ଫଳକରେ ସିମିତ ରକ୍ଷଣାବେକ୍ଷଣ ଦାୟୀତ୍ୱ
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ…
ଫଳକରେ ସିମିତ ରକ୍ଷଣାବେକ୍ଷଣ ଦାୟୀତ୍ୱ
ଭଦ୍ରକ, (ପ୍ରବାହ ନ୍ୟୁଜ୍):
ସରକାର ଗ୍ରାମାଂଚଳର ଗମନାଗମନ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ନିର୍ମାଣର କିଛି ମାସ ପରେ ରାସ୍ତା ଶୋଚନୀୟ ହୋଇ ପଡୁଥିବାରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭଦ୍ରକ- ଆଗରପଡ଼ା ମୁଖ୍ୟ ରାସ୍ତାର କାଦବରାଙ୍ଗ ଠାରୁ ଆଡ଼ିଆ ପର୍ଯ୍ୟନ୍ତ ଲମ୍ବିଥିବା ପୂର୍ତ୍ତ ବିଭାଗ ରାସ୍ତାର ବାଙ୍କତିରା ଠାରୁୁ ଆପ୍ତିରାଷଡ଼ଙ୍ଗୀ ପର୍ଯ୍ୟନ୍ତ ଲମ୍ବିଥିବା ୨.୭କି.ମି ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି । ଉକ୍ତ ରାସ୍ତାଟିର ରକ୍ଷଣାବେକ୍ଷଣ ଦାୟିତ୍ୱ ୨୦୧୮ଫେବୃଆରୀ ୨୮ ତାରିଖ ଠାରୁ ଆରମ୍ଭ ହୋଇ ୨୦୨୩ ଫେବୃଆରୀ ୨୭ତାରିଖରେ ଶେଷ ହେବାର ଧାର୍ଯ୍ୟ ହୋଇଛି । ଏହାର ମରାମତି ଦାୟିତ୍ୱ କାର୍ଯ୍ୟ ନିର୍ବାହ କରିଥିବା ଠିକାଦାରଙ୍କ ଥିଲେ ସୁଦ୍ଧା ମରାମତି କରାଯାଉନଥିବା ଅଭିଯୋଗ ହେଉଛି । ରାସ୍ତା ନିର୍ମାଣ ସମୟରେ ଜଳ ନିଷ୍କାସନର ସୁବନ୍ଦୋବସ୍ତ କରାଯାଇନଥିବାରୁ ବର୍ଷା ଦିନ ହେଲେ ବର୍ଷା ଜଳ ନିଷ୍କାସିତ ହୋଇ ନପାରି ବହୁ ଗାଁ ପାଣି ଘେରରେ ରହିଥାନ୍ତି । ରାସ୍ତାଟିର ରକ୍ଷଣାବେକ୍ଷଣ ଦାୟିତ୍ୱ କୁ ଇତି ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ପୁରିବାକୁ ବସିଥିଲେ ସୁଦ୍ଧା ଏହାର ରକ୍ଷଣାବେକ୍ଷଣ ହେଉନଥିବାରୁ ବର୍ତ୍ତମାନ ରାସ୍ତାର ଉଭୟ ପାଶ୍ୱର୍ ଦବିବା ସହ ପାଣି ଜମି ରହି ଗମନାଗମନରେ ବାଧା ସୃଷ୍ଟି କରୁଛି । ରାସ୍ତାରୁ ମେଣ୍ଟାଲ ଉଠିଯାଇ ଖାଲଖମାରରେ ପରିଣତ ହୋଇଛି ଏବଂ ପକ୍କା ରାସ୍ତା ଗୁଡ଼ିକ ଫାଟି ଆଁ କରିବା ଦ୍ୱାରା ଯାତାୟାତ ଅନୁପଯୋଗୀ ହେବାରେ ଲାଗିଛି । ଏହି ରାସ୍ତା ଉପରେ କାଦବରାଙ୍ଗ, ଆଡ଼ିଆ, ବଡ଼ବର୍ଚ୍ଚିକୟାଁ ଓ ପୁରୁଷଣ୍ଢ ପଂଚାୟତର ଗ୍ରାମବାସୀମାନେ ନିର୍ଭର କରିଥାନ୍ତି । ଏହି ରାସ୍ତାଟିକୁ ମରାମତି କରିବା ସହ ଜଳ ନିଷ୍କାସନର ସୁବନ୍ଦୋବସ୍ତ କରିବା ପାଇଁ ସ୍ଥାନୀୟ ବାସୀନ୍ଦା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳିପାରୁ ନାହିଁ । ପ୍ରଶାସନିକ ବରିଷ୍ଠ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ରାସ୍ତା ସମସ୍ୟା ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଏହି ରାସ୍ତା ସମସ୍ୟା ବିଷୟରେ ସେ ଅବଗତ ଥିବା ସହ ବର୍ଷା ଋତୁ ଚାଲୁଥିବାରୁ ରାସ୍ତା ମରାମତି ସମ୍ଭବପର ହୋଇପାରୁ ନାହିଁ । ବର୍ଷା ଋତୁ ପରେ ଏହି କାର୍ଯ୍ୟ ଆରମ୍ଭ କରାଯିବାର ସୂଚନା ଆମ ପ୍ରତିନିଧିଙ୍କୁ ଦେଇଥିଲେ ।
