥାନୀୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ଲିଗ ମ୍ୟାଚ କୁ ନେଇ ଭାଇରାଲ ହେଉଥିବା ପୋଷ୍ଟରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳୀୟ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ଦାସ, ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ବିଜେଡି ସଭାପତିତଥା ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ଓ ଅନ୍ୟ କିଛି ବିଧାୟକଙ୍କ ଫଟୋ ସହିତ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଲେଇଙ୍କ ଫଟୋ ଥିବା ବେଳେ ବେଗୁନିଆ ବିଧାୟକ ଶ୍ରୀ ସାହୁଙ୍କ ଫଟୋ ନ ଥିବା ଦେଖିବାକୁ ମିଳିଛି ।

ଏହି ପୋଷ୍ଟରଟି ଏବେ ସୋସିଆଲ ମିଡ଼ିଆରେ ଗୋଟିଏ ମୋବାଇଲରୁ ଆଉ ଗୋଟିଏ ମୋବାଇଲକୁ ଘୁରି ବୁଲୁଛି । ଏହା ଦ୍ବାରା ପୂର୍ବତନ ବିଧାୟକଙ୍କୁ ଦଳୀୟ ମହଲରେ ଅଣଦେଖା କରା ଯାଇଥିବା ଆଲୋଚନା ହେଉଛି ।

ପୂର୍ବତନ ବିଧାୟକ ଏବେ ମଧ୍ୟ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ରେ ତାଙ୍କ ଅସ୍ତିତ୍ବ ବଜାୟ ରଖିଥିବା ସହିତ ତାଙ୍କ ସଙ୍ଗଠନ ଓ ସମର୍ଥକଙ୍କ ମନୋବଳକୁ ଭାଙ୍ଗିବା ଅନ୍ୟ କୌଣସି ପ୍ରତିଦ୍ବନ୍ଦୀ ପକ୍ଷେ ଅସମ୍ଭବ ବୋଲି କେତକ ଆଲୋଚନା କରିଛନ୍ତି । ହେଲେ ଶ୍ରୀ ସାହୁ କୌଣସି ପ୍ରକାର କଥାକୁ ଭୃକ୍ଷେପ ନକରି ନିଜ ପତିଆରା ଜାହିର କରିବାକୁ ଯାଇ ହେବାକୁ ଥିବା ମ୍ୟାଚ ପାଇଁ ଏକ ଭିଡ଼ିଓ ମଧ୍ୟ ତାଙ୍କ ସମର୍ଥକ ମାନଙ୍କ ଦ୍ଵାରା ସୋସିଆଲ ମିଡିଆରେ ଛାଡିଥିବା ଦେଖିବାକୁ ମିଳିଛି ।

ଏ ପଟେ ନିଜ ଭିତରେ ଟଣା ଓଟରା ହେଉଥିବା ଦେଖି ଆଉ କିଛିଙ୍କ ମତରେ ରାଜନୀତି କେବଳ ଗୋଟିଏ ସ୍ୱାର୍ଥପର ଲୋକ ଙ୍କ ଖେଳ । ଯେଉଁଠି ଘୋର ମାନବିକତାର ଅଭାବ। ଏକଦା ରାଜେନ୍ଦ୍ର ସାହୁ ତାଙ୍କ ରାଜନୈତିକ ଗୁରୁ ଶ୍ରୀ ମିତ୍ରଙ୍କୁ ଯେଉଁ ଚେକ୍ ଦେଇଥିଲେ ଠିକ ଏବେ ଖୋର୍ଦ୍ଧା ରାଜନୀତି ରେ ଶ୍ରୀ ସାହୁଙ୍କୁ ସମାନ ପ୍ରକାର ଦଣ୍ଡ ମିଳୁଥିବାର କଥା କେତକ କହିଛନ୍ତି ।

ତେବେ ଆଗକୁ ହେବାକୁ ଥିବା ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିରୋଧୀ ଏହାର ଫାଇଦା  ନେବା ସହିତ ଖୋର୍ଦ୍ଧା ରାଜନୀତିର ପାଣିପାଗ ବଦଳିଯିବାର ସମ୍ଭାବନା ଅଛି ବୋଲି କଥା ଉଠୁଛି।

Leave a Reply

Your email address will not be published. Required fields are marked *

You may have missed