ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଗ୍ରାମ ସଭା

ଭାରତୀୟ ଷ୍ଟେଟ ବ୍ୟାଙ୍କ, ନୟାଗଡ କୃଷି ଉନ୍ନୟନ ଶାଖା ତଥା ଖୋର୍ଦ୍ଧା କ୍ଷେତ୍ରୀୟ କାର୍ୟାଳୟ ତରଫରୁ ଗତ ନଭେମ୍ବର ୪ ତାରିଖ ଦିନ, ନୟାଗଡ ଜିଲ୍ଲା ଗୋତିସାହି ଗ୍ରାମ ପଞ୍ଚାୟତଠାରେ ସତର୍କତା ସଚେତନତା ସପ୍ତାହ ଉପଲକ୍ଷେ ଏକ ବିଶେଷ ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମ “ଗ୍ରାମ ସଭା” ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଓଡିଶା ରାଜ୍ୟର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ଶର୍ମା, ସମ୍ମାନିତ ଅତିଥି ଭାବେ ରଣପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ, ନୟାଗଡ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ସୁରେଶ କୁମାର ପ୍ରଧାନ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଖୋର୍ଦ୍ଧା-ନୟାଗଡ଼ କ୍ଷେତ୍ରର କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରୀଯୁକ୍ତ ଭୂପଦେବ ପ୍ରଧାନ, ଓଡଗାଁ ପଞ୍ଚାୟତ ସମିତିର ଅଧକ୍ଷ ଶ୍ରୀଯୁକ୍ତ ଲୋକନାଥ ସାହୁ, ଶରଣକୁଳର ଉପ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ କିରଣ ହେମ୍ବ୍ରମ ଏବଂ ଗୋତିସାହି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ ପରିଡା ଯୋଗ ଦେଇଥିଲେ । ଏହି ଆୟୋଜନରେ ଗୋତିସାହି ଗ୍ରାମ ପଞ୍ଚାୟତର ଦୁଇ ହଜାରରୁ ଅଧିକ ଗ୍ରାମବାସୀ, ଅନେକ ଋଣ ଗ୍ରାହକ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଗ୍ରଣୀ କୃଷକ, ବହୁ ସମାଜସେବୀ, ଶିକ୍ଷକ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କର ବହୁ କର୍ମକର୍ତ୍ତା ତଥା ବହୁ ଉପରିସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।

କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରୀଯୁକ୍ତ ଭୂପଦେବ ପ୍ରଧାନ ସ୍ଵାଗତ ଅଭିଭାଷଣ ଦେଇଥିଲେ । ମୁଖ୍ୟ ମହାପ୍ରବନ୍ଧକ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ଶର୍ମା, ଦୁର୍ନୀତି ନିବାରଣ ଓ ସଚେତନତା ଉପରେ ଆଲୋକପାତ କରିବା ସହ , ସରକାରଙ୍କ ପ୍ରାୟୋଜିତ ବିଭିନ୍ନ ପ୍ରକାର ଋଣର ଅଭିବୃଦ୍ଧି ତଥା ଗୃହ, ଶିକ୍ଷା, କୃଷି ଏବଂ କ୍ଷୁଦ୍ର ଶିଳ୍ପ ଗୁଡିକୁ ସହଜରେ ଋଣ ପ୍ରଦାନ କରିବାପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ କିପରି ମୁଖ୍ୟ ଭୂମିକା ଗ୍ରହଣ କରିଛି , ତତ୍ ସମ୍ପର୍କିତ ବିବରଣୀ ଦେଇଥିଲେ। ସେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା ଭଳି ବିଭିନ୍ନ ସମାଜ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ତଥା ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକକାଳୀନ ଋଣ ସମାଧାନ ଯୋଜନା ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ଅବଗତ କରାଇଥିଲେ ।  ଏହି କାର୍ଯ୍ୟକ୍ରମରେ ଶତାଧିକ କୃଷି ଋଣ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ଋଣର ନବୀକରଣ ଆବେଦନ ଗ୍ରହଣ କରାଯାଇଥିଲା । ଗୋତିସାହି ଗ୍ରାମ ପଞ୍ଚାୟତର କୃତି ଛାତ୍ରଛାତ୍ରୀ, ଅଗ୍ରଣୀ କୃଷକ, ବରିଷ୍ଠ କଳାକାର ଏବଂ ସମାଜସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପସ୍ଥିତ ଦର୍ଶକମାନଙ୍କର ଆର୍ଥିକ ସଚେତନତା ବୃଦ୍ଧି ପାଇଁ ପଥପ୍ରାନ୍ତ ନାଟକ, ପାଲା, ନୃତ୍ୟ ସଙ୍ଗୀତ ଉପସ୍ଥାପନା କରାଯାଇଥିଲା।

ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୂଖ୍ୟ ମହାପ୍ରବନ୍ଧକ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ଶର୍ମା ଆସନ୍ତା ୧୨-୧୧-୨୦୨୨ ରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରୀୟ ଲୋକ ଅଦାଲତ ତଥା ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକକାଳୀନ ଋଣ ସମାଧାନ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ଏକ “ଋଣ ସମାଧାନ ରଥ”ର ଶୁଭାରମ୍ଭ କରିଥିଲେ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ତତ୍ତ୍ବାବଧାନରେ ଏଭଳି ଗ୍ରାମ ପଞ୍ଚାୟତ ସ୍ତରୀୟ ଆୟୋଜନକୁ ପଞ୍ଚାୟତ ତଥା ଜିଲ୍ଲାର ବିଭିନ୍ନ ମହଲରୁ ବହୁ ପ୍ରଶଂସା ମିଳିଛି ।

Leave a Reply

Your email address will not be published. Required fields are marked *